ହାଇକୋର୍ଟଙ୍କ ରାୟ ଉପରେ ଲାଗିଲା ରୋକ୍‌, ଜେଲରେ ରହିବେ ସାଇବାବା

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଜିଏନ ସାଇବାବାଙ୍କୁ ସୁପ୍ରିମ ଝଟକା। ମାଓବାଦୀ ଲିଙ୍କରେ ୨୦୧୭ରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲଦଣ୍ଡ ପାଇଥିବା ଥିବା ସାଇବାବାଙ୍କୁ ତୁରନ୍ତ ଖଲାସ କରିବାକୁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ରାୟ ଉପରେ ଆଜି ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। ଏହାର ଅର୍ଥ ସାଇବାବାଙ୍କୁ ଜେଲରେ ରହିବାକୁ ପଡ଼ିବ।

ବମ୍ବେ ହାଇକୋର୍ଟ ସାଇବାବାଙ୍କ ସମେତ ଆଉ ୫ ଜଣଙ୍କୁ ମଧ୍ୟ ମାଓବାଦୀ ଲିଙ୍କରେ ଦୋଷମୁକ୍ତ କରିଥିଲେ। କିନ୍ତୁ ଏହା ବିରୋଧରେ ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ସାଇବାବାଙ୍କ ରିଲିଜ ଉପରେ ରୋକ ଲଗାଇ ଦେଇଛନ୍ତି। ଏଥିସହ ସାଇବାବା ଓ ଦୋଷମୁକ୍ତ ହୋଇଥିବା ଅନ୍ୟମାନଙ୍କୁ ଜବାବ ଦାଖଲ କରିବାକୁ କହିଛନ୍ତି। ଡିସେମ୍ବର ୮ରେ ମାମଲା ପରବର୍ତ୍ତୀ ଶୁଣାଣି ହେବ।

ସୁପ୍ରିମକୋର୍ଟ କହିଛନ୍ତି, “ଅଭିଯୁକ୍ତମାନଙ୍କୁ ଘଟଣାର ସବୁ ପ୍ରମାଣକୁ ଯାଞ୍ଚ କରି ଦୋଷୀ ସାବ୍ୟସ୍ତ କରାଯାଇଥିଲା। ସେମାନଙ୍କ ବିରୋଧରେ ଆସିଥିବା ଅଭଯୋଗ ଅତ୍ୟନ୍ତ ସମ୍ବେଦନଶୀଳ। ଏହା ସମାଜର ସ୍ୱାର୍ଥ ବିରୋଧୀ। ଭାରତର ସାର୍ବଭୌମତ୍ତ୍ୱ ଓ ଅଖଣ୍ଡତା ପ୍ରତି ମଧ୍ୟ ଏହା ବିପଦ ସୃଷ୍ଟି କରୁଛି।” ଏହାପରେ ବମ୍ବେ ହାଇକୋର୍ଟ ଅକ୍ଟୋବର ୧୪ରେ ଦେଇଥିବା ରାୟକୁ ସୁପ୍ରିମକୋର୍ଟ ନିଲମ୍ବିତ କରିଛନ୍ତି।

ଆଜି ଶନିବାର ହୋଇଥିଲେ ମଧ୍ୟ ଜଷ୍ଟିସ ଏମଆର ଶାହ ଓ ଜଷ୍ଟିସ ବେଲା ଏମ ତ୍ରିବେଦୀ ଆବେଦନର ଶୁଣାଣି କରିଥିଲେ। ଏଥିସହ ଜିଏନ ସାଇବାବାଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ସାଇବାବା ନିଜର ଶାରୀରିକ ଅକ୍ଷମତା ଓ ଅସୁସ୍ଥତା କାରଣରୁ ମାମଲାର ଚୂଡ଼ାନ୍ତ ରାୟ ଆସିବା ପର୍ଯ୍ୟନ୍ତ ଗୃହବନ୍ଦୀ ଭାବେ ରହିବାକୁ ଅନୁମତି ମିଳୁ ବୋଲି ଅନୁରୋଧ କରିଥିଲେ।

ତାଙ୍କ ଓକିଲ ବସନ୍ତ କୁମାର ଦୁଇ ଜଣିଆ ଖଣ୍ଡପୀଠକୁ କହିଥିଲେ ଯେ “ମୋ କ୍ଲାଏଣ୍ଟ ୯୦% ଶାରୀରିକ ଭାବେ ଅକ୍ଷମ। ତାଙ୍କର ଏକାଧିକ ରୋଗ ମଧ୍ୟ ରହିଛି। ତାଙ୍କର ୨୩ ବର୍ଷୀୟ ଝିଅ ଓ ପତ୍ନୀ ଘରେ ରହିଛନ୍ତି। ତାଙ୍କ ହାଡ଼ ଫୁସଫୁସକୁ ଛୁଇଁଲା। ଏହା ଆଗକୁ ଆହୁରି ସମସ୍ୟା କରିପାରେ। ଏହି ସବୁ କଥାକୁ ବିଚାରକୁ ତାଙ୍କୁ ପୁଣି ଜେଲକୁ ନିଆ ନଯାଉ।”

ଏହାକୁ ବିରୋଧ କରି ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ, “ବର୍ତ୍ତମାନ ଗୋଟିଏ ଟ୍ରେଣ୍ଡ ଆରମ୍ଭ ହୋଇଛି। ଅର୍ବାନ ନକ୍ସଲମାନେ ଗୃହବନ୍ଦୀ ପାଇଁ ଆବେଦନ କରୁଛନ୍ତି। କିନ୍ତୁ ଘରୁ ଥାଇ ମଧ୍ୟ ସବୁ କିଛି କରାଯାଇ ପାରିବ। ତେଣୁ ଗୃହବନ୍ଦୀ କେବେ ହେଲେ ଗୋଟିଏ ବିକଳ୍ପ ହୋଇପାରିବ ନାହିଁ।”

ଗୃହବନ୍ଦୀ ଆବେଦନକୁ ଅଗ୍ରାହ୍ୟ କରି ଜଷ୍ଟିସ ଶାହ କହିଛନ୍ତି, “ଆମେ କେବଳ ଏହି ମାମଲା ନୁହେଁ, ସବୁ କଥାକୁ ବିଚାରକୁ ନେଇ କିଛି କହିବାକୁ ଚାହୁଁଛୁ। ମସ୍ତିଷ୍କ ହେଉଛି ସବୁଠାରୁ ବଡ଼ ବିପଦଜନକ ଜିନିଷ। ଆତଙ୍କବାଦୀ ଓ ମାଓବାଦୀଙ୍କ ପାଇଁ ମସ୍ତିସ୍କ ହେଉଛି ସବୁ କିଛି। ସେମାନଙ୍କୁ ନିଜର କାର୍ଯ୍ୟକଳାପ ପାଇଁ ଶରୀରର ଆବଶ୍ୟକ ନାହିଁ।”

୨୦୧୭ରେ ଜିଏନ ସାଇବାବାଙ୍କୁ ମାଓବାଦୀ ଲିଙ୍କ ଅଭିଯୋଗରେ ଗୋଟିଏ ଟ୍ରାଏଲ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ଏହା ବିରୋଧରେ ସେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବମ୍ବେ ହାଇକୋର୍ଟ ଏହାକୁ ଗ୍ରହଣ କରି ତାଙ୍କୁ ଦୋଷମୁକ୍ତ କରିଥିଲେ। ଶାରୀରିକ ଅସୁସ୍ଥ ଯୋଗୁ ହ୍ୱିଲ ଚେୟାରର ବ୍ୟବହାର କରୁଥିବା ଜିଏନ ସାଇବାବା ଏବେ ନାଗପୁର ସେଣ୍ଟ୍ରାଲ ଜେଲରେ ରହିଛନ୍ତି।

କେବଳ ଜିଏନ ସାଇବାବ ନୁହନ୍ତି ଏହି ତଥାକଥିତ ମାଓବାଦୀ ଲିଙ୍କ ମାମଲାରେ ଆଉ ୫ ଜଣ ଅଭିଯୁକ୍ତଙ୍କ ଆବେଦନ କରି ଖଣ୍ଡପୀଠ ସେମାନଙ୍କୁ ମଧ୍ୟ ଦୋଷମୁକ୍ତ କରିଥିଲେ। ହେଲେ ପରିତାପର ବିଷୟ ଯେ ନ୍ୟାୟ ପାଇବାକୁ ଅପେକ୍ଷା କରି ୫ ଜଣଙ୍କ ମଧ୍ୟର ଜଣେ ଅଭିଯୁକ୍ତ ଆଉ ଏ ଦୁନିଆରେ ନାହାନ୍ତି।
୨୦୧୭ ମାର୍ଚ୍ଚ ମାସରେ ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାର ଗୋଟିଏ ସେସନ୍ସ କୋର୍ଟ ସାଇବାବାଙ୍କ ସମେତ ଜଣେ ସାମ୍ବାଦିକ ଓ ଜଣେ ଜେଏନୟୁ ଛାତ୍ରଙ୍କ ସମେତ ୬ ଜଣଙ୍କୁ ମାଓବାଦୀ ଲିଙ୍କରେ ଦୋଷୀ ସାବ୍ୟସ୍ତ କରିଥିଲେ।

ଏମାନେ ମାଓବାଦୀଙ୍କ ସହ ମିଶି ଦେଶ ବିରୋଧରେ କାମ କରୁଥିବା କୋର୍ଟ କହିଥିଲେ। ୟୁଏପିଏ ଓ ଆଇପିସିର ବିଭିନ୍ନ ଦଫାରେ ସେମାନଙ୍କୁ ଦଣ୍ଡବିଧାନ କରାଯାଇଥିଲା। ଏହି ଅଭିଯୋଗରେ ସାଇବାବା ଓ ଅନ୍ୟମାନଙ୍କୁ ୨୦୧୪ ଫେବୃଆରୀ ମାସରେ ଗିରଫ କରାଯାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।