୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ଏପ୍ରିଲର ତାତି

ନୂଆଦିଲ୍ଲୀ: ଦୀର୍ଘ ୧୨୨ ବର୍ଷ ମଧ୍ୟରେ ଯାହା ଘଟି ନଥିଲା, ସେକଥା ୨୦୨୨ ମସିହା ଏପ୍ରିଲ ମାସରେ ଘଟିଛି। ଚଳିତ ବର୍ଷ ଏପ୍ରିଲରେ ଅନୁଭୂତ ହୋଇଥିବା ତାତି ୧୨୨ ବର୍ଷର ରେକର୍ଡ ଭାଙ୍ଗି। ୧୨୨ ବର୍ଷ ପରେ ଉତ୍ତରପଶ୍ଚିମ ଓ କେନ୍ଦ୍ରୀୟ ଭାରତରେ ଏପ୍ରିଲ ମାସରେ ଏପରି ଗ୍ରୀଷ୍ମ ପ୍ରବାହ ଦେ‌ଖିବାକୁ ମିଳିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଉତ୍ତରପଶ୍ଚିମ ଓ କେନ୍ଦ୍ରୀୟ ଭାରତରେ ପାରଦ ଚଳିତ ବର୍ଷ ଏପ୍ରିଲ ମାସରେ ରେକର୍ଡ ପରେ ରେକର୍ଡ କରିଛି। ଉତ୍ତର ପଶ୍ଚିମ ଭାରତରେ ହାରହାରି ତାପମାତ୍ରା ୩୯.୫ ଡିଗ୍ରୀ ଓ କେନ୍ଦ୍ରୀୟ ଭାରତରେ ଏହା ୩୭.୭୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ଭାରତୀୟ ପାଣିପାଗ ବିଭାଗ କହିଛି।

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, “ମେ ମାସରେ ମଧ୍ୟ ତାତିରୁ ନିସ୍ତାର ମିଳିବାର ସମ୍ଭାବନା କମ। ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ଅଞ୍ଚଳରେ ଆସୁଥିବା ଗୁଜରାଟ, ରାଜସ୍ଥାନ, ପଞ୍ଜାବ ଓ ହରିଆଣାରେ ତାପମାତ୍ରା ସବୁଠାରୁ ଅଧିକ ରହିବ। ଦକ୍ଷିଣ ପେନିନସୁଲାର ଅଞ୍ଚଳକୁ ଛାଡ଼ି ଦେଲେ ଭାରତର ଅଧିକାଂଶ ସ୍ଥାନରେ ମେ’ ମାସର ରାତି ବେଳେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହେବାର ଆଶଙ୍କା ରହିଛି। ସର୍ବଭାରତୀୟ ସ୍ତରରେ ହାରାହାରି ତାପାମାତ୍ରା ୩୦.୦୫ ଡିଗ୍ରୀ ରେକର୍ଡ କରାଯାଇଛି। ଏହା ୧୨୨ ବର୍ଷ ମଧ୍ୟରେ ୪ର୍ଥ ସର୍ବାଧିକ। ମାର୍ଚ୍ଚ ମାସ ମଧ୍ୟରେ ତାତି ସବୁ ରେକର୍ଡ ଭାଙ୍ଗିଥିଲା। ୧୯୦୧ ମସିହା ପରେ ଚଳିତ ବର୍ଷ ମାର୍ଚ୍ଚ ସବୁଠାରୁ ଉତ୍ତପ୍ତ ମାସ ସାଜିଥିଲା।”

ଶ୍ରୀ ମହାପାତ୍ର ଆହୁରି କହିଛନ୍ତି, ୨୦୨୨ ମେ’ ମାସରେ ସମଗ୍ର ଦେଶର ଅଧିକାଂଶ ସ୍ଥାନରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ। ତେବେ ଉତ୍ତରପଶ୍ଚିମ ଓ ଉତ୍ତରପୂର୍ବ ଅଞ୍ଚଳରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇପାରେ। ମାର୍ଚ୍ଚ ମାସରେ ଉତ୍ତରପଶ୍ଚିମ ପ୍ରାନ୍ତରେ ୮୯% କମ ବର୍ଷା ହୋଇଥିବା ବେଳେ ଏପ୍ରିଲରେ ଏହା ୮୩% କମ ରହିଛି ବୋଲି ସେ ସୂଚନା ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।