‘ଯେତିକି ଗଡ଼ିବ, ସେତିକି ପଇସା’

ନୂଆଦିଲ୍ଲୀ: ବର୍ଷକ ଭିତରେ ଜାତୀୟ ରାଜପଥରୁ ହଟିବ ସମସ୍ତ ଟୋଲ୍ ପ୍ଲାଜା। ଜିପିଏସ୍ ବ୍ୟବସ୍ଥା ମାଧ୍ୟମରେ ଗାଡ଼ିଗୁଡ଼ିକଠୁ ଆଦାୟ ହେବ ଟୋଲ୍ ଫି। ଆଜି ଲୋକସଭାରେ ସ୍କ୍ରାପିଙ୍ଗ୍ ପଲିସି ଘୋଷଣା ବେଳେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ।

ପରିବହନ ମନ୍ତ୍ରୀ କହିଛନ୍ତି, ବର୍ଷକ ଭିତରେ ସାରା ଦେଶରେ ଏହି ଜିପିଏସ୍ ଇମେଜିଂ ବ୍ୟବସ୍ଥାରେ ଟୋଲ ଆଦାୟ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ଏହାଦ୍ୱାରା ରାଜପଥରେ ଲୋକମାନେ ଯେତିକି ଗାଡ଼ି ଚଳାଇବେ ସେତିକି ପଇସା ଦେବେ। ଅର୍ଥାତ୍ ଆପଣ ଯଦି ୧୦୦ କିଲୋମିଟର ରାଜପଥରେ ଗାଡ଼ି ଗଡ଼ାଇବେ ସେତିକି କିଲୋମିଟର ପାଇଁ ପଇସା ଦେବେ। ସରକାର ଏ ନେଇ ଟେକ୍ନୋଲଜି ଉପରେ ଗୁରୁତ୍ୱ ଦେଇଛନ୍ତି।

ଏଥିସହ ଆଗାମୀ ଦିନରେ ନୂଆ ଗାଡ଼ି କିଣିଲା ବେଳେ କମ୍ପାନୀ ଜିପିଏସ ଲଗାଇଦେବ। ସେହିପରି ପୁରୁଣା ଗାଡ଼ି ଗୁଡ଼ିକରେ ଜିପିଏସ ବ୍ୟବସ୍ଥା ନାହିଁ। ତେଣୁ ଟୋଲ୍ ପଇସା ଆଦାୟ କରିବା ପାଇଁ ସରକାର ମାଗଣାରେ ପୁରୁଣା ଗାଡ଼ି ଗୁଡ଼ିକରେ ଜିପିଏସ୍ ଲଗାଇବେ ବୋଲି ମନ୍ତ୍ରୀ କହିଛନ୍ତି।

ଏହାପୂର୍ବରୁ ଟୋଲ୍ ଆଦାୟ ପାଇଁ ଫାସ୍ ଟ୍ୟାଗକୁ ବାଧ୍ୟତାଳମୂଳକ କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଆଉ ୭ ପ୍ରତିଶତ ଗାଡ଼ି ଫାସଟ୍ୟାଗ୍ ଲଗାଇ ନଥିବାରୁ ଏଭଳି ଗାଡ଼ି ଗୁଡ଼ିକୁ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ରାସ୍ତାରୁ ପୁରୁଣା ଗାଡ଼ି ହଟାଇ ନେବାକୁ କେନ୍ଦ୍ର ସରକାର ଆଣିବାକୁ ଯାଉଥିବା ସ୍କ୍ରାପିଙ୍ଗ୍ ପଲିସି ସମସ୍ତଙ୍କୁ ସୁହାଇବ ବୋଲି ଗଡ଼କରୀ କହିଛନ୍ତି।

ସ୍କ୍ରାପିଙ୍ଗ ପଲିସିରେ ନୂଆ ଗାଡ଼ି ମୂଲ୍ୟର ୪ରୁ୬ ପ୍ରତିଶତ ସ୍କ୍ରାପ୍ ମୂଲ୍ୟ, ଘରୋଇ ଗାଡ଼ି କ୍ଷେତ୍ରରେ ୨୫ ପ୍ରତିଶତ ଓ କମର୍ଶିଆଲ୍ ଗାଡ଼ି କ୍ଷେତ୍ରରେ ୧୫ ପ୍ରତିଶତ ରୋଡ୍ ଟ୍ୟାକ୍ସ ଛାଡ଼ ପାଇଁ ରାଜ୍ୟ ସରକାରଗୁଡ଼ିକୁ ପରାମର୍ଶ ଏବଂ ସ୍କ୍ରାପ୍ ସାର୍ଟିଫିକେଟ୍ ବଦଳରେ ନୂଆ ଗାଡ଼ି ମୂଲ୍ୟରେ ୫ ପ୍ରତିଶତ ରିବେଟ୍ ଦେବାକୁ ଗାଡ଼ି ନିର୍ମାତାଙ୍କୁ କୁହାଯାଇପାରେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।