ନକ୍ସଲଙ୍କ ଭୟଙ୍କର ଆଇଇଡି ବିସ୍ଫୋରଣ: ସହିଦଙ୍କ ସଂଖ୍ୟା ୫କୁ ବଢ଼ିଲା

ନାରାୟଣପୁର: ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଛତିଶଗଡ଼ର ନାରାୟଣପୁରରେ ନକ୍ସଲମାନେ କରିଥିବା ଭୟଙ୍କର ଆଇଇଡି ବିସ୍ଫୋରରେ ସହିଦଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଆଜି ଅପରାହ୍ନରେ ନାରାୟଣପୁର କାଡେନାର ଜଙ୍ଗଲ ନିକଟରେ ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ବସ୍‌କୁ ଆଇଇଡି ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ପ୍ରଥମେ ଏଥିରେ ୩ ଜଣ ଯବାନ ସହିଦ ହୋଇଥିବା ଖବର ମିଳିଥିଲା। ହେଲେ ଏବେ ଏହି ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଏବେ ବି ଆଉ ୩ ଜଣ ଯବାନ ଗୁରୁତର ଅବସ୍ଥାରେ ରହିଛନ୍ତି। ସମସ୍ତ ସହିଦ ଓ ଆହତ ଯବାନମାନେ ଜିଲ୍ଲା ରିଜର୍ଭ ଗାର୍ଡ(ଡିଆରଜି)ର ସଦସ୍ୟ।

ଆଜି ଯବାନମାନେ ନକ୍ସଲ ବିରୋଧୀ ଅପରେସନ ଶେଷ କରି ଫେରୁଥିଲେ। ୨୦ରୁ ଅଧିକ ଯବାନଙ୍କୁ ଧରି ଡିଆରଜି ବସ୍‌ କାଡେନାର ଓ କାନହରଗାଓଁ ମଧ୍ୟରେ ଯାଉଥିବା ବେଳେ ହଠାତ୍‌ ପୂର୍ବରୁ ନକ୍ସଲମାନେ ଖଞ୍ଜି ଥିବା ଆଇଇଡି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବସ୍‌ଟି ସିଧା ରାସ୍ତାରରୁ ନିକଟସ୍ଥ ଗୋଟିଏ ଛୋଟିଆ ଖାତକୁ ଉଡ଼ି ଯାଇଥିଲା।

ଘଟଣାସ୍ଥଳରେ ହିଁ ୩ ଜଣ ଯବାନ ସହିଦ ହୋଇଥିଲେ। ଆଇଟିବିପିର ୪୫ତମ ବାଟାଲିୟନର ଯବାନମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱାରାନ୍ୱିତ କରିଥିଲେ। ବସ୍‌ରେ ୨୦ରୁ ଅଧିକ ଯବାନ ରହିଥିଲେ। ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ତେବେ ସେଠାରେ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ହେଲିକପ୍ଟର ଯୋଗେ ରାୟପୁରକୁ ପଠାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ସହିଦଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଏବେ ବି ଆଉ ୩ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।


ସହିଦ ହୋଇଥିବା ଯବାନଙ୍କ ପରିଚୟ ମିଳିଛି। ସହିଦଙ୍କ ମଧ୍ୟରେ ହେଡ କନଷ୍ଟେବଲ ପବଦ ମାଣ୍ଡାଭି, ଜୟଲାଲ ଉକେ, କନଷ୍ଟେବଲ ସେବକ ସଲାମ, କରନ ଦେହାରି ଓ ଆସିସିଷ୍ଟାଣ୍ଟ କନଷ୍ଟେବଲ ବିଜୟ ପଟେଲ ରହିଛନ୍ତି। ଘଟଣାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘଲେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।