ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକା ରିପୋର୍ଟକୁ ତ୍ରୁଟିପୂର୍ଣ୍ଣ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକାରେ ଭାରତ ତଳକୁ ଖସିବା ନେଇ ପ୍ରକାଶିତ ରିପୋର୍ଟ ଉପରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଆପତ୍ତି ଉଠାଇଛି। ନିର୍ଣ୍ଣୟ ପ୍ରକ୍ରିୟାକୁ ତ୍ରୁଟିପୂର୍ଣ୍ଣ କହିଛି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ। ରିପୋର୍ଟ ପବ୍ଲିକେସନ ଏଜେନ୍ସି ଗ୍ରାଉଣ୍ଡ ଲେବଲରେ ସଠିକ ଯାଂଚ କରିନଥିବା କୁହାଯାଇଛି। ଏଥିସହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, କୋଭିଡ ମହାମାରୀ ସମୟରେ ଦେଶବାସୀଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାକୁ ସରକାର ନେଇଥିବା ଅନେକ ପଦକ୍ଷେପକୁ ଏଥିରେ ଅଣଦେଖା କରାଯାଇଛି। ମାତ୍ର ୩ ହଜାର ଲୋକଙ୍କ ମତାମତ ନିଆଯାଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ସୂଚନା ଥାଉକି, ବିଶ୍ୱ କ୍ଷୁଧା ସୂଚକାଙ୍କ ଚଳିତ ବର୍ଷ ତାଲିକାରେ ଭାରତ ୧୦୭ ନମ୍ବରରେ ରହିଛି। ମୋଟ ୧୨୧ ଦେଶକୁ ନେଇ ତାଲିକା ପ୍ରକାଶ କରାଯାଇଛି। ୨୦୨୧ରେ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ୧୦୧ ନମ୍ବର ସ୍ଥାନରେ ଥିଲା। ସେତେବେଳେ ୧୧୬ ଦେଶକୁ ନେଇ ତାଲିକା ପ୍ରକାଶ କରାଯାଇଥିଲା। ଚଳିତ ବର୍ଷ ଦେଶ ସଂଖ୍ୟା ୧୨୧କୁ ବଢିଥିବା ବେଳେ ଭାରତ ୬ଟି ସ୍ଥାନ ତଳକୁ ଖସି ଯାଇଛି।

ବ଼ଡ କଥା ହେଉଛି ତାଲିକାରେ ପଡ଼ୋଶୀ ପାକିସ୍ତାନ, ବାଂଲାଦେଶ, ନେପାଳ ଓ ଶ୍ରୀଲଙ୍କା ଭାରତଠାରୁ ଉପରେ ରହିଛନ୍ତି। ତାଲିକାରେ ଭାରତର ସ୍ଥାନକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ। ୨୦୧୪ ପରେ ଦେଶର ଏଭଳି ଖରାପ ସ୍ଥିତି ହୋଇଥିବା କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ। ପ୍ରକାଶ ଯୋଗ୍ୟ ଯେ, କ୍ଷୁଧା ଓ ଅପପୁଷ୍ଟି ସ୍ଥିତିର ଯାଞ୍ଚ କରି ବିଶ୍ୱ କ୍ଷୁଧା ସୂଚକାଙ୍କ ପ୍ରସ୍ତୁତ କରାଯାଇଥାଏ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।