ମୋଦିଙ୍କ ପାଇଁ ମାସ୍କ ପିନ୍ଧୁ ନାହାନ୍ତି ସଞ୍ଜୟ ରାଉତ

ମୁମ୍ବାଇ: ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସ୍କ ପିନ୍ଧୁ ନଥିବାରୁ ଏହାକୁ କଟାକ୍ଷ କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ। ମୋଦି ମାସ୍କ ପିନ୍ଧୁ ନଥିବାରୁ ସେ ମଧ୍ୟ ମାସ୍କ ପିନ୍ଧୁ ନାହାନ୍ତି ବୋଲି ଶ୍ରୀ ରାଉତ କହିଛନ୍ତି। ଗୁରୁବାର ନାଶିକରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ସଞ୍ଜୟ ରାଉତ ଯୋଗଦେଇଥିଲେ। ହେଲେ ସେ ମାସ୍କ ପିନ୍ଧି ନଥିବାରୁ ତାଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ। ଏହା ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ରାଉତ ମୋଦିଙ୍କ ଉଦାହରଣ ଦେଇଛନ୍ତି।

ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ମାସ୍କ ପିନ୍ଧିବାକୁ କହୁଛନ୍ତି। ହେଲେ ସେ ନିଜେ ବିଭିନ୍ନ କାର୍ଯ୍ୟକ୍ରମରେ ମାସ୍କ ପିନ୍ଧୁ ନାହାନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସବୁବେଳେ ମାସ୍କ ପିନ୍ଧନ୍ତି। କିନ୍ତୁ ମୋଦି ଦେଶର ନେତା। ମୁଁ ସବୁବେଳେ ତାଙ୍କୁ ଅନୁସରଣ କରୁଛି। ତେଣୁ ମୁଁ ବି ମୋଦିଙ୍କ ଭଳି ମାସ୍କ ପିନ୍ଧୁନି। ଲୋକମାନେ ମଧ୍ୟ ସମାନ କାରଣ ପାଇଁ ମାସ୍କ ପିନ୍ଧୁ ନାହାନ୍ତି।”

ନିକଟରେ ମୋଦି ଗୋଟିଏ ମେଳାରେ ଯୋଗଦେଇଥିଲେ। ସେଠାରେ ପ୍ରବଳ ଭିଡ଼ ହୋଇଥିଲେ ମଧ୍ୟ ସେ ବିନା ମାସ୍କରେ ବିଭିନ୍ନ ଷ୍ଟଲକୁ ଯାଇଥିଲେ। ସେ ଷ୍ଟଲ ଭିତରେ କ୍ଷଣି ଗୋଟିଏ ମାସ୍କ ଦୋକାନୀ ତାଙ୍କୁ ଏହାକୁ ଦେଖିବା ସହ ପିନ୍ଧିବାକୁ କହିଥିଲେ। ହେଲେ ମୋଦି ସ୍ମିତ ହାସ୍ୟ ଦେଇଥିଲେ ଓ ହାତ ହଲାଇ ମାସ୍କ ଦରକାର ନାହିଁ ବୋଲି କହିଥିଲେ। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ମୋଦି ମାସ୍କ ପିନ୍ଧି ନଥିବାରୁ ତାଙ୍କୁ ଲୋକମାନେ ସମାଲୋଚନା କରିବାରେ ଲାଗିଛନ୍ତି।

ବର୍ତ୍ତମାନ ମହାରାଷ୍ଟ୍ର ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଛି। ଏଥିପାଇଁ ମୁମ୍ବାଇରେ ୧୪୪ ଧାରା ଲାଗୁ କରାଯାଉଛି। ତଥାପି ସଂକ୍ରମଣ ବଢ଼ିବାରେ ଲାଗିଛି। ‌ଏହା ଉପରେ ସଞ୍ଜୟ ରାଉତ କହିଛନ୍ତି, “ବର୍ତ୍ତମାନ କିଛି କଟକଣା ଲାଗୁ ହୋଇଛି। କିନ୍ତୁ ମୋର ଆଶା ଦିନ ବେଳା କିଛି କଟକଣା ଲାଗୁ ହେବନି।

କାରଣ ଏହା ଅର୍ଥନୀତିକ ବିକାଶକୁ ପ୍ରଭାବିତ କରିବ। ସାଂସଦ ସୁପ୍ରିୟା ସୁଲେ, ତାଙ୍କ ସ୍ୱାମୀ ସଦାନନ୍ଦ ସୁଲେ, ଏନସିପି ବିଧାୟକ ପ୍ରଜକ୍ତ ତାନପୁରେ, ମନ୍ତ୍ରୀ ବର୍ଷା ଗାଏକ୍ୱାଡ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେଣୁ ସମସ୍ତେ ସର୍ବସାଧାରଣରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ଅଧିକ ସତର୍କ ରହିବା ଦରକାର।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।