କଂଗ୍ରେସକୁ କହୁଥିଲେ, ଏବେ ନିଜ ମୁଖ୍ୟମନ୍ତ୍ରୀ ସମାନ ଅଭିଯୋଗରେ ଫସିଲେ

ମାଙ୍ଗାଲୁରୁ: ଆମିଁଷ ଖାଇ କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମୈୟା ମନ୍ଦିର ଯାଇଥିବା ଅଭିଯୋଗ କରି ବିଜେପି ବେଶ ତମ୍ବିତୋଫାନ କରିଥିଲା। ଏପରି କରି କଂଗ୍ରେସ ଓ ସିଦ୍ଧରମୈୟା ହିନ୍ଦୁ ଧର୍ମକୁ ଅପମାନିତ କରିଥିବା ମଧ୍ୟ ବିଜେପି କହିଥିଲା। ହେଲେ ଏବେ ବିଜେପିର ବରିଷ୍ଠ ନେତା ତଥା ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ନାଁରେ ସମାନ ଅଭିଯୋଗ ଆସିଛି।

ମୁଖ୍ୟମନ୍ତ୍ରୀ ସାୱନ୍ତ ଆମିଁଷ ଭକ୍ଷଣ କରି ଉଡପୀର ଶ୍ରୀ କୃଷ୍ଣ ମନ୍ଦିରକୁ ଯାଇଥିଲେ ବୋଲି କଂଗ୍ରେସ ଅଭିଯୋଗ କରିଛି। ଉଡପୀ କଂଗ୍ରେସର ବ୍ଲକ ସଭାପତି ରମେଶ କାଞ୍ଚନ ଏପରି ଅଭିଯୋଗ ଆଣିବା ସହ ବିଜେପିର ଦୋମୁହାଁ ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବିଜେପି ପୂର୍ବରୁ ସମାନ କଥା କହି ସିଦ୍ଧରମୈୟାଙ୍କୁ ସମାଲୋଚନା କରିଥିଲା। କିନ୍ତୁ ଏବେ ତାଙ୍କ ଦଳର ନେତା ମଧ୍ୟ ସମାନ ଦୋଷ କରିଛନ୍ତି। ଏବେ ବିଜେପି କ’ଣ କହିବ?

ଆମିଁଷ ଖାଇ ମୁଖ୍ୟମନ୍ତ୍ରୀ ସାୱନ୍ତ କେବଳ ଶ୍ରୀ କୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା କରି ନାହାନ୍ତି ବରଂ ସେ ପ୍ରୟାୟା ଗୁରୁଙ୍କ ଠାରୁ ପ୍ରସାଦ ମଧ୍ୟ ଗ୍ରହଣ କରିଛନ୍ତି। କ’ଣ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ କଂଗ୍ରେସ ନେତାମାନଙ୍କୁ ସାମଲୋଚନାର କରିବାର ନୈତିକ ଅଧିକାର ଏବେ ଆଉ ବିଜେପି ପାଖରେ ଅଛି? ପ୍ରଥମେ ସେମାନେ ଅନ୍ୟର ଭୁଲ ବାଛିବା ପୂର୍ବରୁ ନିଜ କଥା ଚିନ୍ତା କରନ୍ତୁ ବୋଲି ରମେଶ କହିଛନ୍ତି।

ଅନ୍ୟପକ୍ଷରେ ବିଜେପି ଏପରି ଅଭିଯୋଗରେ କୌଣସି ସତ୍ୟତା ନଥିବା କହିଛି। ବିଜେପିର ଉଡପୀ ସିଟି ସଭାପତି ମହେଶ ଠାକୁର ଏପରି ଅଭିଯୋଗକୁ ମୂଲ୍ୟହୀନ କହିବା ସହ ବିଜେପିର ଲୋକପ୍ରିୟତାରେ କଂଗ୍ରେସ ବିଚଳିତ ବୋଲି ମତ ରଖିଛନ୍ତି। ସାୱନ୍ତ ଓ ଅନ୍ୟ ଅତିଥିଙ୍କ ପାଇଁ ଲଞ୍ଚ ପାର୍ଟିର ଆୟୋଜନ କରିଥିବା ପ୍ରସାଦ ନେତ୍ରାଳୟ ସୁପର ସ୍ପେଶାଲିଟି ଆଇ ହସ୍ପିଟାଲର ନିର୍ଦ୍ଦେଶ ଡା. କୃଷ୍ଣ ପ୍ରସାଦ କହିଛନ୍ତି, ଅନ୍ୟମାନେ ଆମିଁଷ ଖାଇଥିବା ବେଳେ ଗୋଆ ମୁଖ୍ୟମନ୍ତ୍ରୀ ସାୱନ୍ତ ଭେଜ୍‌ ଖାଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।