ନିଖୋଜର କିଛି ଘଣ୍ଟା ପରେ ପରିବାର ଲୋକଙ୍କୁ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ

ପିଲିଭିଟ: ଉତ୍ତର ପ୍ରଦେଶର ପିଲିଭିଟରେ ନିଖୋଜର କିଛି ଘଣ୍ଟା ପରେ ଦୁଇ ଭଉଣୀଙ୍କ ମୃତଦେକୁ ପରିବାର ଲୋକ ଠାବ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ଉତ୍ତରାଖଣ୍ଡ ଓ ନେପାଳ ସୀମାକୁ ଲାଗିଥିବା ଗୋଟିଏ ଇଟା ଭାଟିରେ ଦୁଇ ଉଭଣୀ ଏବଂ ସେମାନଙ୍କ ପରିବାର ଲୋକ କାମ କରନ୍ତି। ଗତକାଲି ସନ୍ଧ୍ୟାରେ ଦୁଇ ଭଉଣୀ ଘରୁ ବାହାରିଥିଲେ। ଜଣଙ୍କ ବୟସ ୧୮ ଓ ଆଉ ଜଣଙ୍କ ବୟସ ୨୦ ବର୍ଷ। ସେମାନେ ରାତି ଯାଏ ଘରକୁ ନ ଫେରିବାରୁ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜିବା ଆରମ୍ଭ କରିଥିଲେ। ଶେଷରେ ଆଜି ସକାଳୁ ସେମାନଙ୍କ ମୃତଦେହ ମିଳିଛି।

ସେମାନଙ୍କ ଶରୀରରେ କ୍ଷତଚିହ୍ନ ରହିଥିଲେ ହେଁ ଯୌନ ଉତ୍ପୀଡ଼ନର ସୂଚନା ଏଯାଏ ମିଳି ନଥିବା ପୁଲିସ୍‌ କହିଛି। ପିଲିଭିଟ ପୁଲିସ୍‌ ମୁଖ୍ୟ ଜୟ ପ୍ରକାଶ କହିଛନ୍ତି, “୩ରୁ ୪ ମାସ ହେଲା ଦୁଇ ଯୁବତୀଙ୍କ ପରିବାର ଲୋକ ଗୋଟିଏ ଇଟା ଭାଟିରେ କାମ କରୁଥିଲେ। ଗତକାଲି ପ୍ରାୟ ସନ୍ଧ୍ୟା ୭ଟା ବେଳେ ଦୁଇ ଭଉଣୀ ଘରୁ ବାହାରିଥିଲେ।

ସନ୍ଧ୍ୟାରୁ ଘରୁ ବାହାରିଥିଲେ ହେଁ ସେମାନେ ରାତି ଯାଏ ଘରକୁ ନ ଫେରିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଥିଲା। ଏହି କାରଣରୁ ପରିବାର ଲୋକ ଖୋଜା ଖୋଜି ଆରମ୍ଭ କରିଥିଲେ। ଖୋଜାଖୋଜି କରିବା ବେଳେ ପ୍ରଥମେ ଜଣଙ୍କର ମୃତଦେହ ମିଳିଥିଲା। ଆଉ ଜଣଙ୍କ ମୃତଦେହ ଆଜି ସକାଳୁ ମିଳିଛି। ଗୋଟିଏ ଗଛରେ ଦ୍ୱିତୀୟ ମୃତଦେହ ଝୁଲିଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ।

ସେମାନେ ପୁଲିସ୍‌କୁ ଖବର ଦେବା ପରେ ତଦନ୍ତକାରୀ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା। ଏଯାଏ ଯୌନ ଉତ୍ପୀଡ଼ନର ଅଭିଯୋଗ ଆସିନି। ତଥାପି ପୁଲିସ୍‌ ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରିଛି। ମୃତଦେହ ନିକଟରୁ ମୋବାଇଲ ଫୋନ ମିଳିଛି। ସେହିପରି ସେମାନଙ୍କ ବେକରେ ଦାଗ ରହିଛି।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।