୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ ଆଖୁ କିଆରିରେ ‍ଫିଙ୍ଗି ଦେଲା ଯୁବକ

ଖାଣ୍ଡୱା (ମଧ୍ୟପ୍ରଦେଶ) : ପୁଣିଥରେ ଗୋଟିଏ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। ଜଣେ ଯୁବକ ୪ ବର୍ଷୀୟ ଶିଶୁ କନ୍ୟାକୁ ଦୁଷ୍କର୍ମ କରିବା ପରେ ନିକଟସ୍ଥ ଆଖୁ କିଆରିରେ ଫିଙ୍ଗି ଫେରାର ହୋଇଯାଇଛି। ମଧ୍ୟପ୍ରଦେଶର ଖାଣ୍ଡୱା ଜିଲ୍ଲାରେ ଏପରି ଘଟଣା ଘଟିଛି।

ସୋମବାର ଆଖୁ କିଆରିର ଗୋଟିଏ ବୁଦା ମୂଳରୁ ଶିଶୁ କନ୍ୟାକୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏବେ ଚିକିତ୍ସା ପାଇଁ ତାଙ୍କୁ ଇନ୍ଦୋରର ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପୁଲିସ୍‌ ଆଜି ସୂଚନା ଦେଇଛି।

ଶିଶୁକନ୍ୟାଟି ଜସୱାଡି ସ୍ଥିତ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଥିବା ବେଳେ ସୋମବାର ହଠାତ୍‌ ନିଖୋଜ ହୋଇଯାଇଥିଲେ। ତୁରନ୍ତ ପରିବାର ଲୋକ ପୁଲିସ୍‌କୁ ଖବର ଦେବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଯାଞ୍ଚ ବେଳେ ସ୍ଥାନୀୟ ଗୋଟିଏ ରେଷ୍ଟୁରାଣ୍ଟରେ କାମ କରୁଥିବା ଜଣେ ୨୫ ବର୍ଷୀୟ ଯୁବକକୁ ପୁଲିସ୍‌ ଉଠାଇ ନେଇଥିଲା।

ରବିବାର ରାତିରେ ଏହି ଯୁବକ ଜଣକ ପୀଡ଼ିତଙ୍କ ସମ୍ପର୍କୀୟଙ୍କୁ ଯୋଗାଯୋଗ କରିବା ସହ ଗୋଟିଏ ଖଟିଆ ଭଡ଼ାରେ ଆଣିଥିଲା। ଏହାର ଦିନକ ପରେ ଶିଶୁକନ୍ୟା ନିଖୋଜ ହେବାରୁ ପରିବାର ଲୋକଙ୍କ ସନ୍ଦେହ ଉକ୍ତ ଯୁବକ ଉପରେ ହୋଇଥିଲା। ପୁଲିସ୍‌ ତା’କୁ ଉଠାଇ ନେଇ ଜେରା କରିବା ପରେ ସେ ସବୁ ମାନି ଯାଇଥିଲା।

ଶିଶୁ କନ୍ୟାଟି ସେ ନିକଟସ୍ଥ ଆଖୁ କିଆରିକୁ ନେଇଥିଲା ଓ ସେଠାରେ ଦୁଷ୍କର୍ମ କରି ଫିଙ୍ଗି ଦେଇଥିବା ପୁଲିସ୍‌କୁ କହିଥିଲା। ତା’ ଠାରୁ ସୂଚନା ପାଇବା ପରେ ପୁଲିସ୍‌ ଆଖୁ କିଆରିରେ ପହଞ୍ଚି ଶିଶୁ କନ୍ୟାକୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲା।

ପ୍ରଥମେ ପୀଡ଼ିତାଙ୍କୁ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା। ହେଲେ ପରବର୍ତ୍ତୀ ଅବସ୍ଥାରେ ଅଧିକ ଚିକିତ୍ସା ପାଇଁ ଇନ୍ଦୋର ସ୍ଥାନାନ୍ତର କରାଯାଇଛି। ପୁଲିସ୍‌ କହିଛି ଯେ ଶିଶୁ କନ୍ୟାଟି ନିଦରେ ଶୋଇଥିବା ବେଳେ ଅଭିଯୁକ୍ତ ଜଣକ ତା’କୁ ଉଠାଇ ନେଇଥିଲା।

ଏହାପରେ ଦୁଷ୍କର୍ମ କରି ବୁଦା ମୂଳରେ ଫିଙ୍ଗି ଦେଇଥିଲା। ପ୍ରଥମେ ଅଭିଯୁକ୍ତ ନାଁରେ ୩୬୩ ଦଫାରେ ମାମଲା ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ୩୭୬ ଓ ପକ୍ସୋ ଆକ୍ଟରେ ମାମଲା କରାଯାଇଛି। ଘଟଣାରେ ଆଉ ଜଣେ ସାମିଲ ଥିବା ଅଭିଯୁକ୍ତ ଜଣକ କହିଛି। ହେଲେ ସେ ସମ୍ପର୍କରେ ମୁହଁ ଖୋଲିନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।