ବାହାଘର ଉପରେ ଲାଗିଥିବା କଟକଣାକୁ ହଟାଇଲେ ସରକାର

ଲକ୍ଷ୍ନୌ: ମହାମାରୀ କରୋନା ପାଇଁ ବାହାଘର ଓ ସର୍ବସାଧାରଣରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମ ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି ଉତ୍ତର ପ୍ରଦେଶ ସରକାର। ପୂର୍ବରୁ ବାହାଘରରେ ୧୦୦ରୁ ଅଧିକ ଲୋକ ଯୋଗ ଦେଇପାରିବେ ନାହିଁ ବୋଲି ସରକାର କହିଥିଲେ।

କିନ୍ତୁ ଏହି ୧୦୦ ଜଣିଆ ନିୟମକୁ ପ୍ରତ୍ୟାହାର କରି ନିଆଯାଇଛି। ଏହାର ଅର୍ଥ ୧୦୦ରୁ ଅଧିକ ଲୋକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେଇ ପାରିବେ। ସରକାର ବାହାଘରରେ ଅତିଥି ସଂଖ୍ୟା ଉପରେ ଲାଗିଥିବା କଟକଣାକୁ ହଟାଇଥିଲେ ହେଁ ସମସ୍ତଙ୍କୁ କୋଭିଡ ନିୟମ ପାଳନ କରିବାକୁ କହିଛନ୍ତି।

ଖାଲି ସେତିକି ନୁହେଁ, ଖୋଲା ସ୍ଥାନରେ ବିଭିନ୍ନ ମେଳା ଓ ମହୋତ୍ସବ ପାଇଁ ମଧ୍ୟ ସରକାର ଅନୁମତି ଦେଇଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ସଚିବ (ଗୃହ) ଅବିନାଶ ଅବସ୍ତୀ ଗୋଟିଏ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିରେ କୁହାଯାଇଛି ଯେ ଖୋଲା ସ୍ଥାନରେ ଅନୁଷ୍ଠିତ ହେଉଥିବା ସମସ୍ତ ବାହାଘର ଓ ଧାର୍ମିକ କାର୍ଯ୍ୟକ୍ରମରେ ଏଣିକି ୧୦୦ରୁ ଅଧିକ ଲୋକ ଏକାଠି ହୋଇପାରିବେ।

ତେବେ କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ସ୍ଥାନର ଆକାରକୁ ଦେଖି ଅତିଥିଙ୍କ ସଂଖ୍ୟା ଧାର୍ଯ୍ୟ କରାଯିବ। କାର୍ଯ୍ୟକ୍ରମରେ କୋଭିଡ ପ୍ରୋଟକଲ କଡ଼ାକଡ଼ି ଭାବେ ପାଳନ ହେବ। କାର୍ଯ୍ୟକ୍ରମର ପ୍ରବେଶ ପଥରେ କୋଭିଡ ହେଲ୍ପ ଡେସ୍କ ମଧ୍ୟ ପ୍ରତିଷ୍ଠା କରାଯିବ ବୋଲି ସରକାର କହିଛନ୍ତି।


ସରକାର ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମକୁ ମଧ୍ୟ ଅନୁମତି ଦେଇଛନ୍ତି। ଦୁର୍ଗାପୂଜା ଓ ରାମଲୀଲା ମୋର୍ଚ୍ଚା ପାଇଁ ସରକାର ପେଣ୍ଡାଲ ତିଆରି କରିବାକୁ ଗ୍ରୀନ ସିଗ୍ନାଲ ଦେଇଛନ୍ତି। ହେଲେ ଏହାଦ୍ୱାରା ଯେମିତି ଟ୍ରାଫିକ ସମସ୍ୟା ସୃଷ୍ଟି ନ ହେବ, ତା’ର ବ୍ୟବସ୍ଥା କରିବାକୁ କୁହାଯାଇଛି। ପାରମ୍ପରିକ ପଦ୍ଧତିରେ ମୂର୍ତ୍ତି ତିଆରି କରିବାକୁ କୁହାଯାଇଥିଲେ ହେଁ ଏହାକୁ ଯଥା ସମ୍ଭବ ଛୋଟ ରଖିବାକୁ ପରାମର୍ଶ ଦିଆଯାଇଛି।

ବିସର୍ଜନ ସମୟରେ ଛୋଟ ଗାଡ଼ିର ବ୍ୟବହାର ହେବ ଓ ଅଳ୍ପ ସଂଖ୍ୟକ ଲୋକ ଶୋଭାଯାତ୍ରାରେ ସାମିଲ ହେବେ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।