୩ ବର୍ଷରେ ତେଲରୁ କେତେ ଟଙ୍କା ପାଇଛନ୍ତି ସରକାର, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ବର୍ଦ୍ଧିତ ତୈଳଦରକୁ ନେଇ ସାଧାରଣ ଲୋକ ଆଉଟ ପାଉଟ ହେଉଥିବା ବେଳେ ସରକାରଙ୍କ ରାଜସ୍ୱ ସଂଗ୍ରହ ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଛି। ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁଥିବା ଟିକସରୁ ସରକାର ୩ ବର୍ଷ ମଧ୍ୟରେ ପ୍ରାୟ ୮ ଲକ୍ଷ କୋଟି ଟଙ୍କା ହାସଲ କରିଛନ୍ତି।

ଏକଥା ନିଜେ ସରକାର ସଂସଦକୁ ଅବଗତ କରାଇଛନ୍ତି। ୮ ଲକ୍ଷ କୋଟିରୁ କେବଳ ୨୦୨୦-୨୧ ଆର୍ଥିକ ବର୍ଷରେ ୩.୭୧ ଲକ୍ଷ କୋଟି ଟଙ୍କା ଆଦାୟ ହୋଇଛି। ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକଥା କହିଛନ୍ତି।

ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁଥିବା ଟିକସ ଓ ସାଧାରଣ ଲୋକଙ୍କ ଠାରୁ ମିଳିଥିବା ଅର୍ଥ ସମ୍ପର୍କରେ ସେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି। ତାଙ୍କ ତଥ୍ୟ ଅନୁଯାୟୀ, ୨୦୧୮ ମସିହା ଅକ୍ଟୋବର ୫ ବେଳକୁ ପେଟ୍ରୋଲ ଲିଟର ଉପରେ ୧୯.୪୮ ଟଙ୍କାର ଉତ୍ପାଦ ଶୁଳ୍କ ଲାଗୁ ହେଉଥିଲା। କିନ୍ତୁ ୨୦୨୧ ନଭେମ୍ବର ୪ ସୁଦ୍ଧା ଏହା ୨୭.୯୦ ଟଙ୍କାରେ ପହଞ୍ଚିଛି। ସମାନ ସମୟରେ ଡିଜେଲ ଲିଟର ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କ ୧୫.୩୩ ଟଙ୍କାରୁ ବଢ଼ି ୨୧.୮୦ ଟଙ୍କା ଛୁଇଁଛି।

୨୦୧୮ ମସିହା ଅକ୍ଟୋବର ୫ରୁ ୨୦୧୯ ଜୁଲାଇ ୬ ମଧ୍ୟରେ ପେଟ୍ରୋଲର ଉତ୍ପାଦନ ଶୁଳ୍କ ୧୯.୪୮ ଟଙ୍କାରୁ ହ୍ରାସ ପାଇ ଏକଦା ୧୭.୯୮ ଟଙ୍କା ହୋଇଥିଲା। ସେହିପରି ଡିଜେଲ ଦାମ ସମାନ ସମୟରେ ୧୫.୩୩ ଟଙ୍କାରୁ ୧୩.୮୩କୁ କମିଥିଲା। ଏହାପରେ କିନ୍ତୁ ଏହା ବଢ଼ି ୨୧.୮୦ ଟଙ୍କାରେ ପହଞ୍ଚି ଯାଇଛି।

ପେଟ୍ରୋଲ ଓ ଡିଜେଲ ଉପରେ ସରକାର ଲାଗୁ କରୁଥିବା ଉତ୍ପାଦ ଶୁଳ୍କ ୨୦୨୧ ଫେବୃଆରୀ ୨ ଯାଏ କ୍ରମାଗତ ଭାବେ ବଢ଼ି ଚାଲିଥିଲା। ଏହି ସମୟରେ ପେଟ୍ରୋଲରୁ ୩୨.୯୮ ଟଙ୍କା ଓ ଡିଜେଲରୁ ୩୧.୮୩ ଟଙ୍କାର ଉତ୍ପାଦ ଶୁଳ୍କ ଆଦାୟ କରାଯାଉଥିଲା। ୨୦୨୧ ଫେବୃଆରୀ ୨ ପରେ ଏହା ଧୀରେଧୀରେ ହ୍ରାସ ପାଇ ନେଭମ୍ବର ୪ ସୁଦ୍ଧା ଯଥାକ୍ରମେ ୨୭.୯୦ ଟଙ୍କା ଓ ୨୧.୮୦ ଟଙ୍କା ରହିଛି।

ସେସ୍‌ ସହ ୩ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲରୁ ଟିକସ ବାବଦରେ ପ୍ରାୟ ୮ ଲକ୍ଷ କୋଟି ଟଙ୍କା ଆଦାୟ କରିଛନ୍ତି। ୨୦୧୮-୧୯ରେ ୨,୧୦,୨୮୨ କୋଟି, ୨୦୧୯-୨୦ରେ ୨,୧୯,୭୫୦ କୋଟି ଓ ୨୦୨୦-୨୧ରେ ୩,୭୧,୯୦୮ କୋଟି ଟଙ୍କା ଆଦାୟ ହୋଇଥିବା ଅର୍ଥମନ୍ତ୍ରୀ ନିର୍ମଳା କହିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ବର୍ଦ୍ଧିତ ମହଙ୍ଗା ମାଡ଼ରୁ ଲୋକଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ଦେବା ପାଇଁ ଚଳିତ ବର୍ଷ ଦୀପାବଳି ପୂର୍ବରୁ ତେଲ ଦର ଉପରେ ଲାଗୁ ହେଉଥିବା ଉତ୍ପାଦ ଶୁଳ୍କକୁ ହ୍ରାସ କରିଥିଲେ। ପେଟ୍ରୋଲ ଉପରୁ ୫ ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କା ଟିକସ ହ୍ରାସ କରାଯାଇଥିଲା। କେନ୍ଦ୍ରର ଏହି ନିଷ୍ପତ୍ତି ପରେ ଏକାଧିକ ରାଜ୍ୟ ଭାଟ ମଧ୍ୟ ହ୍ରାସ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।