ବିଜେପିର ସଫଳତା ପରେ ପଦ ଛାଡ଼ିଲେ କଂଗ୍ରେସର ଗୁଜରାଟ ମୁଖ୍ୟ

ଅହମଦାବାଦ: ପଞ୍ଚାୟତ ନିର୍ବାଚନରେ ଦଳର ଶୋଚନୀୟ ପ୍ରଦର୍ଶନ ପରେ ଗୁଜରାଟ କଂଗ୍ରେସର ମୁଖ୍ୟ ପଦରୁ ଅମିତ ଛାଭଡା ଇସ୍ତଫା ଦେଇଛନ୍ତି। ତାଙ୍କ ସହ ଗୁଜରାଟ ବିଧାନସଭାର ବିରୋଧୀ ଦଳ ନେତା ପରେଶ ଧନାନୀ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ପଞ୍ଚାୟତ ନିର୍ବାଚନରେ ଅତ୍ୟନ୍ତ ଶୋଚନୀୟ ପ୍ରଦର୍ଶନ କରିଛି। ବିଜେପି ପୁଣିଥରେ ଏଠାରେ ବାଜିମାତ କରିବାରୁ ଉଭୟ ଏଥିପାଇଁ ନିଜକୁ ଦାୟୀ କରି ନିଜ ନିଜ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି।

ଅପରାହ୍ନ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ, ବିଜେପି ଜିଲ୍ଲା ସ୍ତରୀୟ ୯୮୦ ପଞ୍ଚାୟତ ସିଟ୍‌ରୁ ୬୩୫ଟି, କଂଗ୍ରେସ ୧୨୫ଟି ଓ ଅନ୍ୟାନ୍ୟ ଦଳ ୯ଟିରେ ଜିତିଛନ୍ତି। ସେହିପରି ତହସିଲ ପଞ୍ଚାୟତର ୪୭୭୪ଟି ଆସନରୁ ବିଜେପି ୨୫୫୫ଟି, କଂଗ୍ରେସ ୯୪୮ ଓ ଅନ୍ୟାନ୍ୟ ଦଳ ୧୩୫ଟିରେ ବାଜିମାତ କରିଛନ୍ତି। ୨୭୨୦ ପୌରପାଳିକା ଆସନରୁ ବିଜେପି ଏଯାଏ ୧୮୦୬ଟି, କଂଗ୍ରେସ ୩୨୦ ଓ ଅନ୍ୟାନ୍ୟ ଦଳ ୧୩୫ଟିରେ ବିଜୟ ହାସଲ କରିଛନ୍ତି।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ମହାନଗର ନିଗମ ନିର୍ବାଚନରେ ମଧ୍ୟ ବିଜେପି କ୍ଲିନସୁଇପ କରିଥିଲା। ସୁରତରେ ବିଜେପି ୧ନଂ ସ୍ଥାନରେ ରହିଥିବା ବେଳେ ଆପ୍‌ ଦ୍ୱିତୀୟ ଓ କଂଗ୍ରେସ ତୃତୀୟକୁ ଖସି ଆସିଥିଲା। ଆଜି ପଞ୍ଚାୟତ ନିର୍ବାଚନରେ ବିଜେପିର ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଯାଏ ଗୁଜରାଟବାସୀ ଓ ଦଳୀୟ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।