କରୋନାର ତୃତୀୟ ୱେଭକୁ ନେଇ ସରକାର ଓ ଲୋକଙ୍କୁ ସତର୍କ କଲା ଆଇଏମଏ

ନୂଆଦିଲ୍ଲୀ: ମହାମାରୀ କରୋନାର ସମ୍ଭାବ୍ୟ ତୃତୀୟ ୱେଭକୁ ନେଇ ଚିନ୍ତା ପ୍ରକଟ କରିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ)। ତୃତୀୟ ୱେଭ ବହୁତ ନିକଟରେ ଥିବାରୁ ଆଇଏମଏ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ କୌଣସି ଅବହେଳା କିମ୍ବା ବେପରୁଆ ନୀତି ଗ୍ରହଣ ନ କରିବାକୁ ପରାମର୍ଶ ଦେଇଛି।

ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ସମୟରେ ଭାରତର ବିଭିନ୍ନ ପ୍ରାନ୍ତରେ ପ୍ରଶାସନ ଓ ସାଧାରଣ ଲୋକମାନେ ଯେଉଁଭଳି କଟକଣାକୁ ଉଲ୍ଲଙ୍ଘନ କରୁଛନ୍ତି, ତା’କୁ ନେଇ ମଧ୍ୟ ଆଇଏମଏ ଚିନ୍ତା ପ୍ରକଟ କରିଛି।

ଆଇଏମଏ ସତର୍କ ସୂଚନା ଜାରି କରି କହିଛି ଯେ, ଭାରତ ଏବେଏବେ ଭୟଙ୍କର ଦ୍ୱିତୀୟ ୱେଭରୁ ବାହାରିଛି। ଏହା ଦେଶର ସମସ୍ତ ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ ଲୋକ ଓ ରାଜନେତାମାନଙ୍କ ଉଦ୍ୟମକୁ ଯୋଗୁ ସମ୍ଭବ ହୋଇପାରିଛି। ବିଶ୍ୱସ୍ତରରୁ ମିଳିଥିବା ପ୍ରମାଣ ଓ ମହାମାରୀର ଇତିହାସକୁ ବିଚାରକୁ ନେଲେ କରୋନାର ତୃତୀୟ ୱେଭ ଆସିବା ନିଶ୍ଚିତ ଓ ଏହା ମଧ୍ୟ ଦେଶର ନିକଟରେ ପହଞ୍ଚି ଗଲାଣି।

ଏସବୁ ସତ୍ତ୍ୱେ ଦୁଃଖର ସହ କହିବାକୁ ପଡ଼ୁଛି ଯେ ସରକାର ଓ ଲୋକଙ୍କ ବେପରୁଆ ଆଚରଣ ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ଲୋକମାନେ ସଂକ୍ରମଣ ରୋକିବା ପାଇଁ ଜାରି କଟକଣାକୁ ଉଲ୍ଲଙ୍ଘନ କରି ଗୋଟିଏ ସ୍ଥାନରେ ପ୍ରବଳ ଭିଡ଼ କରୁଛନ୍ତି। ପର୍ଯ୍ୟଟନୀ ସ୍ଥଳକୁ ଯିବା, ଧାର୍ମିକ ଯାତ୍ରା କରିବା ଓ ବିଭିନ୍ନ ପର୍ବକୁ ପାଳନ କରିବା ଆବଶ୍ୟକ।

କିନ୍ତୁ ଏଥିପାଇଁ ଆମେ ଆଉ କିଛି ମାସ ଅପେକ୍ଷା ବି କରିପାରିବା। ସଂକ୍ରମଣର ଆଶଙ୍କା ଥିବା ସତ୍ତ୍ୱେ ଟିକା ନ ନେଇଥିବା ଲୋକଙ୍କୁ ବିଭିନ୍ନ ସ୍ଥାନକୁ ଯିବାକୁ ଅନୁମତି ଦେବା ଓ ଭିଡ଼ ସୃଷ୍ଟି କରିବା ଭୟଙ୍କର ସ୍ଥିତି ସୃଷ୍ଟି କରିପାରେ। ଏହି ସବୁ ସ୍ଥାନରୁ ସୁପର ସ୍ପ୍ରେଡରମାନେ ତୃତୀୟ ୱେଭର କାରଣ ପାଲଟିବାର ଆଶଙ୍କା ଥିବା ମଧ୍ୟ ଆଇଏମଏ ଚେତାବନୀ ଦେଇଛି।

ସମସ୍ତଙ୍କର ଟିକାକରଣ ଓ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କଟକଣାକୁ ପାଳନ କଲେ, ତୃତୀୟ ୱେଭକୁ ରୋକା ଯାଇପାରିବ ବୋଲି ଆଇଏମଏ ପକ୍ଷରୁ କୁହାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।