ଶବଦାହରେ ବି ଦୁର୍ନୀତି: ପୂର୍ବରୁ ଥିଲା ୩ ହଜାର ଏବେ ନେଉଛନ୍ତି ୩୦ ହଜାର

ବାରାଣସୀ/ମୀରଟ: ମହାମାରୀ କରୋନା ଯୋଗୁ ଶତାଧିକ ଲୋକ ପ୍ରାଣ ହରାଉଛନ୍ତି। ନିଜ ପ୍ରିୟଜନକୁ ସବୁଦିନ ପାଇଁ ହରାଇ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଲୋକଙ୍କୁ ଲୁଟ୍‌ କରିବା ପାଇଁ ବି ଭୁଲୁ ନାହାନ୍ତି କିଛି ହୃଦୟହୀନ ମଣିଷ। ପୂର୍ବରୁ ଶବଦାହ ପାଇଁ ଜଣେ ବ୍ୟକ୍ତିଙ୍କୁ ୩ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିବା ବେଳେ ଏବେ ଏହା ସିଧା ୩୦ ହଜାରକୁ ବୃଦ୍ଧି ପାଇଛି। ୩୦ ହଜାର ଟଙ୍କାରେ ବି ଠିକ୍‌ ଭାବେ ଶବର ଅନ୍ତିମ ସଂସ୍କାର କରାଯାଉନି। […]

UP

UP

Hemant Lenka
  • Published: Monday, 19 April 2021
  • Updated: 19 April 2021, 02:24 PM IST

Sports

Latest News

ବାରାଣସୀ/ମୀରଟ: ମହାମାରୀ କରୋନା ଯୋଗୁ ଶତାଧିକ ଲୋକ ପ୍ରାଣ ହରାଉଛନ୍ତି। ନିଜ ପ୍ରିୟଜନକୁ ସବୁଦିନ ପାଇଁ ହରାଇ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଲୋକଙ୍କୁ ଲୁଟ୍‌ କରିବା ପାଇଁ ବି ଭୁଲୁ ନାହାନ୍ତି କିଛି ହୃଦୟହୀନ ମଣିଷ। ପୂର୍ବରୁ ଶବଦାହ ପାଇଁ ଜଣେ ବ୍ୟକ୍ତିଙ୍କୁ ୩ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିବା ବେଳେ ଏବେ ଏହା ସିଧା ୩୦ ହଜାରକୁ ବୃଦ୍ଧି ପାଇଛି।

୩୦ ହଜାର ଟଙ୍କାରେ ବି ଠିକ୍‌ ଭାବେ ଶବର ଅନ୍ତିମ ସଂସ୍କାର କରାଯାଉନି। ଶ୍ମଶାନ ଘାଟର କର୍ମଚାରୀ ଓ ସେଠାରେ ଅନ୍ତିମ ସଂସ୍କାର କରୁଥିବା ପୂଜକମାନେ ନିଜ ଇଚ୍ଛା ଅନୁସାରେ ଚାର୍ଜ ଲାଗୁ କରୁଛନ୍ତି। ଉତ୍ତର ପ୍ରଦେଶର ବାରାଣସୀ ଠାରୁ ଆରମ୍ଭ କରି ମୀରଟରେ ଥିବା ଶ୍ମଶାନ ଘାଟରେ ଏପରି ଘଟଣା ଘଟି ଚାଲିଛି।

ବାରାଣସୀର ସବୁଠାରୁ ପୁରୁଣା ହରିଶ୍ଚଚନ୍ଦ୍ର ଘାଟରେ ରାଜେଶ ସିଂହ ନିଜର ଜଣେ ପ୍ରିୟଜନଙ୍କ ଶବଦାହ କରିବାକୁ ଆସିଥିଲେ। ଶ୍ମଶାନରେ ଏତେ ଭିଡ଼ ଥିଲା ଯେ ତାଙ୍କ ପାଳି ପଡ଼ିବା ବହୁତ ବିଳମ୍ବ ହୋଇଥିଲା। ସେ ସେମିତି ଶବଧରି ଦୀର୍ଘ ସମୟ ଖରାରେ ବସି ରହିଥିଲେ।

ତାଙ୍କର ଜଣେ ସମ୍ପର୍କୀୟ କରୋନାରେ ପ୍ରାଣ ହରାଇଥିବାରୁ ସେ ଅନ୍ତିମ ସଂସ୍କାର ପାଇଁ ଏଠାକୁ ଆସିଥିଲେ। ତାଙ୍କ ସହ ଏଠାରେ ଯାହା ଘଟିଲା, ତା’କୁ ଦେଖି ସେ ପୂରା ସ୍ତବ୍ଧ ହୋଇଯାଇଥିଲେ। ଶ୍ମଶାନର ମ୍ୟାନେଜର ଶବଦାହ ପାଇଁ ତାଙ୍କ ଠାରୁ ୧୧ ହଜାର ଟଙ୍କା ଚାର୍ଜ କରିଥିଲେ। ତେବେ ଏହାକୁ ରାଜେଶ ବିରୋଧ କରିବା ସହ ୫ ହଜାର ଟଙ୍କାରୁ ଅଧିକ ଦେଇପାରିବେ ନାହିଁ ବୋଲି କହିଥିଲେ। ଏହାଶୁଣି ମ୍ୟାନେଜାର ଜଣଙ୍କ ବିରକ୍ତ ପ୍ରକାଶ କରିଥିଲେ ଓ ଶବ ଛାଡ଼ି ଚାଲିଯିବାକୁ କହିଥିଲେ।

କେବଳ ରାଜେଶଙ୍କ ଠାରୁ ଯେ ଶ୍ମଶାନ ଘାଟରେ ଅଧିକ ଚାର୍ଜ ଲାଗୁ କରାଯାଇଛି, ତାହା ନୁହେଁ। କରୋନାରେ ପ୍ରାଣ ହରାଉଥିବା ଶତାଧିକ ଲୋକଙ୍କ ପରିବାର ବର୍ଗଙ୍କ ଠାରୁ ଏଭଳି ଅର୍ଥ ଆଦାୟ ହେଉଛି। ସେମାନେ ମଧ୍ୟ ଅନ୍ୟ କୌଣସି ଉପାୟ ନ ପାଇଁ ବାଧ୍ୟ ହୋଇ ଅଧିକ ଟଙ୍କା ଦେଉଛନ୍ତି।

ଶ୍ରୀ ସିଂହ କହିଛନ୍ତି, “ପୂର୍ବରୁ ଯେଉଁ କାଠ ଓ ସାମଗ୍ରୀ ୩ରୁ ୪ ହଜାର ଟଙ୍କାରେ ମିଳୁଥିଲା, ଏବେ ଏହା ୧୧ ହଜାର ଟଙ୍କାରେ ପହଞ୍ଚି ଯାଇଛି। ସେହିପରି କ୍ୱାଣ୍ଟିଟିରେ ମଧ୍ୟ ବୁଝାମଣା କରାଯାଉଛି। ସବୁ ଜାଣି ମଧ୍ୟ ଆମେ କିଛି କରିପାରୁନାହୁଁ। କାରଣ ମୃତଦେହ ଧରି ଆମେ କେଉଁଆଡ଼େ ଯିବୁ?”

ଆଉ ଜଣେ ବ୍ୟକ୍ତି ନିଜ ନାଁ ଗୋପନରଖି କହିଛନ୍ତି, “ମୁଁ ମୋର ଆଣ୍ଟିଙ୍କୁ ଏପ୍ରିଲ ୧୪ରେ ହରାଇଥିଲି। ହରିଶ୍ଚନ୍ଦ୍ର ଘାଟରେ ତାଙ୍କର ଅନ୍ତିମ ସଂସ୍କାର ପାଇଁ ମୋତେ ୨୨ ହଜାର ଟଙ୍କା ଦେବାକୁ ପଡ଼ିଥିଲା। ଗତକାଲି ମୁଁ ମୋ ଜେଜେମା’ଙ୍କୁ ହରାଛି। ପୁଣି ଘାଟକୁ ଅନ୍ତିମ ସଂସ୍କାର ପାଇଁ ଆସିବା ପରେ ସେମାନେ ମୋତେ ୩୦ ହଜାର ଟଙ୍କା ଦେବାକୁ କହିଥିଲେ।

ସେମାନଙ୍କୁ ମୁଁ ଦାମ କାହିଁକି ବଢ଼ିଲା ବୋଲି ପଚାରିଥିଲି। ହେଲେ ସେମାନେ ଅଜବ ଉତ୍ତର ଦେଇଥିଲେ। ସେମାନେ କହିଥିଲେ ଯେ ପୂର୍ବ ଦାମ କଥା ଭୁଲି ଯାଅ। ଧାଡ଼ିରେ କେତେ ଶବ ରହିଛି, ସେଗୁଡ଼ିକ କ’ଣ ଦେଖାଯାଉ ନାହିଁ କି ବୋଲି ପ୍ରଶ୍ନ କରିଥିଲେ।”

ସେ ଆହୁରି କହିଛନ୍ତି, ଅଧିକ ଟଙ୍କା ନେଉଥିଲେ ହେଁ ଶବଦାହ ଭଲ ଭାବେ କରାଯାଉନାହିଁ। ଶବଦାହ କରିବାକୁ ଆବଶ୍ୟକ କାଠ କର୍ତ୍ତୃପକ୍ଷ ଦେଉନାହାନ୍ତି। ମୃତଦେହ ଅଧା ଜଳିଥିବା ବେଳେ ତାକୁ କାଢ଼ି ଫୋପାଡ଼ି ଦିଆଯାଉଛି ବୋଲି ବ୍ୟକ୍ତି ଜଣଙ୍କ ଅଭିଯୋଗ କରିଛନ୍ତି।

ମୀରଟର ସୂରଜକୁଣ୍ଡ ଶ୍ମଶାନ ଘାଟରେ ମଧ୍ୟ ଅନୁରୂପ ଘଟଣା ଘଟିଛି। ଦର ବୃଦ୍ଧି ସମ୍ପର୍କରେ ସ୍ଥାନୀୟ ପୌରପାଳିକା କମିଶନର ମନୀଷ ବଂଶଲ ଘାଟର ଲୋକଙ୍କ ସହ କଥା ହୋଇଛନ୍ତି। ସେ କହିଛନ୍ତି, “ପୂରୋହିତମାନେ ମୃତକଙ୍କ ସମ୍ପର୍କୀୟଙ୍କ ସହ ଖରାପ ବ୍ୟବହାର କରିବା ସହ ଦର ବୃଦ୍ଧିକୁ ନେଇ ହଇରାଣ କରୁଥିବା ଅଭିଯୋଗ ପାଇଥିଲୁ। ଆମେ ସେମାନଙ୍କ ସହ ମିଟିଂ କରି ଦର ଧାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛୁ।

ଏବେ ସବୁ କିଛି ଦର ଏଠାରେ ମରାଯିବ। କରୋନା ବ୍ୟତୀତ ଅନ୍ୟ କାରଣ ପାଇଁ ପ୍ରାଣ ହରାଉଥିବା ଲୋକଙ୍କ ଶବଦାହ ପାଇଁ ୫ ହଜାର ଟଙ୍କା ଓ କରୋନା ଆକ୍ରାନ୍ତଙ୍କ ଶବଦାହ ପାଇଁ ୭ ହଜାର ଟଙ୍କା ଦେବାକୁ ପଡ଼ିବ। ବୈଦ୍ୟୁତିକ ଚୁଲାରେ ଶବଦାହ କଲେ ୫ଶହ ଟଙ୍କା ଦେବାକୁ ପଡ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos