ପୁଣି ସରିଗଲା ଅକ୍ସିଜେନ: କଳାବଜାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭିତରେ ହସ୍ପିଟାଲରେ ପୁଣି ଅକ୍ସିଜେନ ସରିଯିବାର ଅଭିଯୋଗ ଆସିଛି। ଦିଲ୍ଲୀରେ ଥିବା ଶାନ୍ତି ମୁକୁନ୍ଦ ହସ୍ପିଟାଲରେ ପୁଣି ଅକ୍ସିଜେନ ସରିଯାଇଥିବା ଓ ହସ୍ପିଟାଲକୁ ଅମ୍ଳଜାନ ଯୋଗାଣ ପରିମାଣ ହ୍ରାସ କରାଯାଇଥିବା ଦିଲ୍ଲୀ ହାଇକୋର୍ଟଙ୍କୁ ଅବଗତ କରାଯାଇଛି।

ଏହାଶୁଣି ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲ ସରକାର ଉପରେ ବର୍ଷିଛନ୍ତି। ସେହିପରି କଳାବଜାରୀ ଓ ଅକ୍ସିଜେନ ରିଫିଲ କରିବାକୁ ମନା କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ସରକାରଙ୍କୁ କହିଛନ୍ତି।

ଦିଲ୍ଲୀ ସରକାରଙ୍କୁ ସମାଲୋଚନା କରି ହାଇକୋର୍ଟ କହିଛନ୍ତି, ହସ୍ପିଟାଲକୁ ସରକାର ଠିକ୍‌ ଭାବେ ଅକ୍ସିଜେନ ସପ୍ଲାଏ କରୁ ନଥିବା ବାରମ୍ବାର ଅଭିଯୋଗ ଆସିବାରେ ଲାଗିଛି। ଦିଲ୍ଲୀ ସରକାର କ’ଣ କରୁଛନ୍ତି? ଶାନ୍ତି ମୁକୁନ୍ଦ ହସ୍ପିଟାଲ ପୂର୍ବରୁ ଭେଙ୍କେଟଶ୍ୱର ହସ୍ପିଟାଲ ମଧ୍ୟ ଅକ୍ସିଜେନ ସରିବାକୁ ବସିଥିବା କୋର୍ଟଙ୍କୁ ଜଣାଇଥିଲା।

ଏହାକୁ ଶୁଣି ହାଇକୋର୍ଟ ଦିଲ୍ଲୀ ସରକାରଙ୍କୁ ତୁରନ୍ତ ୨.୬୯ଏମଟିର ଅକ୍ସିଜେନ ଶାନ୍ତି ମୁକୁନ୍ଦ ହସ୍ପିଟାଲକୁ ପଠାଇବାକୁ କହିଛନ୍ତି। ଦିଲ୍ଲୀ ସରକାର ମଧ୍ୟ ଭେଙ୍କେଟଶ୍ୱର ହସ୍ପିଟାଲକୁ ତୁରନ୍ତ ଅକ୍ସିଜେନ ପଠାଇବେ ବୋଲି ହାଇକୋର୍ଟଙ୍କୁ କହିଛନ୍ତି।

ହାଇକୋର୍ଟ କହିଛନ୍ତି, “ଯଦି ଅକ୍ସିଜେନ ରିଫିଲର୍ସ ଠିକ୍‌ ଭାବେ କାର୍ଯ୍ୟ କରୁନାହାନ୍ତି, ତା’ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମୟ ଆସିଯାଇଛି। ସେମାନଙ୍କୁ ପୁଲିସ୍‌ ଗିରଫ କରୁ। ସେମାନଙ୍କ ପ୍ଲାଣ୍ଟକୁ ସରକାର ପରିଚାଳନା କରନ୍ତୁ। ସହଯୋଗ କରୁ ନଥିବା ଲୋକଙ୍କୁ କେବେ ହେଲେ ଛଡ଼ା ଯିବନାହିଁ। ଆମେ ଜାଣିବାକୁ ପାଇଛୁ ଯେ ସିଲିଣ୍ଡର ଏବେ ଲକ୍ଷେ ଟଙ୍କାରେ କଳବଜାରୀ ହେବାରେ ଲାଗିଛି। ଏହାକୁ ତୁରନ୍ତ ବନ୍ଦ କରାଯିବା ଉଚିତ। ସେହିପରି କଳାବଜାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ”

ଶାନ୍ତି ମୁକୁନ୍ଦ ହସ୍ପିଟାଲ କୋର୍ଟଙ୍କୁ କହିଛି ଯେ, “ଆମେ ଗତକାଲି ଠାରୁ ସେମାନଙ୍କୁ ଏସଏମଏସ କରି ଚାଲିଛୁ। ଆମେ ସିଧାସଳଖ ଅକ୍ସିଜେନ ଯୋଗାଉଥିବା ଲିଣ୍ଡେ ପାଖରେ ପହଞ୍ଚିଥିଲୁ। ତେବେ ସେମାନେ ଆମକୁ ଗୋଟିଏ ହେଲେ ବି ସିଲିଣ୍ଡର ଦେବେ ନାହିଁ ବୋଲି କହିଥିଲେ।

ଅକ୍ସିଜେନ ଅଭାବରୁ ଲୋକେ ମରୁଛନ୍ତି। ଆମେ ସରକାର ଓ ସରକାରୀ ବ୍ୟବସ୍ଥା ଦ୍ୱାରା ଫେଡ ଅପ୍‌ ହୋଇଗଲୁଣି। ହସ୍ପିଟାଲକୁ ମିଳୁଥିବା ଅକ୍ସିଜେନ ପରିମାଣକୁ ହ୍ରାସ କରିଦିଆଯାଇଛି ଓ ଏବେ ହସ୍ପିଟାଲରୁ ଅକ୍ସିଜେନ ଶେଷ ହୋଇଯାଇଛି। ଆମକୁ ୩.୨ଏମଟି ଅକ୍ସିଜେନ ମିଳିବ ବୋଲି କୁହାଯାଇଥିଲା। ହେଲେ ଆମ ହସ୍ପିଟାଲରେ ୪ଏମଟି ଅକ୍ସିଜେନ ଦରକାର ପଡ଼ୁଛି। ଅନୁମୋଦନ ଅନୁସାରେ ବି ଆମକୁ ଅକ୍ସିଜେନ ମିଳିଲାଣି। ସେମାନେ ଆମକୁ ମାତ୍ର ୨.୬୯ ଏମଟି ଅକ୍ସିଜେନ ମିଳିବ ବୋଲି କହିଛନ୍ତି। ଆମ ହସ୍ପିଟାଲକୁ କିଏ ଓ କେତେ ବେଳେ ଅକ୍ସିଜେନ ଦେବ, ସେ ବିଷୟରେ ମଧ୍ୟ ଆମ ପାଖରେ କୌଣସି ତଥ୍ୟ ନାହିଁ।”

ଶୁଣାଣି ସମୟରେ ଭେଙ୍କେଟଶ୍ୱର ହସ୍ପିଟାଲ ମଧ୍ୟ ଅକ୍ସିଜେନ ସରିଯିବାକୁ ବସିଥିବା କଥା କହିଥିଲା। ଏହାଶୁଣି ହାଇକୋର୍ଟ ଦିଲ୍ଲୀ ସରକାରଙ୍କୁ ସମାଲୋଚନା କରିଥିଲେ। କୋର୍ଟ କହିଛନ୍ତି, “ଆପଣ ଅକ୍ସିଜେନ ସଙ୍କଟ ବିଷୟରେ ଜଣାଇବା ପାଇଁ ଆରମ୍ଭ କରିଥିବା ଫୋନ୍‌ ନମ୍ବର ସମସ୍ତଙ୍କୁ ଦେଇଛନ୍ତି ତ? ଆପଣ ଆମକୁ କହିଥିଲେ ହସ୍ପିଟାଲଗୁଡ଼ିକୁ ନମ୍ବର ପଠାଇବେ। କ’ଣ ଆପଣ ସେ କାମ କରିଛନ୍ତି?

ଆପଣ ବିଭିନ୍ନ ଅଞ୍ଚଳରେ ଥିବା ହସ୍ପିଟାଲ ପାଇଁ ଅଧିକାରୀ ନିଯୁକ୍ତ କରିବେ ବୋଲି କହିଥିଲେ। ଆପଣଙ୍କ ଯୋଜନା କୁଆଡ଼େ ଗଲା? ଆପଣ କଲ ଉଠା ନାହାନ୍ତି କିମ୍ବା ଏସଏମଏସ୍‌ର ଜବାବ ଦେଉ ନଥିବା ବାରମ୍ବାର ଅଭିଯୋଗ ଆସୁଛି। ଆପଣ ତୁରନ୍ତ ଆବଶ୍ୟ ଅନୁସାରେ ହସ୍ପିଟାଲଗୁଡ଼ିକୁ ଅକ୍ସିଜେନ ପଠାନ୍ତୁ ବୋଲି କୋର୍ଟ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।