ମାଓବାଦୀ ଲିଙ୍କ ମାମଲା: ଦୋଷମୁକ୍ତ ହେଲେ ଜିଏନ ସାଇବାବା

ନୂଆଦିଲ୍ଲୀ: ମାଓବାଦୀ ଲିଙ୍କ ଯୋଗୁ ଗିରଫ ହୋଇ ଦୀର୍ଘ ବର୍ଷ ହେଲା ଜେଲ୍‌ରେ ଥିବା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଜିଏନ ସାଇବାବା ଦୋଷମୁକ୍ତ ହୋଇଛନ୍ତି। ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ତାଙ୍କୁ ପୂରା ମାମଲାରେ ନିର୍ଦ୍ଦୋଷ ବୋଲି କହିବା ସହ ତୁରନ୍ତ ଜେଲ୍‌ରୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ରୋହିତ ଦେଓ ଓ ଜଷ୍ଟିସ ଅନିଲ ପାନସାରେଙ୍କ ନେଇ ଗଠିତ ଗୋଟିଏ ଡିଭିଜନ ବେଞ୍ଚ ଏପରି ନିର୍ଦ୍ଦେଶ ଦେଇଛନ୍ତି। ୨୦୧୭ରେ ଜିଏନ ସାଇବାବାଙ୍କୁ ମାଓବାଦୀ ଲିଙ୍କ ଅଭିଯୋଗରେ ଗୋଟିଏ ଟ୍ରାଏଲ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ଏହା ବିରୋଧରେ ସେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବମ୍ବେ ହାଇକୋର୍ଟ ଏହାକୁ ଗ୍ରହଣ କରି ତାଙ୍କୁ ଦୋଷମୁକ୍ତ କରିଛନ୍ତି। ଶାରୀରିକ ଅସୁସ୍ଥ ଯୋଗୁ ହ୍ୱିଲ ଚେୟାରର ବ୍ୟବହାର କରୁଥିବା ଜିଏନ ସାଇବାବା ଏବେ ନାଗପୁର ସେଣ୍ଟ୍ରାଲ ଜେଲରେ ରହିଛନ୍ତି।

କେବଳ ଜିଏନ ସାଇବାବ ନୁହନ୍ତି ଏହି ତଥାକଥିତ ମାଓବାଦୀ ଲିଙ୍କ ମାମଲାରେ ଆଉ ୫ ଜଣ ଅଭିଯୁକ୍ତଙ୍କ ଆବେଦନ କରି ଖଣ୍ଡପୀଠ ସେମାନଙ୍କୁ ମଧ୍ୟ ଦୋଷମୁକ୍ତ କରିଛନ୍ତି। ହେଲେ ପରିତାପର ବିଷୟ ଯେ ନ୍ୟାୟ ପାଇବାକୁ ଅପେକ୍ଷା କରି ୫ ଜଣଙ୍କ ମଧ୍ୟର ଜଣେ ଅଭିଯୁକ୍ତ ଆଉ ଏ ଦୁନିଆରେ ନାହାନ୍ତି। ଖଣ୍ଡପୀଠ କହିଛନ୍ତି, ଅଭିଯୁକ୍ତମାନଙ୍କ ନାଁରେ ଯଦି ଆଉ କୌଣସି ମାମଲା ନାହିଁ, ତା’ହେଲେ ସେମାନଙ୍କୁ ତୁରନ୍ତ ଜେଲରୁ ଖଲାସ କରାଯାଉ।

୨୦୧୭ ମାର୍ଚ୍ଚ ମାସରେ ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାର ଗୋଟିଏ ସେସନ୍ସ କୋର୍ଟ ସାଇବାବାଙ୍କ ସମେତ ଜଣେ ସାମ୍ବାଦିକ ଓ ଜଣେ ଜେଏନୟୁ ଛାତ୍ରଙ୍କ ସମେତ ୬ ଜଣଙ୍କୁ ମାଓବାଦୀ ଲିଙ୍କରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏମାନେ ମାଓବାଦୀଙ୍କ ସହ ମିଶି ଦେଶ ବିରୋଧରେ କାମ କରୁଥିବା କୋର୍ଟ କହିଥିଲେ। ୟୁଏପିଏ ଓ ଆଇପିସିର ବିଭିନ୍ନ ଦଫାରେ ସେମାନଙ୍କୁ ଦଣ୍ଡବିଧାନ କରାଯାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।