ପତ୍ନୀର ସେବା କରି ଅତିଷ୍ଠ ସ୍ୱାମୀ, ଶେଷରେ ମାରିଦେଲା

ମୁମ୍ବାଇ: ମହାରାଷ୍ଟ୍ରର ପରବାହାନିରେ ଗୋଟିଏ ଅଭାବନୀୟ ଘଟଣା ଘଟିଛି। ଚାକିରି ଓ କାମ ହରାଇ ଘରେ ରହୁଥିବା ଜଣେ ୪୫ ବର୍ଷୀୟ ବ୍ୟକ୍ତି ତାଙ୍କ ରୋଗୀଣା ପତ୍ନୀଙ୍କୁ ଜୀବନରୁ ମାରି ଦେଇଛନ୍ତି। ପତ୍ନୀ ଦୀର୍ଘ ଦିନ ହେଲା ରୋଗରେ ପଡ଼ିଥିବାରୁ ସ୍ୱାମୀ ଜଣଙ୍କ ତାଙ୍କର ସବୁ ପ୍ରକାର ସେବା ଓ ମେଡିକାଲ ଖର୍ଚ୍ଚ ତୁଲାଉଥିଲେ।

ସେବା କରି କରି ଅତିଷ୍ଠ ହୋଇ ଯିବା ସହ ମେଡିକାଲ ଖର୍ଚ୍ଚ ପାଇଁ ଟଙ୍କା ମଧ୍ୟ ତାଙ୍କ ପାଖରେ ଆଉ ନଥିଲା। ଏହି କାରଣରୁ ସେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ପୁଲିସ୍‌ ଗିରଫ କରିଛି।

ପୁଲିସ୍‌ କହିଛି ଯେ ମୁଦଗଲ ଗାଁରେ ଶନିବାର ରାତିରେ ଏହି ଘଟଣା ଘଟିଛି। ଏଠାରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଧାରୁଆ ଅସ୍ତ୍ର ଭୁସି ହତ୍ୟା କରିଛନ୍ତି। ତାଙ୍କ ପତ୍ନୀ ବ୍ରେନ ଟ୍ୟୁମରରେ ଆକ୍ରାନ୍ତ ଥିଲେ। ଘଟଣା ପରେ ବ୍ୟକ୍ତି ଜଣଙ୍କ ତାଙ୍କ ରକ୍ତ ଭିଜା କପଡ଼ାକୁ ସ୍ଥାନୀୟ ଅଞ୍ଚଳରେ ଫୋପାଡ଼ି ଦେଇଥିଲେ।

ହେଲେ ଗାଁ ଲୋକମାନେ ଏହାକୁ ଠାବ କରି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି କପଡ଼ାକୁ ଜବତ କରିଥିଲା। ସେହିପରି ରବିବାର ରାତିରେ ସଂପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରିବା ପରେ ଗିରଫ କରିଥିଲା। ଗିରଫ ପରେ ବ୍ୟକ୍ତି ଜଣଙ୍କ ନିଜ ଦୋଷ ସ୍ୱୀକାର କରିଛନ୍ତି। ଏଥିସହ ସେବା ଓ ମେଡିକାଲ ଖର୍ଚ୍ଚ ତୁଲାଇ ସେ ଅତିଷ୍ଠ ହୋଇ ପଡ଼ିବାରୁ ଏଭଳି କାଣ୍ଡ ଭିଆଇଥିବା ପୁଲିସ୍‌କୁ କହିଛନ୍ତି।

ପୁଲିସ୍‌ ସଂପୃକ୍ତ ବ୍ୟକ୍ତିଙ୍କ ନାଁରେ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।