ବେଙ୍ଗାଲୁରୁ: ନିଜ ହାତରେ ନିଜ ଜନ୍ମ କଲା ଝିଅକୁ ହତ୍ୟା କରିଛନ୍ତି ବାପା। ଚାକିରି ନଥିବାରୁ ଝିଅକୁ ଠିକ୍ ଭାବେ ଖାଇବାକୁ ଦେବାକୁ ଅକ୍ଷମ ହେଉଥିବାରୁ ଏଭଳି କାଣ୍ଡ ଘଟାଇଛନ୍ତି ଜଣେ ୪୫ ବର୍ଷୀୟ ବ୍ୟକ୍ତି। ହତ୍ୟା କରିବା ପୂର୍ବରୁ ବ୍ୟକ୍ତି ଜଣଙ୍କ ଝିଅ ସହ ଢେର ସମୟ ବିତାଇବା ସହ ତା’ ସହ ଖେଳିଥିଲେ। ଏପରି କି ଝିଅ ପାଇଁ ଚକୋଲେଟ ଓ ବିସ୍କୁଟ ମଧ୍ୟ ଆଣିଥିଲେ। କିନ୍ତୁ ଶେଷରେ ସେ ଝିଅକୁ ନିଜ ହାତରେ ହତ୍ୟା କରିଥିଲେ। ଝିଅକୁ ମାରିବା ପରେ ସେ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି ପୁଲିସ୍ କହିଛି।
କର୍ଣ୍ଣାଟକାର କୋଲାର ତାଲୁକା ଅନ୍ତର୍ଗତ କେନଦାତି ଗାଁର ଗୋଟିଏ ହ୍ରଦରୁ ୨ ବର୍ଷର ଝିଅର ମୃତଦେହ ଉଦ୍ଧାର ହୋଇଛି। ହ୍ରଦ ନିକଟରୁ ଗୋଟିଏ ବ୍ଲୁ ରଙ୍ଗର କାର୍ ମଧ୍ୟ ଜବତ କରାଯାଇଛି। ପ୍ରଥମେ ଗାଁ ଲୋକ କାରକୁ ଦେଖି କୋଲାର ପୁଲିସ୍ ଷ୍ଟେସନକୁ ଖବର ଦେଇଥିଲେ। ଏହାପରେ ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଝିଅକୁ ହତ୍ୟା କରିବା ଅଭିଯୋଗରେ ପୁଲିସ୍ ରାହୁଲ ପାରମର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ରାହୁଲଙ୍କ ଘର ଗୁଜରାଟରେ ହୋଇଥିବା ବେଳେ ସେ ବେଙ୍ଗାଲୁରୁରେ ନିଜ ପତ୍ନୀ ଭାବ୍ୟା ଓ ଝିଅ ସହ ୨ ବର୍ଷ ହେଲା ରହୁଥିଲେ।
ରାହୁଲ ପୁଲିସ୍କୁ କହିଛନ୍ତି ଯେ ଦିନକୁ ଦିନ ଋଣ ଭାର ବଢ଼ି ଚାଲିଥିଲା। ଋଣଦାତାମାନେ ଘର ଠାରୁ ଆରମ୍ଭ କରି କାର ସବୁ କିଛି ନେଇ ଯିବାକୁ ଧମକ ଦେଉଥିଲେ। ଏଥିପାଇଁ ଝିଅ ସେ ବେଙ୍ଗାଲୁରୁ ବାହାରକୁ ଚାଲି ଆସିଥିଲେ। ଘରକୁ ଫେରିଲେ ସମସ୍ୟା ଅଧିକ ହେବ ବୋଲି ରାହୁଲ ଆଶଙ୍କା କରିଥିଲେ। ଏଥିପାଇଁ ସେ ଝିଅ ସହ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ କାର ଭିତରେ ସେ ଝିଅକୁ କୁଣ୍ଢାଇ ଧରି ବେଶ କିଛି ସମୟ କାନ୍ଦିଥିଲେ। ଝିଅ ସହ ସମୟ ବିତାଇଥିଲେ ଓ ଖେଳିଥିଲେ। ଶେଷରେ ଝିଅକୁ ଧରି ହ୍ରଦ ମଧ୍ୟକୁ ଡେଇଁ ପଡ଼ିଥିଲେ। ଝିଅ ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ ମଧ୍ୟ ରାହୁଲ ବୁଡ଼ି ନଥିଲେ। ତେଣୁ ସେ ଆତ୍ମହତ୍ୟା ଉଦ୍ୟମ କରି ମଧ୍ୟ ବର୍ତ୍ତି ଯାଇଥିଲେ।
୨ ବର୍ଷର ଝିଅ ଓ ପରିବାରକୁ ଚଳାଇବା ପାଇଁ ରାହୁଲ ପାଖରେ ଟଙ୍କା ନଥିଲା। ସେଥିପାଇଁ ସେ ନିଜ ଝିଅକୁ ହତ୍ୟା କରିଥିବା ପୁଲିସ୍କୁ କହିଛନ୍ତି। ନଭେମ୍ବର ୧୫ରେ ରାହୁଲ ଓ ତାଙ୍କ ଝିଅ ନିଖୋଜ ହୋଇଯାଇଥିବା ପତ୍ନୀ ଭାବ୍ୟା ପୁଲିସ୍ରେ ଅଭିଯୋଗ କରିଥିଲେ।
୬ ମାସ ତଳେ ରାହୁଲ ଚାକିରି ହରାଇବା ସହ ବିଟକଏନ ବ୍ୟବସାୟରେ ବିପୁଳ ପରିମାଣର ଆର୍ଥିକ କ୍ଷତି ସହିଥିଲେ। ଏଥିପାଇଁ ସେ ମାନସିକ ବିଶାଦରେ ରହୁଥିଲା। ଏସବୁ ଭିତରେ ସେ ନିଜର ସୁନା ଗହଣା ଚୋରି ହୋଇଯାଇଥିବା ବେଙ୍ଗାଲୁରୁ ପୁଲିସ୍ ଷ୍ଟେସନରେ ଗୋଟିଏ ଅଭିଯୋଗ ମଧ୍ୟ କରିଥିଲେ।
ଏନେଇ ସେ ନିୟମିତ ନିଜର ଚୋରି ଜିନିଷ ପାଇବା ଆଶାରେ ପୁଲିସ୍ ଷ୍ଟେସନ ମଧ୍ୟ ଯାଉଥିଲେ। ତେବେ ପୁଲିସ୍ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ ଏହି ଚୋରି ଅଭିଯୋଗରେ କୌଣସି ସତ୍ୟତା ନାହିଁ। ନିଜେ ରାହୁଲ ହିଁ ଘରୁ ସବୁ ସୁନା ଗହଣା ଚୋରି କରି ନେଇଛନ୍ତି।
ଏନେଇ ପୁଲିସ୍ ରାହୁଲକୁ ତାଗିଦ କରିବା ସହ ଥାନାକୁ ଆସିବା ପାଇଁ କହିଥିଲା। ପୁଲିସ୍ର ଏପରି ତାଗିଦ ପରେ ରାହୁଲ ଡରି ଯାଇଥିଲେ। ମିଥ୍ୟା କେସ୍ ପାଇଁ ସେ ଅଡ଼ୁଆରେ ପଡ଼ିପାରନ୍ତି ବୋଲି ଆଶଙ୍କା ବି କରିଥିଲେ। ତେଣୁ ସେ ଝିଅକୁ ମାରିବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି। ତଥାପି ପୁଲିସ୍ ଘଟଣାର ସବୁ ଦିଗକୁ ବିଚାରକୁ ନେଇ ତଦନ୍ତ ଜାରି ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।