ଟଙ୍କା ପାଇଁ କମ୍ପାନୀ ହାତକୁ ଟେକି ଦେଲେ ସରକାରୀ ସମ୍ପତ୍ତି, ତାଲିକା ପଢ଼ନ୍ତୁ

ନୂଆଦିଲ୍ଲୀ: ସରକାରୀ ସମ୍ପତ୍ତିଗୁଡ଼ିକୁ ଘରୋଇ ସଂସ୍ଥାର ହାତକୁ ଦେଇ ଦେବେ କେନ୍ଦ୍ର ସରକାର। ଘରୋଇ ସଂସ୍ଥାମାନଙ୍କ ଠାରୁ ଏହା ବଦଳରେ କେନ୍ଦ୍ର ସରକାର ପ୍ରାୟ ୬ ଲକ୍ଷ କୋଟି ଟଙ୍କା ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଆଜି କେନ୍ଦ୍ର ସରକାର ଜାତୀୟ ମନିଟାଇଜେସନ ପାଇପଲାଇନର ଶୁଭାରମ୍ଭ କରିଛନ୍ତି।

ଏହି ଯୋଜନା ଅଧୀନରେ ୨୦୨୨ରୁ ୨୦୨୫ ଆର୍ଥିକ ବର୍ଷ ମଧ୍ୟରେ ସରକାରୀ ସମ୍ପତ୍ତିକୁ ଘରୋଇ ସଂସ୍ଥା ହାତରେ ଟେକି ଦେଇ ସରକାର ୬ ଲକ୍ଷ କୋଟି ଟଙ୍କା ଆୟ କରିବେ। ଏଥିରେ ସଡ଼କ, ପରିବହନ, ରେଳ, ବିଜୁଳି, ଗ୍ୟାସ ପାଇପଲାଇନ, ବେସାମରିକ ବିମାନ ଚଳାଚଳ, ବନ୍ଦର, ଟେଲି ଯୋଗାଯୋଗ, ମାଗାନିଜ, କୋଇଲା ଏବଂ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ସହ ଜଡ଼ିତ ସମ୍ପତ୍ତି ସବୁ ରହିଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜାତୀୟ ମନିଟାଇଜେସନ ପାଇପଲାଇନର ଲଞ୍ଚ କରି କହିଛନ୍ତି ଯେ ସରକାର କେବଳ ଅଣ-ବ୍ୟବହୃତ ବା କମ ବ୍ୟବହୃତ ହେଉଥିବା ସମ୍ପତ୍ତିକୁ ମନିଟାଇଜେସନ ପାଇଁ ବ୍ୟବହାର କରିବେ। ଏଗୁଡ଼ିକ ଘରୋଇ ସଂସ୍ଥାଗୁଡ଼ିକୁ ସୀମିତ ସମୟ ପାଇଁ ଦିଆଯିବ। ହେଲେ ଏହାର ମାଲିକାନା ସଂପୂର୍ଣ୍ଣ ସରକାରଙ୍କ ପାଖରେ ରହିବ।

ସମୟସୀମା ପରେ ଏଗୁଡ଼ିକୁ ଘରୋଇ ସଂସ୍ଥାଗୁଡ଼ିକ ସରକାରଙ୍କୁ ଫେରାଇବେ। ଅଣ-ବ୍ୟବହୃତ ସମ୍ପତ୍ତିଗୁଡ଼ିକରୁ କେମିତି ଆୟ ହୋଇ ପାରିବ, ସେଥିପାଇଁ ଘରୋଇ ସଂସ୍ଥାଗୁଡ଼ିକୁ ଏଥିରେ ସାମିଲ କରାଯିବ। ଏହାର ରକ୍ଷାଣବେକ୍ଷଣ ଠାରୁ ଆରମ୍ଭ କରି ସବୁ କିଛି ଘରୋଇ ସଂସ୍ଥା ବୁଝିବେ। ଏଗୁଡ଼ିକୁ କୌଣସି ପ୍ରକାରର ବିକ୍ରି କରାଯିବ ନାହିଁ ବୋଲି ସେ କହିଛନ୍ତି।

ଏହି ଯୋଜନା ଅଧୀନରେ ସରକାର ୨୫ଟି ଏୟାରପୋର୍ଟ, ୪୦ଟି ରେଳ ଷ୍ଟେସନ, ବିଭିନ୍ନ ଏୟାରପୋର୍ଟରେ ଥିବା କେନ୍ଦ୍ର ସରକାରଙ୍କ ଅଂଶଧନ ଓ ୧୬୦ଟି କୋଲ ମାଇନିଂ ପ୍ରକଳ୍ପକୁ ଘରୋଇ ସଂସ୍ଥାକୁ ଦେବେ।

ନୀତି ଆୟୋଗ ସିଇଓ ଅମିତାଭ କାନ୍ତ କହିଛନ୍ତି, ୨୦୨୫ ସୁଦ୍ଧା ଜାତୀୟ ଭିତ୍ତିଭୂମି ଯୋଜନାର ୧୪ ପ୍ରତିଶତ ଅର୍ଥାତ୍ ୬ ଲକ୍ଷ କୋଟି ଟଙ୍କା ରାସ୍ତା, ରେଳ ଓ ବିଦ୍ୟୁତ୍ ଆଦି ସେକ୍ଟରରୁ ଆସିବ। ରେଳ ଷ୍ଟେସନ, ୧୫ଟି ରେଳ ଷ୍ଟାଡିୟମ, ଟ୍ରେନ, ପର୍ବତ ରେଳ ଆଦିକୁ ମନିଟାଇଜେସନ କରାଯିବ।

ଏହା ସହିତ ୯ଟି ପ୍ରମୁଖ ବନ୍ଦରକୁ ମଧ୍ୟ ଘରୋଇ ସଂସ୍ଥା ହାତକୁ ଦିଆଯିବ। ଏହି ତାଲିକାରେ ଦୁଇଟି ଜାତୀୟ ଷ୍ଟାଡିୟମ୍ ବି ରହିଛି। ସରକାରୀ କମ୍ପାନୀଗୁଡ଼ିକର ଗେଷ୍ଟ ହାଉସ୍ ଏଣିକି ପିପିପି ମୋଡରେ କାର୍ଯ୍ୟକ୍ଷମ ହେବ।

ସବୁ ମନ୍ତ୍ରଣାଳୟକୁ ଟାର୍ଗେଟ ଦିଆଯାଇଛି ଓ ଏଗୁଡ଼ିକୁ ରିୟଲ ଟାଇମ ଡାସବୋର୍ଡ ଦ୍ୱାରା ମନିଟରିଂ କରାଯିବ। ଯଦି କୌଣସି ମନ୍ତ୍ରଣାଳୟ ନିଜର ଟାର୍ଗେଟ ପୂରଣ କରିବାରେ ଅକ୍ଷମ ହୁଅନ୍ତି, ତା’ହେଲେ ନୀତି ଆୟୋଗ ଓ ଅର୍ଥ ମନ୍ତ୍ରଣାଳୟ ମନିଟାଇଜେସନରେ ସହାୟତା କରିବ।

କେଉଁ କ୍ଷେତ୍ରରୁ କେତେ 

ସଡ଼କ ଭିତ୍ତିଭୂମିରୁ ୧୬୦,୨୦୦ କୋଟି

ରେଳବାଇରୁ ୧୫୨୪୯୬ କୋଟି

ବିଦ୍ୟୁତ୍ ପରିବହନରୁ ୪୫୨୦୦କୋଟି

ବିଦ୍ୟୁତ୍ ଉତ୍ପାଦନ ୩୯,୮୩୨କୋଟି

ପ୍ରାକୃତିକ ଗ୍ୟାସ ପାଇପଲାଇନ ୨୪,୪୬୨ କୋଟି

ଉତ୍ପାଦ ପାଇପଲାଇନ ୨୨,୫୦୪ କୋଟି

ଟେଲିକମରୁ ୩୫,୧୦୦ କୋଟି

ଗୋଦାମ ଘର ୨୮,୯୦୦ କୋଟି

ମାଇନିଂ ୨୮, ୭୪୭ କୋଟି

ଏୟାରପୋର୍ଟରୁ ୨୦,୭୮୨ କୋଟି

ବନ୍ଦରରୁ ୧୨,୮୨୮ କୋଟି

ଷ୍ଟାଡିୟମ ୧୧,୫୪୦ କୋଟି

ସହରାଞ୍ଚଳ ରିୟଲି ଷ୍ଟେଟରୁ ୧୫,୦୦୦ କୋଟି

୧୨ଟି ମନ୍ତ୍ରଣାଳୟର ସମ୍ପତ୍ତିକୁ ମିନଟାଇଜେସନ ନୀତିରେ ସାମିଲ କରାଯିବ ବୋଲି ଜଣାପଡ଼ିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।