ମୂଷା ନେଇଯାଇଥିଲା ୫ ଲକ୍ଷ ଟଙ୍କାର ସୁନା, ଉଦ୍ଧାର କଲା ପୁଲିସ

ମୁମ୍ବାଇ: ଡ୍ରେନରେ ଗାତ କରି ରହୁଥିବା ମୂଷାମାନଙ୍କ ଠାରୁ ମିଳିଛି ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର। ଗୋଟିଏ ବ୍ୟାଗରେ ଏହି ସୁନା ଅଳଙ୍କାର ରହିଥିବା ବେଳେ ଏହାକୁ ମୂଷାମାନେ ଗାତ ମଧ୍ୟକୁ ନେଇ ଯାଇଥିଲେ। ପୁଲିସ୍ ଏହାକୁ ଯାଞ୍ଚ କରି ଗାତ ମଧ୍ୟରୁ ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗକୁ ଉଦ୍ଧାର କରିଛି।
ପୁଲିସ୍ କହିଛି ଯେ ଅଳଙ୍କାର ଥିବା ବ୍ୟାଗଟି ୪୫ ବର୍ଷୀୟ ସୁନ୍ଦରୀ ପ୍ଲାନିବେଲଙ୍କର। ସେ ଗୋରେଗାଓଁର ଗୋକୁଳଧାମ କଲୋନୀରେ ଘରୋଇ ସହାୟକ ଭାବେ କାମ କରନ୍ତି। ଘଟଣା ଦିନ ସେ ବ୍ୟାଙ୍କରେ ୫ ଲକ୍ଷ ଟଙ୍କାର ସୁନା ଗହଣା ଜମା କରିବାକୁ ଯାଉଥିଲେ। ଏହି ସମୟରେ ସେ ରାସ୍ତାରେ ବୁଲୁଥିବା ଦୁଇ ଜଣ ପିଲାଙ୍କୁ ତାଙ୍କର ବଡ଼ାପାଓ ଥିବା ବ୍ୟାଗ ଦେଇଥିଲେ।
ତେବେ ସୁନ୍ଦରୀ ବ୍ୟାଙ୍କରେ ପହଞ୍ଚିବା ପରେ ଜାଣିବାକୁ ପାଇଥିଲେ ଯେ ସେ ତାଙ୍କର ସୁନା ଅଳଙ୍କାର ମଧ୍ୟ ଉକ୍ତ ବଡ଼ାପାଓ ବ୍ୟାଗରେ ହିଁ ରଖିଥିଲେ। ତେଣୁ ସେ ତୁରନ୍ତ ଦୁଇ ପିଲାଙ୍କୁ ଖୋଜିବାରେ ଲାଗିଥିଲେ। କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲେ। ସୁନ୍ଦରୀ ବ୍ୟସ୍ତ ହୋଇ ଶେଷରେ ଦିନଦୋଶୀ ପୁଲିସ୍ର ଦ୍ୱାରସ୍ଥ ହୋଇଥିଲେ।
ପୁଲିସ୍ ଘଟଣାର ଯାଞ୍ଚ କରି ଦୁଇ ପିଲା ଓ ସେମାନଙ୍କ ମା’ଙ୍କୁ ଠାବ କରିଥିଲା। ପୁଲିସ୍ ସେମାନଙ୍କୁ ପଚରାଉଚରା କରିବା ବେଳେ ସେମାନେ ବଡ଼ପାଓ ଖାଇବାକୁ ଚାହୁଁ ନଥିବାରୁ ଉକ୍ତ ବ୍ୟାଗକୁ ନିଟକସ୍ଥ ଅଳିଆ ଗଦାରେ ଫୋପାଡ଼ି ଦେଇଥିବା କହିଥିଲେ।
ପୁଲିସ୍ ଅଳିଆ ଗଦାରେ ଯାଞ୍ଚ କରିବା ସହ ସ୍ଥାନୀୟ ଅଞ୍ଚଳର ସିସିଟିଭି ମଧ୍ୟ ଛାନଭିନ କରିଥିଲା। ସିସିଟିଭି ଯାଞ୍ଚ ବେଳେ ନିକଟସ୍ଥ ଡ୍ରେନରେ ଗାତ ଖୋଳି ରହୁଥିବା ଏକାଧିକ ମୂଷା ଉକ୍ତ ବ୍ୟାଗଟିକୁ ଅଳିଆ ଗଦାରୁ ନେଇ ଯାଇଥିବା ପୁଲିସ୍ ଜାଣିବାକୁ ପାଇଥିଲା। ଏହାପରେ ମୂଷା ଗାତ ମଧ୍ୟରୁ ସୁନ୍ଦରୀଙ୍କ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗକୁ ଉଦ୍ଧାର କରାଯାଇଛି। ବ୍ୟାଗ ମିଳିବା ପରେ ସୁନ୍ଦରୀଙ୍କୁ ପୁଲିସ୍ ପ୍ରଶାସନ ଏହାକୁ ଫେରାଇ ଦେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।