ମହଙ୍ଗା ପଡ଼ିଲା ଆତଙ୍କୀ ଲିଙ୍କ୍, ବିଦା ହେଲେ ୧୧ ସରକାରୀ କର୍ମଚାରୀ

ଶ୍ରୀନଗର: ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ଘଟଣାରେ ଜମ୍ମୁ-କଶ୍ମୀର ପ୍ରଶାସନ ୧୧ ଜଣ ସରକାରୀ କର୍ମଚାରୀଙ୍କୁ ବରଖାସ୍ତ କରିଛନ୍ତି। ଏମାନଙ୍କ ମଧ୍ୟରେ ୨ ଜଣ କନଷ୍ଟେବଲ, ହିଜବୁଲ ମୁଜାହିଦ୍ଦିନର ମୁଖ୍ୟ ସୟଦ ସଲାଉଦ୍ଦିନର ଦୁଇ ପୁଅ ଓ କିଛି ଶିକ୍ଷକ ରହିଛନ୍ତି। ଏହି ୧୧ ଜଣ କର୍ମଚାରୀ ଆତଙ୍କବାଦୀଙ୍କ ଓଭର ଗ୍ରାଉଣ୍ଡ ୱାର୍କର୍ସ ବା ସହଯୋଗୀ ଭାବେ ଜମ୍ମୁ-କଶ୍ମୀରରେ କାମ କରୁଥିଲେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ପ୍ରଶାସନ କହିଛି ଯେ ବରଖାସ୍ତ ହୋଇଥିବା ୧୧ ଜଣ କର୍ମଚାରୀମାନେ ଜମ୍ମୁ-କଶ୍ମୀର ପୁଲିସ୍, ଶିକ୍ଷା, କୃଷି, ଦକ୍ଷତା ବିକାଶ, ବିଜୁଳି, ସ୍ୱାସ୍ଥ୍ୟ ଶ୍ରୀନଗରରେ ଥିବା ଶେର-ଇ-କଶ୍ମୀର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ କାମ କରୁଥିଲେ। ଚାକିରିରୁ ତଡ଼ା ଖାଇଥିବା ୧୧ ଜଣଙ୍କ ମଧ୍ୟରୁ ୪ ଜଣ ଅନନ୍ତନାଗର, ୩ ଜଣ ବଡଗାମର ହୋଇଥିବା ବେଳେ ବାରମୁଲ୍ଲା, ଶ୍ରୀନଗର, ପୁଲୱାମା ଓ କୁପୱାଡର ଜଣେ ଲେଖାଏ ସଦସ୍ୟ ରହିଛନ୍ତି।

ଭାରତୀୟ ସମ୍ବିଧାନର ଧାରା ୩୧୧ ଅନୁଯାୟୀ ଏମାନଙ୍କୁ ସରକାରୀ ଚାକିରିରୁ ବିଦା କରାଯାଇଛି। ଏହି ଧାରା ଅନୁଯାୟୀ, କୌଣସି ତଦନ୍ତ ହେବ ନାହିଁ ଓ ବରଖାସ୍ତ କର୍ମଚାରୀମାନେ କେବଳ ହାଇକୋର୍ଟରୁ ହିଁ ରିଲିଫ ପାଇପାରିବେ।

କିଛି ଦିନ ତଳେ ଆତଙ୍କୀଙ୍କ ସହ ଲିଙ୍କ ରଖିଥିବା ସନ୍ଦିଗ୍ଧଙ୍କ ଉପରେ ତଦନ୍ତ କରିବାକୁ ଜମ୍ମୁ-କଶ୍ମୀର ପ୍ରଶାସନ ଗୋଟିଏ କମିଟି ଗଠନ କରିଥିଲା। କମିଟି ତଦନ୍ତ କରି ଏହାର ଦ୍ୱିତୀୟ ବୈଠକରେ ୩ ଜଣ ଓ ୪ର୍ଥ ବୈଠକରେ ୮ ଜଣଙ୍କୁ ବରଖାସ୍ତ କରିବାକୁ ପ୍ରସ୍ତାବ ଦେଇଥିଲା।

ଶନିବାର ବରଖାସ୍ତ ହୋଇଥିବା ୧୧ ଜଣଙ୍କ ମଧ୍ୟରେ ସବୁଠାରୁ ଚର୍ଚ୍ଚିତ ନାଁ ହେଉଛି ସୟଦ ଅହମଦ ସକିଲ ଓ ଶାହିଦ ୟୁସୁଫ। ଏମାନେ ହେଉଛନ୍ତି ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ସୟିଦ ସଲାଉଦ୍ଦିନର ପୁଅ। ଜଣେ ଶିକ୍ଷା ବିଭାଗରେ ଥିବା ବେଳେ ଆଉ ଜଣେ ଶେର-ଇ-କଶ୍ମୀର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ କାମ କରୁଥିଲେ।

ଏମାନେ ଟେରର ଫଣ୍ଡିଂରେ ସାମିଲ ଥିବା ଜଣାପଡ଼ିବା ପରେ ଚାକିରି ହରାଇଛନ୍ତି। ଦୁଇ ଭାଇ ଅର୍ଥ ଯୋଗାଡ଼ କରି ହିଜବୁଲ ମୁଜାହିଦ୍ଦିନକୁ ପଠାଉଥିବା ଏନଆଇଏ ମଧ୍ୟ ତଦନ୍ତ କରି ଜାଣିବାକୁ ପାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।