ଏପ୍ରିଲ ୫ ଯାଏ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସବୁ ଛୁଟି ବାତିଲ

ପାଟନା: ଦେଶ ତଥା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ବିହାର ସରକାର ଆଜି ବଡ଼ ପଦକ୍ଷେପ ନେଇଛନ୍ତି। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ଏପ୍ରିଲ ୫ ତାରିଖରେ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଛୁଟିକୁ ବାତିଲ କରିଦେଇଛନ୍ତି। ଏହି ନିର୍ଦ୍ଦେଶନାମା ତତ୍କାଳ ଭାବେ ଲାଗୁ ହୋଇଛି। ଏହାର ଅର୍ଥ ଏପ୍ରିଲ ୫ ଯାଏ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନିଜ ନିଜ ହସ୍ପିଟାଲରେ ଉପସ୍ଥିତ ରହିବେ।

ବୁଧବାର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ। ଏହି ସମୟରେ ସେ ସବୁ ରାଜ୍ୟର ସରକାରମାନଙ୍କୁ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରିବାକୁ କହିଥିଲେ। ବୈଠକରେ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସେ କହିଥିଲେ ଯେ ରାଜ୍ୟର କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ବିହାର ସରକାର କରୋନାର ଦ୍ୱିତୀୟ ଲହର ପାଇଁ ସତର୍କ ରହିଛନ୍ତି। ଆମେ ଖୁବଶୀଘ୍ର ସବୁ ଜିଲ୍ଲାର ପ୍ରଶାସନ ସହ ବୈଠକ କରିବୁ। ଏଥିସହ ଦୈନିକ ଟେଷ୍ଟ ସଂଖ୍ୟା ୭୦ ହଜାରରେ ପହଞ୍ଚାଇବୁ।

ବିହାରରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। କିନ୍ତୁ ଆମ ସତର୍କ ରହିବାକୁ ପଡ଼ିବ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ପରେ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଛୁଟି ବାତିଲ କରାଯାଇ ସତର୍କ ରହିବାକୁ କୁହାଯାଇଛି। ଏଥିସହ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରାଯିବ। ସେହିପରି ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ମଧ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।