କରୋନା ଟେଷ୍ଟିଂ ହ୍ରାସକୁ ନେଇ ଚିନ୍ତାରେ କେନ୍ଦ୍ର, ରାଜ୍ୟଗୁଡ଼ିକୁ ମିଳିଲା ଏମିତି ନିର୍ଦ୍ଦେଶ
ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ତୃତୀୟ ଲହର କାୟା ବିସ୍ତାର କରୁଛି। କିଛି ଦିନ ସଂକ୍ରମଣ ଗ୍ରାଫ ଉପର ମୁହାଁ ହେବା ପରେ ଏବେ ଏହା ହ୍ରାସ ପାଇଛି। ହେଲେ ଦୈନିକ ସଂକ୍ରମଣ ହ୍ରାସ ପାଇବା ପଛରେ ଟେଷ୍ଟିଂ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଦେଶର ପ୍ରାୟ ଅଧିକାଂଶ ରାଜ୍ୟ ନିଜର ଟେଷ୍ଟିଂ ସଂଖ୍ୟାକୁ ଅପ୍ରତ୍ୟାଶିତ ଭାବେ ହ୍ରାସ କରି ଦେଇଛନ୍ତି। ଫଳରେ ଦୈନିକ ସଂକ୍ରମଣ ହ୍ରାସ ପାଉଛି।
ରାଜ୍ୟ ସରକାରମାନେ ଟେଷ୍ଟିଂ ସଂଖ୍ୟା ହ୍ରାସ କରିଥିବାରୁ ଆଜି କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି। ଏଥିସହ ରାଜ୍ୟଗୁଡ଼ିକୁ ତୁରନ୍ତ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରିବାକୁ କହିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଆରତି ଆହୁଜା ଏ ସମ୍ପର୍କରେ ଆଜି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ସଚିବମାନଙ୍କୁ ଚିଠି ଲେଖିଛନ୍ତି।
ସେ କହିଛନ୍ତି, ବର୍ତ୍ତମାନ ଓମିକ୍ରନ ଭାରିଏଣ୍ଟ ବେଶ ଦ୍ରୁତଗତିରେ ସମଗ୍ର ଦେଶରେ ମାଡ଼ୁଛି। ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓମିକ୍ରନ ବିରୋଧରେ କ’ଣ ସବୁ କରିବାକୁ ପଡ଼ିବ ସେନେଇ ସମସ୍ତଙ୍କୁ ଅବଗତ କରାଯାଇଥିଲା। ସଂକ୍ରମଣ ରୋକିବାକୁ ବ୍ୟବସ୍ଥିତ ଟେଷ୍ଟିଂ ହିଁ ସବୁଠାରୁ ବଡ଼ ଅସ୍ତ୍ର।
କିନ୍ତୁ ଏବେ ଆଇସିଏମଆର ପୋର୍ଟାଲର ତଥ୍ୟ ଅନୁଯାୟୀ, ଅନେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଟେଷ୍ଟିଂ କ୍ରମାଗତ ଭାବେ ହ୍ରାସ ପାଉଛି। ଏହା ଚିନ୍ତାର ବିଷୟ। ସଂକ୍ରମଣକୁ ରୋକିବାକୁ ହେଲେ ଯଥାଶୀଘ୍ର ଟେଷ୍ଟିଂ, ଚିକିତ୍ସା ଓ ଆଇସୋଲେସନ କରିବାକୁ ପଡ଼ିବ। ଟେଷ୍ଟିଂ ସଂଖ୍ୟା ଯେତେ ବଢ଼ିବ, ମହାମାରୀ ଉପରେ ଆମେ ସେତେ ଶୀଘ୍ର ନିୟନ୍ତ୍ରଣ କରିପାରିବା।
ଅଧିକରୁ ଅଧିକ ଟେଷ୍ଟିଂ କରି କରୋନା ସଂକ୍ରମଣର ନୂଆ କ୍ଲଷ୍ଟର ଓ ନୂଆ ହଟସ୍ପଟ ଚିହ୍ନଟ କରାଯାଉ। ସେଠାରେ ତୁରନ୍ତ କଣ୍ଟେନମେଣ୍ଟ ନିୟମ ଲାଗୁ ହେବା ଦରକାର। କଣ୍ଟେନମେଣ୍ଟ ଜୋନରେ କଣ୍ଟାକ୍ଟ ଟ୍ରେସିଂ, କ୍ୱାରେଣ୍ଟିନ ଓ ଆଇସୋଲେସନ ବ୍ୟବସ୍ଥା ହେବା ଉଚିତ। ଏହାଦ୍ୱାରା ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ସଂକ୍ରମଣକୁ ରୋକିପାରିବେ।
Ministry of Health & Family Welfare asks all States/UTs “to immediately increase testing in a strategic manner keeping in view the trend of case positivity in specific areas in the States/UTs” pic.twitter.com/oHSf8B0Efy
— ANI (@ANI) January 18, 2022
ମୃତ୍ୟୁହାର ହ୍ରାସ ଓ ବହୁବିଧ ରୋଗରେ ପଡ଼ିଥିବା ଲୋକଙ୍କ ସୁରକ୍ଷା ପାଇଁ ଟେଷ୍ଟିଂ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଯେଉଁଠି ସଂକ୍ରମଣ ବ୍ୟାପିବାର ଅଧିକ ଆଶଙ୍କା ରହିଛି, ସେଠାରେ ମଧ୍ୟ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରାଯାଉ ବୋଲି ଶ୍ରୀମତୀ ଆହୁଜା ପରାମର୍ଶ ଦେଇଛନ୍ତି। ଲକ୍ଷଣ ଥିବା ସମସ୍ତ ଲୋକଙ୍କ ଟେଷ୍ଟିଂ ଜରୁରୀ ବୋଲି ଚିଠିରେ କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।