ବନ୍ଦ ହେବ ସବୁ ଘରୋଇ କ୍ରିପ୍ଟୋକରେନ୍ସି! ସରକାର ଆଣିବେ ନୂଆ ବିଲ୍‌

ନୂଆଦିଲ୍ଲୀ: କ୍ରିପ୍ଟୋକରେନ୍ସି ବା ଡିଜିଟାଲ ମୁଦ୍ରାକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ଗୋଟିଏ ବିଲ୍ ଆଣିବାକୁ ଯାଉଛନ୍ତି। ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ। ଏହି ସମୟରେ କେନ୍ଦ୍ର ସରକାର ପ୍ରାୟ ୨୬ଟି ବିଲ୍ ଗୃହରେ ଉପସ୍ଥାପନ କରିବେ।

ଏହା ମଧ୍ୟରେ କ୍ରିପ୍ଟୋକରେନ୍ସି ସଂକ୍ରାନ୍ତ ବିଲ୍ ମଧ୍ୟ ରହିଛି। ଏହି ପ୍ରସ୍ତାବ ବିଲର ନାମ ହେଉଛି ‘କ୍ରିପ୍ଟୋକରେନ୍ସି ଆଣ୍ଡ ଅଫିସିଆଲ୍ ଡିଜିଟାଲ୍ ମୁଦ୍ରା ବିଲ୍ ୨୦୨୧। ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ ସରକାରୀ ସୂତ୍ରରୁ ଏପରି ଖବର ପ୍ରକାଶ କରିଛି। ବିଲ୍ ଜରିଆରେ କେନ୍ଦ୍ର ସରକାର ଦେଶରେ ବ୍ୟବହାର ହେଉଥିବା ସମସ୍ତ ପ୍ରକାରର ଘରୋଇ କ୍ରିପ୍ଟୋକରେନ୍ସି ଉପରେ ବ୍ୟାନ ଲଗାଇବେ। କିନ୍ତୁ କେତେକ ନୀତିକୁ ଅନୁମତି ଦିଆଯାଇପାରେ। ଏଥିସହ ଆରବିଆଇ ଅଫିସିଆଲ ଡିଜିଟାଲ କରେନ୍ସି ତିଆରି ପାଇଁ ଗାଇଡଲାଇନ ପ୍ରସ୍ତୁତ କରିବ।

ଗତ କିଛି ଦିନ ହେବ କ୍ରିପ୍ଟୋକରେନ୍ସି ଉପରେ କଟକଣା ଲଗାଇବାକୁ ସରକାର ଆଇନ ଆଣିବାକୁ ଚିନ୍ତା କରୁଥିଲେ। ଏବେ ବିଲ୍ ଜରିଆରେ କ୍ରିପ୍ଟୋକରେନ୍ସିର ସଂଜ୍ଞା ସରକାର ଧାର୍ଯ୍ୟ କରିବେ। ଅର୍ଥାତ୍ କ୍ରିପ୍ଟୋ କ୍ଷେତ୍ରରେ କେଉଁ ସବୁ ନିୟମ ଲାଗୁ ହେବ ଓ କାହାକୁ ଅସିଦ୍ଧ ଘୋଷଣା କରାଯିବ, ସେ ବିଷୟରେ ଲୋକଙ୍କୁ ସୂଚନା ଦିଆଯିବ। ତେବେ କ୍ରିପ୍ଟୋକୁ ସରକାର ଡିଜିଟାଲ୍ ସମ୍ପତ୍ତି ମାନ୍ୟତା ପ୍ରଦାନ କରିବେ କି ନାହିଁ, ସେ ବିଷୟରେ କୌଣସି ସୂଚନା ମିଳିନାହିଁ। ବିଲ୍ ଗୃହରେ ଉପସ୍ଥାପନ କରାଯିବା ପରେ ଏନେଇ ସ୍ପଷ୍ଟ ସୂଚନା ମିଳିପାରିବ।

୨୦୧୮ରେ ଆରବିଆଇ କ୍ରିପ୍ଟୋକରେନ୍ସି ଜରିଆରେ କାରବାର ନ କରିବାକୁ ସବୁ ବ୍ୟାଙ୍କଗୁଡ଼ିକୁ କହିଥିଲା। ଏହାର ଦୁଇ ବର୍ଷ ପରେ ସୁପ୍ରିମକୋର୍ଟ କ୍ରିପ୍ଟୋକରେନ୍ସି ଉପରେ ଆଇନ ପ୍ରଣୟନ କରିବାକୁ ପରାମର୍ଶ ଦେଇଥିଲେ। କ୍ରିପ୍ଟୋକରେନ୍ସି ହେଉଛି ଯେକୌଣସି ମୁଦ୍ରାର ଏକ ଡିଜିଟାଲ୍ ମୁଦ୍ରା। ଏହା ସଂପୂର୍ଣ୍ଣ ଅନଲାଇନରେ ପରିଚାଳନା ହୋଇଥାଏ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।