ସ୍କୁଲ ପ୍ରିନ୍ସିପାଲଙ୍କ ନିର୍ଯାତନା ସହି ନପାରି ପ୍ରାଣ ହରାଇଲେ ଛାତ୍ରୀ!

ଉନ୍ନାଓ: ସ୍କୁଲ ପ୍ରିନ୍ସିପାଲଙ୍କ ମାନସିକ ନିର୍ଯାତନା ସହି ନ ପାରି ଶେଷରେ ଜଣେ ୧୫ ବର୍ଷୀୟ ଛାତ୍ରୀଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣଙ୍କ ଠିକ୍‌ ସମୟରେ ସ୍କୁଲ ଫି’ ଦେଇ ପାରି ନଥିବାରୁ ତାଙ୍କୁ ପ୍ରିନ୍ସିପାଲ ନାନା ପ୍ରକାରର ହଇରାଣ କରୁଥିଲେ। ଏହି କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି। ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲାରେ ଘଟିଥିବା ଏହି ଘଟଣାରେ ପୁଲିସ୍‌ ସ୍କୁଲ ପ୍ରିନ୍ସିପାଲଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ଛାତ୍ରୀଙ୍କ ବାପା ଗୋଟିଏ ଫ୍ୟାକ୍ଟ୍ରୀରେ କାମ କରନ୍ତି। ମହାମାରୀ ପାଇଁ ତାଙ୍କ ଚାକିରି ଚାଲି ଯାଇଥିଲେ। ଏପରି ସ୍ଥିତିରେ ପରିବାର ଚଳାଇବା ତାଙ୍କ ପକ୍ଷେ କାଠିକର ପାଠ ହୋଇଯାଇଥିଲା। ପରିବାର ସହ ଝିଅର ପାଠ ପଢ଼ା ଖର୍ଚ୍ଚ କେମିତି ବହନ କରିବେ, ତା’କୁ ନେଇ ସେ ଚିନ୍ତାରେ ଥିଲେ। ଏହି କାରଣରୁ ଝିଅର ସ୍କୁଲ ଫି’ ମଧ୍ୟ ଦେଇ ପାରି ନଥିଲେ।

ଫି’ ଠିକ୍‌ ସମୟରେ ଦାଖଲ ନ ହେବାରୁ ଛାତ୍ରୀଙ୍କ ଆସାଇନମେଣ୍ଟ ଗ୍ରହଣ କରିବାକୁ ସ୍କୁଲ ପ୍ରିନ୍ସିପାଲ ମନା କରିଦେଇଥିଲେ। ଏପରି କି ତାଙ୍କୁ ପରୀକ୍ଷାରେ ବସିବାକୁ ସୁଯୋଗ ମିଳିବ ନାହିଁ ବୋଲି କହିଥିଲେ। ଏହି ଆସାଇନମେଣ୍ଟ ଜରିଆରେ ପିଲାମାନଙ୍କ ମାର୍କ ଧାର୍ଯ୍ୟ କରିଯାଇ ଥାଏ।

ପ୍ରିନ୍ସିପାଲ ଆସାଇନମେଣ୍ଟ ନ ନେବାରୁ ନିଜର ଭବିଷ୍ୟତକୁ ନେଇ ଛାତ୍ରୀ ଜଣଙ୍କ ଚିନ୍ତାରେ ପଡ଼ି ଯାଇଥିଲେ। ସେ ଯେତେ ଅନୁରୋଧ କଲେ ମଧ୍ୟ ପ୍ରିନ୍ସିପାଲ କିଛି ବି ଶୁଣି ନଥିଲେ। ଏପରି କି ତାଙ୍କୁ ସ୍କୁଲରୁ ବିଦା ମଧ୍ୟ କରି ଦିଆଯାଇଥିଲା ବୋଲି ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି।

ଛାତ୍ରୀଙ୍କ ବାପା ତାଙ୍କ ଅଭିଯୋଗରେ କହିଛନ୍ତି ଯେ “ମୋର ଏକମାତ୍ର ଝିଅ ଆଜି ସ୍କୁଲ ପ୍ରିନ୍ସିପାଲଙ୍କ ପାଇଁ ପ୍ରାଣ ହରାଇଛି। ଉନ୍ନାଓ ଜିଲ୍ଲାର ମୁଁ ଜଣେ ଗରିବ ଶ୍ରମିକ। ମୋ ଝିଅ ଦଶମ ଶ୍ରେଣୀରେ ପଢ଼ୁଥିଲା। ଆମର ଆର୍ଥିକ ଅବସ୍ଥା ଭଲ ନଥିବାରୁ ମହାମାରୀ ସମୟରେ ମୁଁ ୯ମ ଶ୍ରେଣୀ ପାଇଁ ୩ ମାସର ସ୍କୁଲ ଫି’ ଦେଇପାରି ନଥିଲି।

ମୁଁ ସ୍କୁଲ ପ୍ରିନ୍ସିପାଲଙ୍କୁ ଭେଟି ବାକି ଫି’ ଆଉ କିଛି ଦିନ ପରେ ଦେବି ବୋଲି କହିଥିଲି। ଗୁରୁବାର ମୋ ଝିଅ ସ୍କୁଲ ଯିବା ସହ ଦରଖାସ୍ତ ଜରିଆରେ ଫି’ ଛାଡ଼ କରିବାକୁ କହିଥିଲା। ହେଲେ ତାକୁ ସ୍କୁଲରୁ ବାହାର କରି ଦିଆଯାଇଥିଲା। ପ୍ରନ୍ସିପାଲ ଆମକୁ ଫି’ ଦାଖଲ ପାଇଁ ଅତିରିକ୍ତ ସମୟ ଦେବାକୁ ମନା କରିଥିଲେ।

ସେହିପରି ମୋ ଝିଅ କ୍ୱାର୍ଟରଲୀ ପରୀକ୍ଷା ଦେଇପାରିବ ନାହିଁ ବୋଲି ସେ କହିଥିଲେ। ତା’କୁ ସ୍କୁଲରେ ହଇରାଣ କରାଯିବା ସହ ନାନା ପ୍ରକାରର ମାନସିକ ନିର୍ଯାତନା ଦିଆଯାଇଥିଲା। ଏହାପରେ ସେ ଘରକୁ ଫେରୁ ଥିବା ବେଳେ ନିର୍ଯାତନା ସହି ନ ପାରି ଅଧା ରାସ୍ତାରେ ଟଳି ପଡ଼ିଥିଲା। ଶେଷରେ ହି କାରଣ ପାଇଁ ତା’ର ମୃତ୍ୟୁ ଘଟିଛି।”

ଉନ୍ନାଓ ଏସପି ଆନନ୍ଦ କୁଲକର୍ଣ୍ଣୀ ଘଟଣାର ବିସ୍ତୃତ ତଦନ୍ତ କରାଯିବ ବୋଲି କହିଛନ୍ତି। ସେ କହିଛନ୍ତି, ଗୁରୁବାର ଆମେ ଅଭିଯୋଗ ପାଇଛୁ। ଆମେ ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ପରେ ମାମଲା କରିଛୁ। ଆମେ ଅନ୍ୟ ଛାତ୍ରଛାତ୍ରୀ ଓ ସ୍କୃଲ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରି ସତ୍ୟ କ’ଣ, ତା’ହା ବାହାର କରିବୁ। ପ୍ରିନ୍ସିପାଲଙ୍କ ବିରୋଧରେ ମଧ୍ୟ ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।