ଜୁଲାଇ ୧୯ ଯାଏ ବଢ଼ିଲା ଲକଡାଉନ, କିନ୍ତୁ ଖୋଲିବ ସିନେମା ହଲ୍

ଚଣ୍ଡିଗଡ଼: ମହାମାରୀ କରୋନା ସଂକ୍ରମଣ କମୁଥିଲେ ମଧ୍ୟ ହରିଆଣା ସରକାର ଜୁଲାଇ ୧୯ ଯାଏ ରାଜ୍ୟରେ ଲାଗିଥିବା ଲକଡାଉନ କଟକଣାକୁ ବୃଦ୍ଧି କରିଛନ୍ତି। ଏହି କଟକଣାର ନାଁ ଲକଡାଉନ ନୁହେଁ ବରଂ ମହାମାରୀ ଆର୍ଲଟ ସୁରକ୍ଷିତ ହରିଆଣା ରଖାଯାଇଛି। ଜୁଲାଇ ୧୨ ତାରିଖ ଭୋର ୫ଟାରୁ ୧୯ ଜୁଲାଇ ଭୋର ୫ଟା ଯାଏ ଏହି କଟକଣା ବଳବତ୍ତର ରହିବ। କଟକଣା ବୃଦ୍ଧି କରାଯାଇଥିଲେ ହେଁ ସରକାର ବିଭିନ୍ନ କ୍ଷେତ୍ର ପାଇଁ ନିୟମକୁ ଆହୁରି କୋଳ କରିଛନ୍ତି।

ରାଜ୍ୟ ସରକାର ଜାରି କରିଥିବା ଗାଇଡାଲାଇନ ଅନୁଯାୟୀ, ଏଣିକି ବାହାଘର ଓ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମରେ ସର୍ବାଧିକ ୧୦୦ ଜଣ ଲୋକ ଯୋଗ ଦେଇପାରିବେ। ଖୋଲା ସ୍ଥାନରେ ଏହି କାର୍ଯ୍ୟକ୍ରମ ହେଲେ, ଏହାର ସଂଖ୍ୟା ୨୦୦ ହୋଇପାରିବ। ରାଜ୍ୟରେ ଆଜିଠାରୁ ସ୍ପା ମଧ୍ୟ ଖୋଲିଛି। ଏଗୁଡ଼ିକ ସକାଳ ୬ଟାରୁ ସନ୍ଧ୍ୟା ୮ଟା ଯାଏ ୫୦% କର୍ମଚାରୀମାନଙ୍କୁ ନେଇ ଚାଲିପାରିବ। ଏହାକୁ ନିୟମିତ ସାନିଟାଇଜ କରାଯିବ ଓ ସମସ୍ତେ ମାସ୍କ ପରିଧାନ କରିବେ।

ଖେଳାଳିଙ୍କ ପାଇଁ ସୁଇମିଂ ପୋଲ ଖୋଲା ଯାଇଛି। ୫୦% ଲୋକଙ୍କୁ ନେଇ ମଲ ଓ ବିଭିନ୍ନ ସ୍ଥାନରେ ଥିବା ସିନେମା ହଲ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ତେବେ ସିନେମା ହଲକୁ ନିୟମିତ ସାନିଟାଇଜ କରାଯିବ ଓ ସମସ୍ତେ ସାମାଜିକ ଦୂରତା ପାଳନ କରିବାକୁ ବାଧ୍ୟ।

ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକ ଡାଉଟ କ୍ଲିୟର କ୍ଲାସ ଓ ଲ୍ୟାବରେ ପ୍ରାଟିକାଲ କ୍ଲାସ ଆରମ୍ଭ କରିପାରିବେ। ସେହିପରି ପ୍ରାଟିକାଲ ଓ ଅଫ ଲାଇନ ପରୀକ୍ଷା ପାଇଁ ସରକାର ଅନୁମତି ଦେଇଛନ୍ତି। ପରୀକ୍ଷା ଦେବାକୁ ଥିବା ଶିକ୍ଷାର୍ଥୀଙ୍କ ପାଇଁ ହିଁ କେବଳ କଲେଜ ଓ ବିଶ୍ୱବିଦ୍ୟାଳୟର ହଷ୍ଟେଲଗୁଡ଼ିକ ଖୋଲି ପାରିବ। ଏ ସଂକ୍ରାନ୍ତରେ ଗାଇଡଲାଇନ ହରିଆଣାର ଉଚ୍ଚ ଶିକ୍ଷା ବିଭାଗ ଜାରି କରିବ।

ରାଜ୍ୟରେ ଥିବା ସମସ୍ତ ଦୋକାନ ସକାଳ ୯ଟାରୁ ରାତି ୮ଟା ଯାଏ ଖୋଲିପାରିବ। ତେବେ ମଲ ଗୁଡ଼ିକ ସକାଳ ୧୦ଟାରୁ ରାତି ୮ଟା ଯାଏ ଖୋଲିବ। ରେଷ୍ଟୁରାଣ୍ଟ ଓ ବାର୍‌ଗୁଡ଼ିକ ସକାଳ ୧୦ରୁ ରାତି ୧୦ଟା ଯାଏ କ୍ଷମତାର ୫୦% ଲୋକଙ୍କୁ ସେବା ଯୋଗାଇ ପାରିବେ। ଧର୍ମାନୁଷ୍ଠାନ ଗୁଡ଼ିକ ମଧ୍ୟ ଏକକାଳୀନ ୫୦ ଜଣ ଶ୍ରଦ୍ଧାଳୁଙ୍କୁ ନେଇ କାର୍ଯ୍ୟକ୍ଷମ ହେବ।

ରାଜ୍ୟରେ ଥିବା ଜିମ ଗୁଡ଼ିକ ସକାଳ ୬ଟାରୁ ରାତି ୮ଟା ଯାଏ ୫୦% ଲୋକଙ୍କୁ ନେଇ ଚାଲି ପାରିବ। ସ୍ପୋର୍ଟସ କମ୍ପ୍ଲେକ୍ସ ଓ ଷ୍ଟାଡିୟମ ଖୋଲିବାକୁ ଅନୁମତି ମିଳିଛି। ହେଲେ ଦର୍ଶକଙ୍କ ବିନା ହିଁ କ୍ରୀଡ଼ା କାର୍ଯ୍ୟକ୍ରମ ହେବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।