କରୋନା ଟିକା ନେଲେ ମୋଦିଙ୍କ ମା’, ସୂଚନା ଦେଲେ ପ୍ରଧାନମନ୍ତ୍ରୀ

ଅହମଦାବାଦ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍‌ ମହାମାରୀ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ଏ ସମ୍ପର୍କରେ ନିଜେ ମୋଦି ଗୁରୁବାର ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହ ସେ ସମସ୍ତଙ୍କୁ କରୋନା ଟିକାର ଡୋଜ୍‌ ନେବାକୁ ଆହ୍ୱାନ କରିଛନ୍ତି। ତେବେ ୯୯ ବର୍ଷୀୟ ହୀରାବେନ୍‌ କୋଭାକ୍ସିନ କି କୋଭିସିଲ୍ଡ ଟିକା ନେଇଛନ୍ତି, ସେ ବିଷୟରେ ମୋଦି କିଛି ବି କହିନାହାନ୍ତି।

ମୋଦି ଟ୍ୱିଟ କରି କହିଛନ୍ତି, ଆଜି ମୋ ମା’ କରୋନା ଟିକାର ପ୍ରଥମଥ ଡୋଜ୍‌ ନେଇଥିବାରୁ ମୁଁ ଖୁସିରେ ଏକଥା ସମସ୍ତଙ୍କୁ ଜଣାଉଛି। ଏହି ବର୍ଗର ଟିକା ନେବାକୁ ଯୋଗ୍ୟ ଲୋକମାନେ ଆଗକୁ ଆସି ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ। ସମସ୍ତେ ନିଜ ଆଖପାଖର ଲୋକମାନଙ୍କୁ ଟିକା ଗ୍ରହଣ କରିବାକୁ ପରାମର୍ଶ ଦିଅନ୍ତୁ ବୋଲି ମୋଦି କହିଛନ୍ତି।

ଜାନୁଆରୀ ୧୬ରୁ ଦେଶରେ କରୋନାକୁ ମାତ ଦେବା ପାଇଁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା। ମାର୍ଚ୍ଚ ୧ରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୬୦ ବର୍ଷ ବୟସରୁ ଅଧିକ ଓ ୪୫ ବର୍ଷ ବୟସରୁ ଅଧିକ ବହୁବିଧ ରୋଗୀଙ୍କୁ କରୋନା ଟିକା ଦିଆଯାଉଛି।

ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ଟିକା ନେବାର ୨୮ ଦିନ ପରେ ସେମାନଙ୍କୁ ଏହାର ଦ୍ୱିତୀୟ ଡୋଜ୍‌ ଦିଆଯିବ।


ଭାରତରେ ବର୍ତ୍ତମାନ କୋଭାକ୍ସିନ ଓ କୋଭିସିଲ୍ଡ ନାମରେ ଦୁଇଟି ଟିକାକୁ ଜରୁରୀ କାଳୀନ ଭିତ୍ତିରେ ଲୋକଙ୍କୁ ଦିଆଯାଉଛି। ଦେଶରେ ଏଯାଏ ମୋଟ ୨.୫୨ କୋଟି ଲୋକଙ୍କୁ କରୋନା ଟିକା ଦିଆସରିଲାଣି। କେବଳ ବୁଧବାର ସନ୍ଧ୍ୟା ୭ଟା ସୁଦ୍ଧା ୯.୨୨ ଲକ୍ଷଙ୍କୁ କରୋନା ଟିକାର ଡୋଜ୍‌ ଦିଆଯାଇଛି।

ଟିକା ନେଇଥିବା ମୋଟ ୨, ୫୨,୮୯,୬୯୩ ଜଣଙ୍କ ମଧ୍ୟରେ ୭୧,୭୦,୫୧୯ ଜଣ ସ୍ୱାସ୍ଥ୍ୟକର୍ମୀ ଓ ୭୦,୩୧, ୧୪୭ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ଗୋଟିଏ ଲେଖାଏ ଡୋଜ୍‌ ଦିଆଯାଇଛି। ସେହିପରି ୩୯,୭୭,୪୦୭ ଜଣ ସ୍ୱାସ୍ଥ୍ୟକର୍ମୀ ଓ ୫,୮୨, ୧୧୮ ଜଣ ସମ୍ମୁଖ ଯୋଦ୍ଧାଙ୍କୁ କରୋନାର ଦ୍ୱିତୀୟ ଡୋଜ୍‌ ଦିଆଯାଇଛି। ଏହାବାଦ୍‌ ବହୁବିଧ ରୋଗରେ ପୀଡ଼ିତ ଥିବା ୯,୨୯,୩୯୫ ଜଣ ଓ ୫୫,୯୯,୧୪୩ ଜଣ ବରିଷ୍ଠ ନାଗରିକଙ୍କୁ ମଧ୍ୟ କରୋନାର ପ୍ରଥମ ଡୋଜ୍‌ ଦିଆଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।