ଏପ୍ରିଲ ପାଇଁ କରୋନା ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବା ବେଳେ ଆଜି କେନ୍ଦ୍ର ସରକାର ଏପ୍ରିଲ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ଥାନୀୟ ପ୍ରଶାସନ ଯାହା କଟକଣା ଚାହିଁବ ଲଗାଇ ପାରିବ ବୋଲି ଗାଇଡଲାଇନରେ କୁହାଯାଇଛି। ଏହାର ଅର୍ଥ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ଲକଡାଉନ ଓ ଶଟଡାଉନ ଭଳି ପଦକ୍ଷେପ ନେଇପାରିବେ। ତେବେ ଏହାପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଲକଡାଉନ ଓ ଶଟଡାଉନ ପାଇଁ ଜାରି କରିଥିବା ଗାଇଡଲାଇନକୁ ପାଳନ କରିବାକୁ ହେବ।

ସେହିପରି ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ଗାଇଡଲାଇନରେ କୁହାଯାଇଛି। ଯେଉଁ ସବୁ ରାଜ୍ୟରେ ଆରଟିପିସିଆର ଟେଷ୍ଟ କମ ରହିଛି, ତା’କୁ ବୃଦ୍ଧି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଅତି କମରେ ୭୦% ଆରଟିପିସିଆର ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି। ଗାଇଡଲାଇନରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟ ଭିତରେ ଓ ଆନ୍ତଃରାଜ୍ୟ ଚଳାଚଳ ପୂର୍ବଭଳି ଜାରି ରହିବ। କରୋନା କଟକଣା ମାନି ସିନେଲା ହଲ, ମଲ ଓ ମାର୍କେଟ ଖୋଲି ପାରିବ।

ସ୍ଥାନୀୟ ପ୍ରଶାସନ କରୋନା କଟକଣା ପାଳନ ହେଉଛି କି ନାହିଁ, ତା’ର କଡ଼ାକଡ଼ି ଭାବେ ଯାଞ୍ଚ କରିବ। ଦରକାର ପଡ଼ଲେ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ କଟକଣା ମଧ୍ୟ ଲାଗୁ କରିପାରିବ। ସୁବଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କଣ୍ଟେନମେଣ୍ଟ ଜୋନ୍‌ରେ ଏପ୍ରିଲ ଶେଷ ଯାଏ ଲକଡାଉନ ବଳବତ୍ତର ରହିବ। ଏଠାରେ କେବଳ ଜରୁରୀ ସେବା ବ୍ୟତୀତ ଆଉ ସବୁ କିଛି ବନ୍ଦ ରହିବ। କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିବା ପୂର୍ବରୁ ସ୍ଥାନୀୟ ପ୍ରଶାସନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସବୁ ଗାଇଡଲାଇନକୁ ପାଳନ କରିବେ। ସେହିପରି ଜିଲ୍ଲାର ୱେବସାଇଟରେ କଣ୍ଟେନମେଣ୍ଟ ସମ୍ପର୍କରେ ସମସ୍ତ ତଥ୍ୟ ରହିବ। ନୂଆ ଗାଇଡଲାଇନ ଏପ୍ରିଲ ୧ରୁ ଲାଗୁ ହେବ।


କରୋନା ସଂକ୍ରମଣ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବଢ଼ୁଥିବାରୁ ଗାଇଡଲାଇନରେ ଆକ୍ଟିଭ ସର୍ଭେଲାନ୍ସ ଉପରେ ଧ୍ୟାନ ଦେବାକୁ କୁହାଯାଇଛି। କରୋନା ଆକ୍ରାନ୍ତ ହେଉଥିବା ଲୋକଙ୍କୁ ତୁରନ୍ତ ଚିହ୍ନଟ କରି ଆଇସୋଲେସନ କରିବାକୁ ଗାଇଡଲାଇନରେ କୁହାଯାଇଛି।

କଟକଣା ମାନି ଶିକ୍ଷାନୁଷ୍ଠାନ ଓ ରେଷ୍ଟୁରାଣ୍ଟ କାର୍ଯ୍ୟକ୍ଷମ ହୋଇପାରିବ। ସମସ୍ତେ କରୋନା କଟଣାକୁ ମାନିବାକୁ ବାଧ୍ୟ ବୋଲି ଗାଇଡଲାଇନରେ ସ୍ୱତନ୍ତ୍ର ଭାବେ କୁହାଯାଇଛି। ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ମଧ୍ୟ କୁହାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।