ଆତ୍ମହତ୍ୟାର ୨ ମାସ ପରେ ମିଳିଲା ସୁଇସାଇଡ ନୋଟ, ପତ୍ନୀ ଓ ଶାଳକଙ୍କ ବିରୋଧରେ ରହିଛି ତଥ୍ୟ

ସୁରତ: ଜୁନ୍‌ ମାସରେ ଆତ୍ମହତ୍ୟା କରିଥିବା ଜଣେ ବ୍ୟକ୍ତିଙ୍କ ସୁଇସାଇଡ ନୋଟ ଏବେ ଫେସବୁକରୁ ମିଳିଛି। ଏହି ସୁଇସାଇଡ ନୋଟରେ ବ୍ୟକ୍ତି ଜଣଙ୍କ ତାଙ୍କ ପତ୍ନୀ ଓ ଶାଳକଙ୍କ ବିରୋଧରେ ସାଂଘାତିକ ତଥ୍ୟ ଦେଇଛନ୍ତି। ସେମାନଙ୍କ ପାଇଁ ହିଁ ବ୍ୟକ୍ତି ଜଣଙ୍କ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ନିଜ ଶେଷ ଫେସବୁକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଏହି ସୁଇସାଇଡ ନୋଟକୁ ଆଧାର କରି ପୁଲିସ ତାଙ୍କ ପତ୍ନୀ ଓ ଶାଳକଙ୍କ ବିରୋଧରେ ମାମଲା ରୁଜୁ କରିଛି।

ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିବା ପୂର୍ବରୁ ରୋହିତ ପ୍ରତାପ ସିଂହ ଫେସବୁକରେ ନିଜ ମନର ବେଦନା ଅପଲୋଡ କରିଥିଲେ। ଏକଥା କିନ୍ତୁ ସେତେବେଳେ କେହି ବି ଜାଣି ପାରି ନଥିଲେ। ତାଙ୍କ ମୃତ୍ୟୁକୁ ପ୍ରାୟ ୨ ମାସ ବିତିଗଲା ପରେ ପୁଲିସ୍‌ ହାତରେ ଉକ୍ତ ପୋଷ୍ଟ ଲାଗିଛି। ପୁଲିସ୍‌ ମଧ୍ୟ ଏହାକୁ ଆଧାର କରି ତଦନ୍ତ ଆରମ୍ଭ କରିଛି।

ସୁଇସାଇଡ ନୋଟରେ ରୋହିତ କହିଛନ୍ତି, “ମୁଁ ଏହି ଦୁନିଆ ଛାଡ଼ୁଛି। ମୋର ଏପରି ପଦକ୍ଷେପ ପାଇଁ ମୋ ପତ୍ନୀ ସୋନମ ଅଲୀ ଓ ତାଙ୍କ ଭାଇ ଅଖତର ଅଲୀ ଦାୟୀ। ମୁଁ ମୋର ସମସ୍ତ ବନ୍ଧୁମାନଙ୍କୁ ମୋତେ ନ୍ୟାୟ ଦେବାକୁ ଅନୁରୋଧ କରୁଛି। ମୋତେ ହତ୍ୟାର ଭୟ ଦେଖାଇ ଗୋ ମାଂସ ଖାଇବାକୁ ଦିଆଯାଇଥିଲା। ଏ ଦୁନିଆରେ ରହିବାକୁ ମୋର ଆଉ ଯୋଗ୍ୟତା ନାହିଁ। ତେଣୁ ମୁଁ ଆତ୍ମହତ୍ୟା କରିବାକୁ ଯାଉଛି।”

ରୋହିତଙ୍କ ସମ୍ପର୍କୀୟମାନେ ପ୍ରଥମେ ଏହି ସୁଇସାଇଡ ନୋଟ ବିଷୟରେ ଜାଣିବା ପରେ ସୁରତ ପୁଲିସ୍‌ ସହ ଯୋଗାଯୋଗ କରିଥିଲେ। ପୁଲିସ୍‌ର କହିବା କଥା, ରୋହିତ ଓ ସୋନମ ଏକାଠି କାମ କରୁଥିବା ବେଳେ ପରସ୍ପରର ପ୍ରେମରେ ପଡ଼ିଥିଲେ। ଏହାପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ରୋହିତଙ୍କ ପରିବାର ଲୋକ ଏଥିପାଇଁ ରାଜି ହୋଇ ନଥିଲେ।

ସୋନମ ଅଲଗା ଧର୍ମର ହୋଇଥିବାରୁ ରୋହିତଙ୍କୁ ଘର ଲୋକ ବିରୋଧ କରିଥିଲେ। ହେଲେ ରୋହିତ କିଛି ନ ଶୁଣି ସୋନମଙ୍କୁ ବିବାହ କରିଥିଲେ। ଏଥିସହ ପରିବାର ଲୋକଙ୍କ ସହ ସମ୍ପର୍କ ତୁଟାଇ ଅଲଗା ରହିଥିଲେ। ବର୍ଷେ ହେଲାଣି ପରିବାର ଲୋକଙ୍କ ସହ ତାଙ୍କର କୌଣସି ପ୍ରକାରର ଯୋଗାଯୋଗ ନଥିଲେ।
ଏବେ ତାଙ୍କର ସୁଇସାଇଡ ନୋଟ ସାମ୍ନାକୁ ଆସିବା ପରେ ପରିବାର ଲୋକ ନ୍ୟାୟ ଦାବି କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।