୨୦୨୪: ମୋଦି ୱାନ୍ସ ମୋର! ବର୍ଲିନରେ ମିଳିଲା କି ବିଜେପିକୁ ନୂଆ ନିର୍ବାଚନୀ ନାରା?

ବର୍ଲିନ: ସମ୍ଭବତଃ ବିଜେପିକୁ ଜର୍ମାନୀରେ ମିଳି ଯାଇଛି ଆସନ୍ତା ନିର୍ବାଚନ ପ୍ରଚାର ପାଇଁ ସବୁଠାରୁ ବଡ଼ ନାରା। କାରଣ ବର୍ଲିନରେ ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି Potsdamer Platzରେ ଥିବା ଗୋଟିଏ ଥିଏଟରରେ ପହଞ୍ଚିବା ପରେ ତାଙ୍କୁ ନିଆରା ଢଙ୍ଗରେ ସ୍ୱାଗତ କରାଯାଇଛି।

ମୋଦି ଷ୍ଟେଜ ଉପରକୁ ଆସିବା ମାତ୍ରେ ୨୦୨୪, ମୋଦି ୱାନ୍ସ ମୋର ନାରାରେ ପୂରା ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଛି। ମୋଦି ମଧ୍ୟ ହାତ ହଲାଇ ଏହି ନାରାକୁ ସ୍ୱାଗତ କରିଛନ୍ତି।

ମୋଦି ଏଠାରେ ଦୀର୍ଘ ୧ ଘଣ୍ଟାରୁ ଅଧିକ ସମୟର ଭାଷଣ ସୋମବାର ଦେଇଛନ୍ତି। ସେ ଭାଷଣ ଦେବା ସମୟରେ “ମୋଦି ମୋଦି, ଭାରତ ମାତା କୀ ଜୟ, ମୋଦି ହୈ ତୋ ମୁନକିମ ହୈ ଓ ୨୦୨୪, ମୋଦି ୱାନ୍ସ ମୋର ନାରା ଶୁଣିବାକୁ ମିଳିଛି। ଏଗୁଡ଼ିକ ମଧ୍ୟରେ ନୂଆ ନାରା ଥିଲା ୨୦୨୪, ମୋଦି ୱାନ୍ସ ମୋର।

ରାଜନୀତିକ ପଣ୍ଡିତଙ୍କ ମତରେ ସମ୍ଭବତଃ ବିଜେପି ଏହାକୁ ୨୦୨୪ରେ ନିଜର ନିର୍ବାଚନ ପ୍ରଚାର ପାଇଁ ବ୍ୟବହାର କରିବ। ଜର୍ମାନୀରୁ ହିଁ ଏପରି ନାରାର ଶୁଭାରମ୍ଭ ହୋଇଛି। ଏହାକୁ ବର୍ତ୍ତମାନ ବିଜେପି ମଧ୍ୟ ଟ୍ରେଣ୍ଡ କରାଇବା ଆରମ୍ଭ କଲାଣି। ତେଣୁ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଏହି ନାରାକୁ ଅଧିକ ବ୍ୟାପକ କରିବ ବୋଲି ଜଣେ ରାଜନୀତିକ ସମୀକକ୍ଷ କହିଛନ୍ତି। ଲୋକମାନେ ଏପରି ନାରା ଦେଉଥିବା ବେଳର ଭିଡିଓ ମଧ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।


ପ୍ରଧାନମନ୍ତ୍ରୀ ମୋଦି ନିଜ ଭାଷଣରେ କହିଛନ୍ତି ଯେ “ମୁଁ ଏଠାକୁ ନିଜ ବିଷୟରେ କିମ୍ବା ମୋଦି ସରକାର ବିଷୟରେ କହିବାକୁ ଆସିନି। ମୁଁ ଏଠାରେ ନୂଆ ଭାରତ କଥା କହିବାକୁ ଆସିଛି। ଆଜି ଜର୍ମାନୀରେ ରହୁଥିବା ଭାରତୀୟ ପିଲାମାନଙ୍କୁ ଭେଟିବାର ସୌଭାଗ୍ୟ ମୁଁ ପାଇଛି। ଗୋଟିଏ ନୂଆ ଭାରତ ଆଗକୁ ବଢ଼ିବାର ମାନସିକତା ଦିଗରେ ପ୍ରତିବଦ୍ଧ। ଗୋଟିଏ ବଟ୍ଟନକୁ ପୁଶ କରି ଭାରତ ରାଜନୀତିକ ଅସ୍ଥିରତାରେ ପୂର୍ଣ୍ଣଚ୍ଛେଦ ଟାଣିଛି। ଭାରତ ପ୍ରତିଟି ଭୋଟର ମୂଲ୍ୟକୁ ବୁଝିଛି। ନୂଆ ଭାରତ ରିସ୍କ ନେବାକୁ ପ୍ରସ୍ତୁତ। ୨୦୧୪ରେ ବେଳକୁ ଭାରତରେ ୨୦୦ରୁ ୪୦୦ ଷ୍ଟାର୍ଟଅପ ଥିଲା। କିନ୍ତୁ ଏବେ ଏହା ୬୮,୦୦୦ରେ ପହଞ୍ଚିଛି। ଅନେକ ଷ୍ଟାର୍ଟଅପ ୧୦ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ବ୍ୟବସାୟ ମଧ୍ୟ କରୁଛନ୍ତି।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।