କାର୍‌ରେ ଦୁଷ୍କର୍ମ ପରେ ଆତ୍ମହତ୍ୟା ଉଦ୍ୟମ କଲେ ନାବାଳିକା

ପାଣାଜୀ: ଜଣେ ୧୬ ବର୍ଷୀୟ ଝିଅଙ୍କୁ କାର୍‌ ଭିତରେ ଦୁଷ୍କର୍ମ କରାଯାଇଛି। ଘଟଣା ପରେ ପୀଡ଼ିତା ଜଣଙ୍କ ଲୋକଲଜ୍ଜାରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୋଆର ପୋରଭରିମ ଠାରେ ଘଟିଥିବା ଏହି ଘଟଣାରେ ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି। ନଭେମ୍ବର ୩ ତାରିଖ ଦିନ ୧୧ଟାରୁ ମଧ୍ୟାହ୍ନ ୨ଟା ମଧ୍ୟରେ ଏହି ଘଟଣା ଘଟିଥିଲା।

ତେବେ ପୁଲିସ୍‌ ଅଭିଯୁକ୍ତକୁ ଶନିବାର ଦିନ ଗିରଫ କରିଛି। ଅଭିଯୁକ୍ତର ବୟସ ୩୧ ବର୍ଷ। ପୀଡ଼ିତା ରହୁଥିବା ଅଞ୍ଚଳରେ ସେ ମଧ୍ୟ ରହୁଥିଲା। ଏହି ସମୟରେ ହିଁ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ଏହାର ଫାଇଦା ନେଇ ସେ ନଭେମ୍ବର ୩ରେ ନାବାଳିକାଙ୍କୁ କାର୍‌ରେ ନେଇ ଦୁଷ୍କର୍ମ କରିଛି।

ପୁଲିସ୍‌ କହିଛି, ଘଟଣା ଦିନ ଅଭିଯୁକ୍ତ ଜଣକ ନାବାଳିକାଙ୍କୁ କାର୍‌ରେ ଡ୍ରାଇଭ କରିବାକୁ ଡାକିଥିଲା। ଉଭୟ କାର୍‌ରେ ଯାଉଥିବା ବେଳେ ହଠାତ ଯୁବକ ଜଣଙ୍କ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ଘଟଣା ପରେ ସେ ହିଁ ପୀଡ଼ିତାଙ୍କୁ ତାଙ୍କ ଘରର ପାଖରେ ଛାଡ଼ିଥିଲା। ଏହି ସମୟରେ ଅଭିଯୁକ୍ତ ଜଣକ ଘଟଣା ସମ୍ପର୍କରେ କାହାକୁ କିଛି ନ କହିବାକୁ ପୀଡ଼ିତାଙ୍କୁ ଧମକାଇ ଥିଲା।

ଭୟରେ ପୀଡ଼ିତା ଜଣଙ୍କ ମଧ୍ୟ କାହାକୁ କିଛି କହି ନଥିଲେ। କିନ୍ତୁ ସନ୍ଧ୍ୟା ସମୟରେ ସେ ତାଙ୍କ ଘର ପାଖରେ ଥିବା ଗୋଟିଏ ବିଲଡିଂକୁ ଯାଇ ସେଠାରୁ ତଳକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକ ଏହାକୁ ଦେଖି ତୁରନ୍ତ ନାବାଳିକାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଛାତରୁ ଡେଇଁ ଜୀବନ ହାରିବାକୁ ସେ ଚେଷ୍ଟା କରୁଥିବା ବେଳେ କେବଳ ତାଙ୍କର ଗୋଡ଼ ଭାଙ୍ଗିଛି। ବର୍ତ୍ତମାନ ସେ ସଂପୂର୍ଣ୍ଣ ବିପଦ ମୁକ୍ତ ରହିଛନ୍ତି।

ପରିବାର ଲୋକ ବାରମ୍ବାର କାହିଁକି ଏପରି ଛାତରୁ ଡେଇଁଲୁ ବୋଲି ନାବାଳିକାଙ୍କୁ ପଚାରିଥିଲେ। କିନ୍ତୁ ଭୟରେ ସେ କିଛି ବି କହି ନଥିଲେ। ଶେଷରେ ନଭେମ୍ବର ୫ରେ ପୀଡ଼ିତା ଜଣଙ୍କ ତାଙ୍କ ଭାଇଙ୍କୁ ସବୁ କଥା କହିଥିଲେ। ଏହା ଜାଣିବା ପରେ ପରିବାର ଲୋକ ତୁରନ୍ତ ପୋରଭରିମ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ପୁଲିସ୍‌ ପୀଡ଼ିତାଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତକୁ ଗିରଫ କରିଛି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଥିବା ପିଏସଆଇ ପ୍ରତୀକ ଭଟ୍ଟ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।