କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କୁ ମାସକୁ ୪ ଲକ୍ଷ ଟଙ୍କା ଦେଉଛି ୟୁଟ୍ୟୁବ

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଜାରି ଲକଡାଉନ ଅନେକଙ୍କ ପାଇଁ ଭୟଙ୍କର ସ୍ଥିତି ସୃଷ୍ଟି କରିଥିବା ବେଳେ ଆଉ କିଛି ଲୋକଙ୍କ ପାଇଁ ଏହା ଆଶୀର୍ବାଦ ସଦୃଶ ହୋଇଛି। ଘର ବସି ଅନେକ ଲୋକ ସୋଶାଲ ମିଡିଆରେ ସମୟ କାଟୁଥିଲେ। ତେବେ ଏହି ସୋଶାଲ ମିଡିଆ କିଛି ଲୋକଙ୍କ ରୋଜଗାରର ମାଧ୍ୟମ ମଧ୍ୟ ପାଲଟିଛି।

ଏହିକ୍ରମରେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ମଧ୍ୟ ତାଙ୍କ ଲେକଚରଗୁଡ଼ିକ ପାଇଁ ଏବେ ୟୁଟ୍ୟୁବ ଠାରୁ ରୟାଲିଟି ଆକାରରେ ମାସକୁ ୪ ଲକ୍ଷ ଟଙ୍କା ଲେଖାଏ ପାଉଛନ୍ତି। ସେ ଲକଡାଉନ ସମୟର ଅନେକ ପ୍ରକାରର ଲେକଚର୍ସ ଭିଡିଓକୁ ୟୁଟ୍ୟୁବରେ ପୋଷ୍ଟ କରିଥିଲେ। ଏହାକୁ ମହାମାରୀ ସମୟରେ ଲୋକମାନେ ଦେଖିବାକୁ ଲାଗିଥିଲେ।

ଫଳରେ ଏବେ ତାଙ୍କୁ ୟୁବ୍ୟୁଟ ୪ ଲକ୍ଷ ଟଙ୍କା ଲେଖାଏ ଦେଉଛି। ଏକଥା ଖୋଦ୍‌ ଗଡ଼କରୀ ଆଜି କହିଛନ୍ତି। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ (ଡିଏମଇ) କାମର ସମୀକ୍ଷା କରିବା ପାଇଁ ଆଜି ଗଡ଼କରୀ ଭାରୁଚି ଯାଇଥିଲେ। ଏହି ସମୟରେ ସେ କହିଛନ୍ତି, କରୋନା ଲକଡାନ ସମୟରେ ମୁଁ ଦୁଇଟି କାର୍ଯ୍ୟ କରିଛି।

ଗୋଟିଏ ହେଲା ମୁଁ ଜଣେ ରୋଷେୟା ହୋଇଯାଇଛି। ଦ୍ୱିତୀୟରେ ମୁଁ ଭିଡିଓ କନଫରେନ୍ସିଂରେ ଲେକଚର୍ସ ଦେବା ଆରମ୍ଭ କରିଥିଲି। ଏହି ସମୟରେ ମୁଁ ପ୍ରାୟ ୯୫୦ରୁ ଅଧିକ ଲେକଚର୍ସ ଦେଇଛି। ବିଦେଶୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ମୁଁ ବିଭିନ୍ନ ବିଷୟରେ ବିକ୍ତୃତା ଦେଇଥିଲି।

ଏସବୁ ଭିଡିଓ ୟୁଟ୍ୟୁବରେ ଅପଲୋଡ ହୋଇଥିଲା। ମୋ ୟୁଟ୍ୟୁବ ଚ୍ୟାନେଲରେ ଦର୍ଶକଙ୍କ ସଂଖ୍ୟା ଲକଡାଉନ ସମୟରେ ବଢ଼ିଥିଲା। ଏବେ ଏଥିପାଇଁ ୟୁଟ୍ୟୁବ ମୋତେ ମାସିକ ୪ ଲକ୍ଷ ଟଙ୍କା ଲେଖାଏ ଦେଉଥିବା ସେ କହିଛନ୍ତି।

ନିଜର ସ୍ପଷ୍ଟ ଓ ନିର୍ଭିକ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଗଡକରୀ କହିଛନ୍ତି, ଭାରତ ଏମିତି ଏକ ରାଷ୍ଟ୍ର ଯେଉଁଠି ଭଲ କାମ ଓ ଲୋକଙ୍କୁ ପ୍ରଶଂସା ମିଳେନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।