ଗୁଜରାଟ ଉପକୂଳରେ ପାକିସ୍ତାନୀ ବୋଟ, ଧରା ପଡ଼ିଲା ୩୬୦ କୋଟି ଟଙ୍କାର ହେରୋଇନ୍‌

ଅହମଦାବାଦ: ପୁଣିଥରେ ଗୁଜରାଟ ଉପକୂଳରୁ ଜବତ ହୋଇଛି ୩ ଶହ କୋଟିରୁ ଅଧିକ ମୂଲ୍ୟର ଡ୍ରଗ୍ସ। ତଟରକ୍ଷୀ ବାହିନୀ ଓ ଗୁଜରାଟ ଏଟିଏସ୍‌ ମିଳିତ ଭାବେ ଅପରେସନ କରି ଗୋଟିଏ ପାକିସ୍ତନୀ ବୋଟ୍‌କୁ କାବୁ କରିଥିଲେ। ଯାଞ୍ଚ ବେଳେ ବୋଟ ମଧ୍ୟରୁ ୫୦ କେଜି ଓଜନର ହେରୋଇନ୍‌ ଜବତ ହୋଇଛି। ଏହାର ବଜାର ମୂଲ୍ୟ ୩୬୦ କୋଟି ଟଙ୍କା ହେବ ବୋଲି ଅଧିକାରୀମାନେ କହିଛନ୍ତି।

ଆରବିୟାନ ସମୁଦ୍ରରେ ଏହି ଘଟଣା ଘଟିଛି। ଜବତ ଡଙ୍ଗାର ନାଁ ଅଲ ସାକର। ଏଥିରେ ୬ ଜଣ କ୍ରୁ ସଦସ୍ୟ ଥିଲେ। ସେମାନଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ କରାଯାଉଛି। ସମସ୍ତଙ୍କୁ ଜାଖାଉ ପୋର୍ଟକୁ ଅଣାଯାଇ ଏବେ ପଚରାଉଚରା କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ତଟରକ୍ଷୀ ବାହିନୀ ଦୁଇଟି ଇଣ୍ଟରସ୍ପେକ୍ଟର ଶିପ ସି-୪୨୯- ଓ ସି-୪୫୪କୁ ଗୁଜରାଟ ଉପକୂଳ ଆରବିୟାନ ସମୁଦ୍ରରେ ମୁତୟନ କରିଥିଲା। ଏହି ଦୁଇ ଜାହାଜ ଅନ୍ତର୍ଜାତୀୟ ଜଳ ସୀମା ନିକଟରେ ପ୍ୟାଟ୍ରୋଲିଂ କରୁଥିଲେ। ରାତି ପ୍ରାୟ ୧୨ଟା ବେଳେ ହଠାତ୍‌ ଗୋଟିଏ ପାକିସ୍ତାନୀ ବୋଟ ଭାରତୀୟ ଜଳ ସୀମାରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଦେଖିବାକୁ ମିଳିଥିଲା।

ଏହାକୁ ଅଟକିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଡଙ୍ଗାର କ୍ରୁ ସଦସ୍ୟମାନେ କିଛି ଶୁଣି ନଥିଲେ। ଦୀର୍ଘ ସମୟର ଛକାପଞ୍ଝା ପରେ ତଟରକ୍ଷୀ ବାହିନୀ ଉକ୍ତ ପାକିସ୍ତାନୀ ବୋଟକୁ ଅଟକାଇବାରେ ସକ୍ଷମ ହୋଇଥିଲା। ଡଙ୍ଗାକୁ ଅଟକାଇବା ପରେ ଅଧିକାରୀମାନେ ଯାଞ୍ଚ କରିଥିଲେ।

ଏହି ସମୟରେ ଡଙ୍ଗା ଭିତରୁ ୫୦ କେଜି ହେରୋଇନ ଜବତ କରାଯାଇଥିଲେ। ଏହି ଜବତ ହେରୋଇନ ଗୁଜରାଟ ଉପକୂଳରେ ପହଞ୍ଚିବା ପରେ ଦେଶର ବିଭିନ୍ନ ରାଜ୍ୟକୁ ଯାଇଥାଆନ୍ତା ବୋଲି କୁହାଯାଉଛି।

ଗତ ଗୋଟିଏ ବର୍ଷ ମଧ୍ୟରେ ୬ଷ୍ଠଥର ପାଇଁ ଗୁଜରାଟ ଉପକୂଳରୁ ଏପରି ହେରୋଇନ ଜବତ ହୋଇଛି। ସେହିପରି ମାସକ ଭିତରେ ଏହା ଦ୍ୱିତୀୟ ଘଟଣା। ସେପ୍ଟେମ୍ବର ୧୪ରେ ଗୁଜରାଟ ଉପକୂଳରେ ବୁଲୁଥିବା ଗୋଟିଏ ପାକିସ୍ତନୀ ବୋଟରୁ ୪୦ କେଜି ଓଜନର ଡ୍ରଗ୍ସ ଜବତ ହୋଇଥିଲା।

ସୂଚନାଯୋଗ୍ୟ, ଶୁକ୍ରବାର କେରଳର କୋଚି ଉପକୂଳରୁ ଗୋଟିଏ ବୋଟରେ ୨୦୦ କେଜି ହେରୋଇନ୍‌ ଚାଲାଣ ହେଉଥିବା ବେଳେ ମଧ୍ୟ ଜବତ ହୋଇଥିଲା। ଆଫଗାନିସ୍ତାନରୁ ଆସିଥିବା ଏହି ନିଶାଦ୍ରବ୍ୟ ପାକିସ୍ତାନ, ଭାରତ ଓ ଶ୍ରୀଲଙ୍କାରେ ବିକ୍ରି ହେବା ପାଇଁ ଯୋଜନା ହୋଇଥିଲା। ଜବତ ହୋଇଥିବା ହେରୋଇନର ଦାମ ୧୨,୦୦ କୋଟି ଟଙ୍କା ହେବ। ଏକ ଇରାନୀୟ ବୋଟରେ ଏହି ହେରୋଇନ୍ ଚାଳାଣ ହେଉଥିବା ବେଳେ ଭାରତୀୟ ନୌସେନା ଓ ଏନସିବି ହାତରେ ଧରାପଡ଼ିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।