କରୋନା ପାଇଁ ହୋଲି ଖେଳ ଉପରେ ଲାଗିଲା ରୋକ

ଚଣ୍ଡିଗଡ଼: ମହାମାରୀ କରୋନା ସଂକ୍ରମଣ ଯୋଗୁ ଗୋଟିଏ ପରେ ଗୋଟିଏ ରାଜ୍ୟ ହୋଲି ଖେଳ ଉପରେ ରୋକ ଲଗାଇବା ଆରମ୍ଭ କରିଛନ୍ତି। ଏହି ତାଲିକାରେ ଆଜି ହରିଆଣା ସାମିଲ ହୋଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହରିଆଣା ସରକାର ସର୍ବସାଧାରଣରେ ହୋଲି ଉତ୍ସବ ପାଳନ ଓ ଭିଡ଼ ସୃଷ୍ଟି କରୁଥିବା ପ୍ରୋସେସନ ଉପରେ ରୋକ ଲଗାଇଛନ୍ତି।

ହରିଆଣା ଗୃହମନ୍ତ୍ରୀ ଅନୀଲ ବିଜ ଟ୍ୱିଟ କରି କହିଛନ୍ତି, “ହରିଆଣା ସରକାର କରୋନା ସଂକ୍ରମଣର ସ୍ଥିତିକୁ ଦୃଷ୍ଟିରେ ରଖି ସର୍ବସାଧାରଣରେ ଅନୁଷ୍ଠିତ ହେବାକୁ ଥିବା ହୋଲି ଉତ୍ସବକୁ ବ୍ୟାନ୍‌ କରିଛନ୍ତି।”

ଦେଶରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଦୈନିକ ସଂକ୍ରମଣ ୪୫ ହଜାର ଉପରେ ରହୁଛି। ଆଗକୁ ବିଭିନ୍ନ ପୂଜାପର୍ବ ଆସୁଥିବାରୁ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଛି। ଏଥିପାଇଁ କେନ୍ଦ୍ର ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି କରୋନା ସଂକ୍ରମଣ ଉପରେ ରୋକ ଲଗାଇବାକୁ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ପୂଜାପର୍ବରେ ଯେମିତି ଅଧିକ ଲୋକ ଗୋଟିଏ ସ୍ଥାନରେ ଏକାଠି ନ ହୁଅନ୍ତି, ତା’ର ବ୍ୟବସ୍ଥା କରିବାକୁ ମଧ୍ୟ କହିଥିଲେ।

ଏହି ଚିଠି ପରେ ଗୋଟିଏ ପରେ ଗୋଟିଏ ରାଜ୍ୟ ହୋଲି ଖେଳ ଉପରେ ରୋକ ଲଗାଇବା ଆରମ୍ଭ କରିଛନ୍ତି। ମହାରାଷ୍ଟ୍ର ସରକାର ୨୮ ଓ ୨୯ ତାରିଖରେ କୌଣସି ଘରୋଇ କିମ୍ବା ସର୍ବସାଧାରଣ ସ୍ଥାନରେ ହୋଲି ଖେଳା ଯାଇପାରିବ ନାହିଁ ବୋଲି କହିଛନ୍ତି। ଦିଲ୍ଲୀ ସରକାର ମଧ୍ୟ କରୋନା ସଂକ୍ରମଣ ପାଇଁ ସର୍ବସାଧାରଣରେ ଅନୁଷ୍ଠିତ ହେବାକୁ ଥିବା ହୋଲି ଉତ୍ସବକୁ ବ୍ୟାନ କରିଛନ୍ତି।

ଉତ୍ତର ପ୍ରଦେଶ ସରକାର ଆଗୁଆ ଅନୁମତି ବିନା ହୋଲିରେ କେହି ପ୍ରୋସେସନ କିମ୍ବା ଗୋଟିଏ ସ୍ଥାନରେ ଏକାଠି ହୋଇ ଉତ୍ସବ ପାଳନ କରିପାରିବେ ନାହିଁ ବୋଲି କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।