ହ୍ୟାଣ୍ଡପମ୍ପରୁ ପାଣି ବଦଳରେ ବାହାରୁଛି ମଦ

ଗୁନା: ଶୀର୍ଷକ ପ‍ଢ଼ି ଆପଣ ସାମାନ୍ୟ ଆଶ୍ଚର୍ଯ୍ୟ ହେଉଥିବେ। ହ୍ୟାଣ୍ତପମ୍ପରୁ ସାଧାରଣତଃ ପାଣି ବାହାରେ। ହେଲେ କେମିତି ଏଥରୁ ମଦ ବାହାରୁଛି? କଥାଟା ଅଜବ ଲାଗିଥିଲେ ମଧ୍ୟ ମଧ୍ୟପ୍ରଦେଶର ଗୁନା ଜିଲ୍ଲା ଅନ୍ତର୍ଗତ ଭାନପୁରା ଗାଁରୁ ଏମିତି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ପୁଲିସ୍‌ ଗାଁରେ ଚାଲିଥିବା ବେଆଇନ ମଦ କାରବାର ଘଟଣାରେ ରେଡ୍‌ କରିବାକୁ ଯାଇଥିବା ବେଳେ ଗୋଟିଏ କ୍ଷେତରେ ଲାଗିଥିବା ହ୍ୟାଣ୍ଡପମ୍ପରୁ ପାଣି ବଦଳରେ ମଦ ବାହାରୁଥିବା ଦେଖିବାକୁ ପାଇଛି। ପୁଲିସ୍‌ ଏହା ପଛର ରହସ୍ୟ ଉନ୍ମୋଚନ କରିବା ସହ ବିପୁଳ ପରିମାଣର ଦେଶୀ ମଦ ଜବତ କରିଛି।

ସୋମବାର ପୁଲିସ୍‌ ଭାନପୁରା ଗାଁରେ ରେଡ କରିଥିଲା। ଏହି ସମୟରେ ମାଟି ତଳେ ପୋତା ହୋଇଥିବା ୮ ଡ୍ରମ ଦେଶୀ ମଦ ଜବତ କରିଥିଲା। ଗୋଟିଏ ଚାଷ ଜମିକୁ ଖୋଳି ଡ୍ରମ୍ପ ଭିତରେ ଏପରି ମଦକୁ ଲୁଚାଇ ରାଖାଯାଇଥିଲା। ଡ୍ରମ ମାଟି ତଳେ ରହିଥିବା ବେଳେ ଏହାକୁ ଗୋଟିଏ ହ୍ୟାଣ୍ଡପମ୍ପ ସହ ଯୋଡ଼ା ଯାଇଥିଲା।

ପୁଲିସ୍‌ କର୍ମଚାରୀମାନେ ହ୍ୟାଣ୍ଡପମ୍ପକୁ ପମ୍ପିଂ କରିବାରୁ ପାଣି ବଦଳରେ ତା’ ଭିତରୁ ମଦ ବାହାରିବାରେ ଲାଗିଥିଲା। ହ୍ୟାଣ୍ଡପମ୍ପର ସମ୍ମୁଖ ଭାଗରେ ଗୋଟିଏ ପାଇପ ମଧ୍ୟ ଲଗାଇ ବେଆଇନ ମଦ କାରବାର ଚାଲିଥିଲା ବୋଲି ଗୁନାର ଏସ୍‌ପି ପଙ୍କଜ ଶ୍ରୀବାସ୍ତବ କହିଛନ୍ତି। ଏହାବାଦ ପୁଲିସ୍‌ ଗୋଟିଏ ଗୋ-ଶାଳାରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଦେଶୀ ମଦକୁ ମଧ୍ୟ ଜବତ କରିଛି।

ଶ୍ରୀବାସ୍ତବ କହିଛନ୍ତି, ତଦନ୍ତରୁ ଜଣାପଡ଼ିଛି ଯେ ବେଆଇନ ମଦ କାରବାରରେ ସାମିଲ ଥିବା ଲୋକବମାନେ ମାଟି ଖୋଳି ଡ୍ରମରେ ମଦକୁ ଲୁଚାଇ ରଖୁଛନ୍ତି। ଏଗୁଡ଼ିକୁ ହ୍ୟାଣ୍ଡପମ୍ପ ଦ୍ୱାରା ବାହାର କରାଯାଇ ୫ ଲିଟର ବିଶିଷ୍ଟ ପାତ୍ର ଓ ଅନ୍ୟାନ୍ୟ ବୋତଲରେ ଭର୍ତ୍ତି କରି ଚାଲାଣ କରାଯାଉଛି। ବିଶେଷସୂତ୍ରରୁ ଖବର ପାଇ ପୁଲିସ୍‌ ରେଡ କରିଥିଲା। ବେଆଇନ ମଦ କାରବାରର ପର୍ଦ୍ଦାଫାସ ହୋଇଥିଲେ ମଧ୍ୟ ଏହା ସହ ଜଡ଼ିତ ଲୋକମାନେ ଫେରାର ହୋଇଯାଇଛନ୍ତି। ତଥାପି ପୁଲିସ ୮ ଜଣଙ୍କୁ ଚିହ୍ନଟ କରିଛି ଓ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।