ଗୁଜରାଟ ନିଶା କାରବାରର ପେଣ୍ଠସ୍ଥଳ! ମିଳିଲା ୧୪୩୯ କୋଟିର ହେରୋଇନ୍‌

ଅହମଦାବାଦ: ଗୁଜରାଟର ବିଭିନ୍ନ ବନ୍ଦର ଏବେ ହେରୋଇନ୍‌ ଚାଲାଣର ପେଣ୍ଠସ୍ଥଳ ପାଲଟିଗଲାଣି। କାରଣ କ୍ରମାଗତ ଭାବେ ଗୁଜରାଟର ବିଭିନ୍ନ ବନ୍ଦରରୁ କୋଟି କୋଟି ଟଙ୍କାର ହେରୋଇନ୍‌ ମିଳିବାରେ ଲାଗିଛି। ଏହିକ୍ରମରେ କାଣ୍ଡଲା ବନ୍ଦରରୁ ୧୪୩୫ କୋଟି ଟଙ୍କାର ହେରୋଇନ ମିଳିଛି। ବନ୍ଦର ନିକଟରେ ଥିବା ଗୋଟିଏ କଣ୍ଟେନର ଭିତରୁ ୨୦୫.୬ କେଜି ହେରୋଇନ ଜବତ ହୋଇଛି।

ଏହି ଘଟଣାରେ ପଞ୍ଜାବର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଡିରେକ୍ଟୋରେଟ ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ ପକ୍ଷରୁ ବଡ଼ଧରର ସର୍ଚ୍ଚ ଅପରେସନ ପରେ ହିଁ ଏତେ ପରିମାଣର ହେରୋଇନ ଜବତ ହୋଇପାରିଛି।

ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି, ଇରାନରୁ ଗତବର୍ଷ ସେପ୍ଟେମ୍ବର ଓ ଅକ୍ଟୋବର ମଧ୍ୟରେ କାଣ୍ଡଲା ବନ୍ଦରକୁ ମୋଟ ୧୭ଟି କଣ୍ଟେନର୍ସ ଆସିଥିଲେ। ଉକ୍ତ ୧୭ଟି କଣ୍ଟେନର୍ସ ମଧ୍ୟରୁ ଗୋଟିଏରୁ ୧୪୩୯ କୋଟି ଟଙ୍କାର ହେରୋଇନ ଜବତ ହୋଇଛି। ଏପ୍ରିଲ ୨୧ରେ ଗୁଜରାଟର ଆତଙ୍କବାଦ ନିରୋଧ ସ୍କ୍ୱାଡ କହିଥିଲା ଯେ ଡିଆରଆଇ ସହ ମିଶି କୁଚ୍ଚ ଜିଲ୍ଲାରେ ଥିବା କାଣ୍ଡଲା ବନ୍ଦରର କଣ୍ଟେନର ଷ୍ଟେସନରେ ସର୍ଚ୍ଚ ଅପରେସନ କରାଯାଇଥିଲା। ଏହି ସମୟରେ ୨୦୦ କେଜିରୁ ଅଧିକ ହେରୋଇନ ମିଳିଥିଲା। ଏହାର ବଜାର ମୂଲ୍ୟ ୧୩୦୦ କୋଟି ହେବ ବୋଲି ଏଟିଏସ୍‌ କହିଥିଲା।

ହେଲେ ଆଜି ଡିଆରଆଇ ଜାରି ବିବୃତିରେ କହିଛି ଯେ ଗୁଇନ୍ଦା ସୂଚନା ଆଧାରରେ ଡିଆରଆଇ ଓ ଏଟିଏସ୍‌ର ଅଧିକାରୀମାନେ ଉତ୍ତରାଖଣ୍ଡର ଗୋଟିଏ ଫାର୍ମ ଦ୍ୱାରା କାଣ୍ଡଲା ବନ୍ଦର ଆସିଥିବା କନସାଇନଟମେଣ୍ଟର ଯାଞ୍ଚ କରିଥିଲେ। ଏହି କନସାଇନମେଣ୍ଟ ଇରାନର ବନ୍ଦର ଆବ୍ବାସ ପୋର୍ଟରୁ ଗୁଜରାଟର କାଣ୍ଡଲା ବନ୍ଦରୁ ଆସିଥିଲା।

କନସାଇନମେଣ୍ଟକୁ ୧୭ଟି କଣ୍ଟେନର୍ସରେ ରଖାଯାଇଥିଲା। ଏହା ମଧ୍ୟରେ ମୋଟ ୧୦,୩୧୮ଟି ବ୍ୟାଗ ରହିଥିଲା, ଯାହାର ଓଜନ ୩୯୪ ମେଟ୍ରିକ ଟନ୍‌। ଜିପସମ ପାଉଡର ଏହା ମଧ୍ୟରେ ରହିଥିବା କୁହାଯାଇଥିଲା। ଏଗୁଡ଼ିକ ଯାଞ୍ଚ କରିବା ବେଳେ ବର୍ତ୍ତମାନ ସୁଦ୍ଧା ୨୦୫.୬ କେଜି ଓଭନର ହେରୋଇନ ମିଳିଛି। ଏହାର ବଜାର ମୂଲ୍ୟ ୧୪୩୯ କୋଟି ଟଙ୍କା ହେବ। କନସାଇନମେଣ୍ଟର ବିସ୍ତୃତ ଯାଞ୍ଚ ପୋର୍ଟ ମଧ୍ୟରେ କରାଯାଉଥିବା ଏହି ବିବୃତିରେ କୁହାଯାଇଛି।

ବିବୃତିରେ ଆହୁରି କୁହାଯାଇଛି ଯେ ଉତ୍ତରାଖଣ୍ଡର ଯେଉଁ ସ୍ଥାନରେ ଏହାକୁ ପଞ୍ଜୀକରଣ କରାଯାଇଥିଲା, ସେଠାରୁ କେହି ବି ଆମାଦାନୀକାରୀ ମିଳି ନଥିଲେ। ତେଣୁ କନସାଇନମେଣ୍ଟର ଉପଯୁକ୍ତ ମାଲିକଙ୍କୁ ଖୋଜିବା ପାଇଁ ସାରା ଦେଶରେ ସର୍ଚ୍ଚ ଅପରେସନ କରାଯାଇଥିଲା। ଏହାପରେ ପଞ୍ଜାବର ଗୋଟିଏ ଛୋଟିଆ ଗାଁରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

ଗିରଫ ବେଳେ ସେ ଖସି ଯିବାକୁ ଚେଷ୍ଟା କରିଥିଲା। କିନ୍ତୁ ଡିଆରଆଇ ଅଧିକାରୀମାନେ ତାଙ୍କୁ କାବୁ କରିବାରେ ସମର୍ଥ ହୋଇଥିଲେ। ଆଜି ଠାରୁ ଗିରଫ ଅଭିଯୁକ୍ତକୁ ରିମାଣ୍ଡରେ ନିଆଯାଇ ଅଧିକ ଯାଞ୍ଚ କରାଯିବ।

ସୂଚନାଯୋଗ୍ୟ, ଗୁଜରାଟର ବିଭିନ୍ନ ପୋର୍ଟରୁ ନିୟମିତ ହେରୋଇନ ଠାବ ହେଉଛି। ଗତବର୍ଷ ମୁନ୍ଦ୍ରା ବନ୍ଦରରୁ ୨୧ ହଜାର କୋଟି ଟଙ୍କାର ହେରୋଇନ ମିଳିଥିଲା। ସେହିପରି ପର୍ଯ୍ୟାୟକ୍ରମେ କୋଟି କୋଟି ଟଙ୍କାର ହେରୋଇନ ମିଳିବାରେ ଲାଗିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।