ବେଙ୍ଗଲ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣା: ସିବିଆଇ ତଦନ୍ତ ନିର୍ଦ୍ଦେଶ
କୋଲକାତା: ପଶ୍ଚିମବଙ୍ଗ ନଦିଆ ଜିଲ୍ଲାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯିବା ଅଭିଯୋଗକୁ ନେଇ ବିବାଦ ଦେଖା ଦେଇଛି। ଏହାକୁ ନେଇ ରାଜନୀତିକ ବୟାନବାଜୀ ଚାଲିଥିବା ବେଳେ କ୍ୟାଲକାଟା ହାଇକୋର୍ଟ ପୂରା ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ଆଜି ବେଙ୍ଗଲ ପୁଲିସ୍କୁ ଘଟଣାର ସମସ୍ତ ଦସ୍ତାବିଜ ସିବିଆଇ ଅଧିକାରୀଙ୍କୁ ହସ୍ତାନ୍ତର କରିବାକୁ କହିଛନ୍ତି।
କୋର୍ଟ ତାଙ୍କ ନିର୍ଦ୍ଦେଶନାମାରେ କହିଛନ୍ତି, ଏହି ଘଟଣାର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ପାଇଁ ସିବିଆଇ ଏହି କେସ୍ ନିଜ ହାତକୁ ନେବ। ସେହିପରି ପୀଡ଼ିତାଙ୍କ ପରିବାର ଲୋକ, ସ୍ଥାନୀୟ ଲୋକ ଓ ରାଜ୍ୟର ବିଶ୍ୱାସ ଭାଜନ ପାଇଁ ସିବିଆଇ ଘଟଣାର ଉପଯୁକ୍ତ ତଦନ୍ତ କରିବ। ରାଜ୍ୟ ସରକାର ପୀଡ଼ିତାଙ୍କ ପରିବାର ଲୋକ ଓ ସାକ୍ଷୀମାନଙ୍କୁ ସବୁ ପ୍ରକାରର ସୁରକ୍ଷା ଯୋଗାଇ ଦେବେ ବୋଲି କୋର୍ଟ କହିଛନ୍ତି।
ଶୁଣାଣି ବେଳେ ଘଟଣାର ତଦନ୍ତରେ ବେଙ୍ଗଲ ପୁଲିସ୍ ଏକାଧିକ ତ୍ରୁଟି କରିଥିବା ମଧ୍ୟ କୋର୍ଟ କହିଛନ୍ତି। ପୁଲିସ ତଦନ୍ତ ବେଳେ ସାକ୍ଷୀମାନଙ୍କ ବୟାନକୁ ଭିଡିଓ ରେକର୍ଡିଂ କରିନାହିଁ। ଏହା ଆଇନ ପରିସର ଭୁକ୍ତ ହୋଇଥିଲେ ମଧ୍ୟ ପୁଲିସ ଏନେଇ କୌଣସି ପ୍ରକାରର ପଦକ୍ଷେପ ନେଇ ନଥିବା କୋର୍ଟ କହିଛନ୍ତି।
କୋର୍ଟ କହିଛନ୍ତି, “ପୀଡ଼ିତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ମାଟିରେ ପଡ଼ିଥିବା ରକ୍ତ ନମୁନାକୁ ଘଟଣାସ୍ଥଳରୁ ପୁଲିସ୍ ଜବତ କରିନି। କ୍ରାଇମ ସେନ୍ସ ମଧ୍ୟ ପୁନଃ ଅବସ୍ଥାପିତ କରାଯାଇନି। ରକ୍ତ ନମୁନାର କେମିକାଲ ବିଶ୍ଲେଷଣ ହୋଇନି।
ଡିଏନଏ ପରୀକ୍ଷା ପାଇଁ ପୁଲିସ୍ ପୀଡ଼ିତାଙ୍କ କପଡ଼ା ଜବତ କରିନି। ଘଟଣା ସମୟରେ ଅଭିଯୁକ୍ତ ଜଣକ ପିନ୍ଧିଥିବା କପଡ଼ା ପରବର୍ତ୍ତୀ ପରୀକ୍ଷା ପାଇଁ ପୁଲିସ୍ ଜବତ ନ କରିବା ଆଶ୍ଚର୍ଯ୍ୟର ବିଷୟ। ମୃତଦେହକୁ ମାତ୍ର କିଛି ମିନିଟ୍ର ତଦନ୍ତ ପରେ ତରବରିଆ ଭାବେ ସତ୍କାର କରାଯାଇଛି। ପୁଲିସ୍ ତଦନ୍ତ ବେଳେ ଏକାଧିକ ତ୍ରୁଟି କରିଥିବା ସ୍ପଷ୍ଟ ହୋଇଛି। ତେଣୁ ଘଟଣାର ସିବିଆଇ ତଦନ୍ତ କରାଯିବ।”
ସୂଚନାଯୋଗ୍ୟ, ନାବାଳିକା ଜଣଙ୍କ ଗୋଟିଏ ଜନ୍ମଦିନ ପାର୍ଟିକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ଘଟଣାର ଗୋଟିଏ ଦିନ ପରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ୨୧ ବର୍ଷୀୟ ବ୍ରଜ ଗୋପାଲ ଗାଲାର ବାପା ଜଣେ ଟିଏମସି ନେତା ହୋଇଥିବାରୁ ପୁଲିସ୍ ତରବରିଆ ଭାବେ ନାବାଳିକାଙ୍କ ଶବକୁ ସତ୍କାର କରି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
ଘଟଣାର ୫ ଦିନ ପରେ ଅର୍ଥାତ ଏପ୍ରିଲ ୧୦ରେ ପରିବାର ଲୋକ ଏଫଆଇଆର ରୁଜୁ କରିଥିଲେ। ଏହାପରେ ହିଁ ପୂରା ଘଟଣା ସାମ୍ନାକୁ ଆସିଛି। ପୀଡ଼ୀତାଙ୍କ ବାପା କହିଛନ୍ତି ଯେ “ଏପ୍ରିଲ ୪ରେ ଝିଅ ସମର ଗୋଲାଙ୍କ ପୁଅର ନିମନ୍ତ୍ରଣକ୍ରମେ ଜନ୍ମ ଦିନ ପାର୍ଟିକୁ ଯାଇଥିଲା। ସେହିଦିନ ସନ୍ଧ୍ୟା ୭.୩୦ରେ ସେମାନେ ଝିଅକୁ ଘରେ ଛାଡ଼ିଥିଲେ। ଏହି ସମୟରେ ମୋ ପତ୍ନୀ ଘରେ ଥିଲା। ଜଣେ ମହିଳା ଓ ଦୁଇ ଜଣ ପୁରୁଷ ଝିଅକୁ ଛାଡ଼ିବା ପାଇଁ ଘରକୁ ଆସିଥିବା ସେ ମୋତେ କହିଥିଲା।
ଆମେ ଜାଣିନୁ ସେମାନେ କିଏ? ପାର୍ଟିରୁ ଫେରିବା ପରେ ଝିଅର ରକ୍ତସ୍ରାବ ହୋଇଥିଲା। ତା’ ପରଦିନ ତା’ ଅବସ୍ଥା ଗୁରୁତର ହେବାରୁ ଆମେ ଡାକ୍ତରଙ୍କ ପାଖକୁ ଯାଇଥିଲୁ। ଆମେ ସେଠାରୁ ଫେରିବା ପରେ ଝିଅର ହଠାତ୍ ମୃତ୍ୟୁ ଘଟିଥିଲା। ତା’କୁ ସମର ଗାଲାଙ୍କ ପୁଅ ଦୁଷ୍କର୍ମ କରିଛି।
ସମର ଗାଲାଙ୍କ ପୁଅ ଓ ମୋ ଝିଅ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ସେଦିନ ଯେଉଁମାନେ ତା’କୁ ଛାଡ଼ିବାକୁ ଆସିଥିଲେ ସେମାନେ ମୁହଁ ଖୋଲିଲେ ଘର ପୋଡ଼ିଦେବେ ବୋଲି ଧମକ ଦେଇଥିଲେ। ସେହି ଭୟରେ ଆମେ କାହାକୁ କିଛି ନ କହି ଚୁପ ବସିଥିଲୁ। କିନ୍ତୁ ଏବେ ଆମେ ନ୍ୟାୟ ଦାବି କରୁଛୁ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।