କାଲି ସବୁ ବିଜେପି ବିଧାୟକଙ୍କ ଘର ଆଗରେ ବିକ୍ଷୋଭ କରିବେ ଚାଷୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦୀର୍ଘ ଗୋଟିଏ ବର୍ଷ ହେଲା ଆନ୍ଦୋଳନ କରୁଥିବା ଚାଷୀମାନେ ଏବେ ନିଜ ଆଭିମୁଖ୍ୟକୁ ଆହୁରି କଡ଼ା କରିଛନ୍ତି। କୃଷି ଆଇନ ପ୍ରତ୍ୟାହାର ସହ ଠିକ ସମୟରେ ଫସଲ ସଂଗ୍ରହ ଦାବିରେ ଆସନ୍ତାକାଲି ଚାଷୀମାନେ ବିଜେପି ଶାସିତ ହରିଆଣାରେ ଆନ୍ଦୋଳନ କରିବେ।

ଏହି ସମୟରେ ରାଜ୍ୟରେ ଥିବା ସମସ୍ତ ବିଜେପି ବିଧାୟକଙ୍କ ଘର ଆଗରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିବେ। ସେହିପରି ପଞ୍ଜାବର ସବୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ମଧ୍ୟ ଧାରଣା ଦେବେ ବୋଲି ଆଜି ଚାଷୀନେତା ରାକେଶ ଟିକାୟତ ଘୋଷଣା କରିଛନ୍ତି।
ଖରିଫ ବା ମୌସୁମୀ ବେଳେ ଉତ୍ପାଦିତ ହେଉଥିବା ଫସଲକୁ ଚାଷୀମାନଙ୍କ ଠାରୁ ୧୧ ତାରିଖ ଯାଏ ସଂଗ୍ରହ କରିବେ ନାହିଁ ବୋଲି ଗୁରୁବାର କେନ୍ଦ୍ର ସରକାର କହିଥିଲେ। ପଞ୍ଜାବ ଓ ହରିଆଣାରେ ଏପରି ନିୟମ ଲାଗୁ ହେବ ସରକାର ନିଷ୍ପତ୍ତି ନେଇଛନ୍ତି।

ତେବେ କେନ୍ଦ୍ର ସରକାରଙ୍କ ଏପରି ରୋକକୁ କଂଗ୍ରେସ ସମେତ ଚାଷୀମାନେ ବିରୋଧ କରିଛନ୍ତି। କାହିଁକି ଚାଷୀମାନଙ୍କ ଠାରୁ ବିଳମ୍ବରେ ଫସଲ ସଂଗ୍ରହ କରାଯିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏମଏସ୍‌ପି ଜରିଆରେ ଫସଲ ସଂଗ୍ରହକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କ ଏହା ଏକ ଷଡ଼ଯନ୍ତ୍ର ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଆଜି ରାକେଶ ଟିକାୟତ କହିଛନ୍ତି, “ଧାନ ସଂଗ୍ରହ ଆରମ୍ଭ କରିବା ଦାବିରେ ଆସନ୍ତାକାଲି ଚାଷୀମାନେ ହରିଆଣାର ସମସ୍ତ ବିଜେପି ଓ ଜେଜେପି ବିଧାୟକଙ୍କ ଘର ଆଗରେ ବିକ୍ଷୋଭ କରିବେ। ସେହିପରି ପଞ୍ଜାବର ଜିଲ୍ଲାପାଳଙ୍କ ଅଫିସ ଗୁଡ଼ିକ ଆଗରେ ମଧ୍ୟ ଚାଷୀମାନେ ଧାରଣା ଦେବେ।”

ଅନ୍ୟପକ୍ଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ମଧ୍ୟ କେନ୍ଦ୍ର ସରକାରଙ୍କୁ ନିଜ ନିଷ୍ପତ୍ତି ବଦଳାଇବାକୁ ଦାବି କରିଛନ୍ତି। ଆଜି ସେ ଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଧାନ ସଂଗ୍ରହ ଉପରେ ଲାଗିଥିବା ରୋକକୁ ହଟାଇବା ସହ ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର କରିବାକୁ ସେ ମୋଦିଙ୍କୁ ଅନୁରୋଧ କରିଛନ୍ତି।

କଂଗ୍ରେସ କହିଛି ଯେ ଯଦି ଠିକ ସମୟରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରା ନଯିବ, ତା’ହେଲେ ଅନେକ ଫସଲ ନଷ୍ଟ ହେବ। ସେପ୍ଟେମ୍ବର ୨୦ରୁ ଲକ୍ଷାଧିକ କ୍ୱିଣ୍ଟାଲର ଧାନ ମଣ୍ଡିକୁ ଆସିବା ଆରମ୍ଭ ହୋଇଛି। ୧୧ ଦିନ ବିତି ଯାଇଥିଲେ ମଧ୍ୟ ହରିଆଣାରେ ଗୋଟିଏ ହେଲେ ବି ଫସଲ ଚାଷୀଙ୍କ ଠାରୁ କିଣା ଯାଇନି।

ତେଣୁ ଏମଏସ୍‌ପି ଦ୍ୱାରା ଧାନ ସଂଗ୍ରହକୁ ବନ୍ଦ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର। ଖୋଲା ଆକାଶ ତଳେ ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ ପଡ଼ି ରହି ନଷ୍ଟ ହେଉଛି। ୧୧ ତାରିଖ ଯାଏ କାହିଁକି ଧାନ ସଂଗ୍ରହ ଉପରେ ରୋକ ଲାଗିଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।