ହିମାଚଳ ପାଇଁ ଘୋଷଣା ହେଲା ନିର୍ବାଚନ ତାରିଖ, ଗୁଜରାଟ ପାଇଁ ହେଲାନି

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ବିଜ୍ଞାନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବିଧାନସଭା ତାରିଖ ଘୋଷଣା କରିଛନ୍ତି। ଲାଗୁଥିବା ହିମାଚଳ ସହ ଗୁଜରାଟ ବିଧାନସଭା ପାଇଁ ମଧ୍ୟ ନିବର୍ରଚନ ତାରିଖ ଘୋଷଣା ହେବ। କିନ୍ତୁ ନିର୍ବାଚନ କମିଶନ ସମସ୍ତଙ୍କୁ ଚକିତ କରି ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରି ନାହାନ୍ତି।

ଅଧ୍ୟକ୍ଷ ରାଜୀବ କୁମାରଙ୍କ ଘୋଷଣା ଅନୁଯାୟୀ, ହିମାଚଳ ପ୍ରଦେଶର ୬୮ଟି ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ ହେବ। ନଭେମ୍ବର ୧୨ରେ ରାଜ୍ୟରେ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ଅକ୍ଟୋବର ୧୭ରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ଡିସେମ୍ବର ୮ରେ ଭୋଟ ଗଣତି ସହ ଫଳଫଳା ପ୍ରକାଶ ପାଇବ।

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ୨୫ ଅକ୍ଟୋବର ଥିବା ବେଳା ୨୭ ତାରିଖରେ ଯାଞ୍ଚ ଶେଷ ହେବ। ନାମାଙ୍କନ ଦାଖଲର ଶେଷ ତାରିଖ ୨୯ ଅକ୍ଟୋବର ରହିଛି। ସେହିପରି ଡିସେମ୍ବର ୧୦ ତାରିଖ ସୁଦ୍ଧା ସମସ୍ତ ପ୍ରକାରର ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ଅଧ୍ୟକ୍ଷ ରାଜୀବ କୁମାର କହିଛନ୍ତି।

ଜାନୁଆରୀରେ ହିମାଚଳ ବିଧାନସଭାର କାର୍ଯକାଳ ଶେଷ ହେବ। ଏଥିପାଇଁ ଏହା ପୂର୍ବରୁ ପରବର୍ତ୍ତୀ ସରକାର ଗଠନ ପ୍ରକ୍ରିୟା ସାରିବାକୁ ନିର୍ବାଚନ କମିଶନ ବ୍ୟବସ୍ଥା କରିଛନ୍ତି। ତେବେ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇନି।

ଆଜି ତାରିଖ ଘୋଷଣା କରିବା ପୂର୍ବରୁ ଅଧ୍ୟକ୍ଷ ରାଜୀବ କୁମାର ଓ ନିର୍ବାଚନ କମିଶନର ଅନୂପ ଚନ୍ଦ୍ରା ପାଣ୍ତେ ଉଭୟ ରାଜ୍ୟକୁ ସମୀକ୍ଷା ପାଇଁ ଯାଇଥିଲେ। ସେମାନେ ବୁଥ ସ୍ତରରେ ସ୍ଥିତି ପରଖିବା ପରେ ରିପୋର୍ଟ ପ୍ରସ୍ତୁତ କରିଥିଲେ। ନିରପେକ୍ଷ ଓ ଅବଧା ନିର୍ବାଚନ ଉପରେ ଇସି ଗୁରୁତ୍ୱାରୋପ କରିଛନ୍ତି।

୨୦୧୭ ନଭେମ୍ବର ମାସରରେ ହିମାଚଳ ପ୍ରଦେଶର ୬୮ଟି ଆସନ ପାଇଁ ଭୋଟିଂ ହୋଇଥିଲା। ଏଠାରେ ବିଜେପି ୪୪ଟି ଆସନ ଜିତିଥିବା ବେଳେ କଂଗ୍ରେସ ଖାତାକୁ ୨୧ଟି ସିଟ୍‌ ଓ ଅନ୍ୟାନ୍ୟ ଦଳ ୩ଟି ଆସନ ହାତେଇଥିଲେ।

ଅନ୍ୟପକ୍ଷରେ ଗୁଜରାଟର ୧୮୨ଟି ବିଧାନସଭା ଆସନ ପାଇଁ ୨୦୧୭ରେ ଦୁଇଟି ପର୍ଯ୍ୟାୟ ଡିସେମ୍ବର ୯ ଓ ୧୪ରେ ମତଦାନ ହୋଇଥିଲା। ଏଠାରେ ୧୯୯୮ ମସିହାରୁ କ୍ଷମତାରେ ଥିବା ବିଜେପି ୯୯ଟି ଆସନ ଜିତିଥିବା ବେଳେ କଂଗ୍ରେସ ୭୭ଟିରେ ବାଜିମାତ କରିଥିଲା। ହେଲେ ଏଥର ବିଜେପିକୁ କଡ଼ା ଟକ୍କର ଦେବାକୁ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ଅଣ୍ଟା ଭିଡ଼ିଛି। ଦିଲ୍ଲୀ ଓ ପଞ୍ଜାବରେ କ୍ଷମତା ଦଖଲ କରିବା ପରେ ଆପ୍‌ ଏବେ ଗୁଜରାଟରେ ତା’ର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।