କୃଷି ଆଇନକୁ ନେଇ ଅବସରପ୍ରାପ୍ତ ଅମଲା ଦୁଇ ଭାଗ

ଲକ୍ଷ୍ନୌ: କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ୟୁପି-ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ୪ ମାସ ପୂରଣ ହେବାକୁ ଯାଉଛି। ଏହି ଅବସରରେ ଚାଷୀ ମାର୍ଚ୍ଚ ୨୬ରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ରହିଛି ଆଗକୁ ଆନ୍ଦୋଳନ ମଧ୍ୟ ଜାରି ରହିବ ବୋଲି ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି। ଏହାରି ଭିତରେ ୟୁପିର ଅବସରପ୍ରାପ୍ତ ବାବୁ ତିନି ଆଇନକୁ ନେଇ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ଗୋଷ୍ଠୀ ଆନ୍ଦୋଳନକାରୀ ଚାଷୀଙ୍କୁ ସମର୍ଥନ କରୁଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ବିରୋଧ କରୁଛି।

କିଛି ଅବସରପ୍ରପାପ୍ତ ଆଇଏଏସ ଚାଷୀଙ୍କୁ ଆନ୍ଦୋଳନରୁ ହଟିବାକୁ ନିବେଦନ କରିଛନ୍ତି। ତିନି କୃଷି ଆଇନ ଚାଷୀଙ୍କ ସ୍ୱାର୍ଥରେ ଆସିଛି। ଏହାଦ୍ୱାରା ଆୟ ବଢ଼ିବ ବୋଲି ଏହି ଅବସରପ୍ରାପ୍ତ ଗୋଷ୍ଠୀ କହିଛନ୍ତି। ଅନ୍ୟ ଏକ ଗୋଷ୍ଠୀ ଆନ୍ଦୋଳନକାରୀଙ୍କ ସହ ସ୍ୱର ମିଳାଇଛନ୍ତି। ପ୍ରଥମେ ଏହି ଗୋଷ୍ଠୀ ଆନ୍ଦୋଳନକାରୀ ଚାଷୀଙ୍କୁ ସମର୍ଥନ କରିବା ପରେ ସରକାରଙ୍କୁ ସମର୍ଥନ କରୁଥିବା ଗୋଷ୍ଠୀ ସକ୍ରିୟ ହୋଇଛି।

କୃଷି ଆଇନକୁ ସମର୍ଥନ କରୁଥିବା ଗୋଷ୍ଠୀ କହିଛନ୍ତି, ନିର୍ଦ୍ଦିଷ୍ଟ ସ୍ୱାର୍ଥକୁ ଆଖି ଆଗରେ ରଖି ଚାଷୀଙ୍କୁ ଭୁଲ୍ ସୂଚନା ଦିଆଯାଇ ବିଭ୍ରାନ୍ତି କରାଯାଉଛି। ହେଲେ ସରକାର ଚାଷୀଙ୍କ ଉନ୍ନତୀ ପାଇଁ ଏହି ତିନି ଆଇନ୍ ଆଣିଛନ୍ତି। ଚାଷୀ ଆନ୍ଦୋଳନରେ ବସିଥିବାରୁ ଅନେକ କ୍ଷୟକ୍ଷତି ମଧ୍ୟ ହେଉଛି। ସାଧାରଣ ଲୋକେ ପ୍ରଭାବିତ ହେବା ସହିତ ଛୋଟ ବ୍ୟବସାୟୀ ମଧ୍ୟ ପ୍ରଭାବିତ ହେଉଛନ୍ତି। ପୂର୍ବତନ ୟୁପି ମୁଖ୍ୟ ଶାସନ ସଚିବ ଅତୁଲ ଗୁପ୍ତା କହିଛନ୍ତି, କେନ୍ଦ୍ରର ତିନି କୃଷି ଆଇନ ଚାଷୀଙ୍କୁ ଅଧିକ ଆୟ କରିବାରେ ସହଯୋଗ କରିବ।

ସେହିପରି ୟୁପିର ପୂର୍ବତନ ଆଇଏଏସ ଅଫିସର ବିଜୟ ଶଙ୍କର ପାଣ୍ଡେ, ପୂର୍ବତନ ଆଇପିଏସ ଏସ.ଏନ ସିଂହ କହିଛନ୍ତି ସେମାନେ ତିନି କୃଷି ଆଇନକୁ ସମର୍ଥନ କରୁଛନ୍ତି। କେନ୍ଦ୍ର ତିନି କୃଷି ଆଇନକୁ ରଦ୍ଦ କରିବା ସହିତ ଏମଏସପି ଗ୍ୟାରେଣ୍ଟି ଦେବା ଦରକାର ବୋଲି କହିଛନ୍ତି। ନରେନ୍ଦ୍ର ମୋଦି ସରକାର ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେବା ଦରକାର। ଦେଶର ମୋଟ୍ ଜନସଂଖ୍ୟାର ୭୦ ପ୍ରତିଶତ ଲୋକ କୃଷି ସହିତ ଜଡ଼ିତ। ଚାଷୀ ଦୀର୍ଘ ଦିନ ଧରି ଆନ୍ଦୋଳନରେ ବସିଛନ୍ତି। ଏବେ ସେମାନଙ୍କ ସମସ୍ୟା ଶୁଣି ସମାଧାନ କରିବାକୁ ସରକାରଙ୍କୁ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।