ହିଜାବ ବ୍ୟାନ: କେମିତି ଅଲଗା ଅଲଗା ରାୟ ଦେଲେ ଦୁଇ ବିଚାରପତି?

ନୂଆଦିଲ୍ଲୀ: ଶିକ୍ଷାନୁଷ୍ଠାନର ଶ୍ରେଣୀ ଗୃହରେ ହିଜାବ ପରିଧାନ ଉପରେ କର୍ଣ୍ଣାଟକା ସରକାର ଲଗାଇଥିବା ବ୍ୟାନ ଠିକ୍‌ ନା ଭୁଲ? ଏହାର ନିଷ୍ପତ୍ତି ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ନେଇ ପାରି ନାହାନ୍ତି। ଦୁଇ ଜଣିଆ ଖଣ୍ଡପୀଠଙ୍କ ରାୟ ଭିନ୍ନଭିନ୍ନ ହେବାରୁ ଏବେ ମାମଲାର ଶୁଣାଣି ବୃହତ୍ତର ବେଞ୍ଚରେ ହେବ।

ମାମଲାକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ପାଖକୁ ପଠାଇ ଦିଆଯାଇଛି। ସେ ବେଞ୍ଚ ଗଠନ କରିବା ସହ ମାମଲାକୁ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିବେ।
ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠରେ ଥିବା ଜଷ୍ଟିସ ହେମନ୍ତ ଗୁପ୍ତା ହିଜାବ ବ୍ୟାନକୁ ସମର୍ଥନ କରିଥିବା ବେଳେ ଜଷ୍ଟିସ ସୁଧାଂଶୁ ଧୁଲିଆ କହିଥିଲେ ଯେ ସେ ବେଶ ସମ୍ମାନର ସହ ଏଥିରେ ଏକମତ ନୁହନ୍ତି। ତାଙ୍କ ମତରେ ଝିଅଙ୍କ ଶିକ୍ଷା ବର୍ତ୍ତମାନ ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

ହିଜାବ ସମ୍ପର୍କରେ ରାୟ ପ୍ରକାଶ କରିବା ବେଳେ ଦୁଇ ବିଚାରପତି ଅନେକ ବଡ଼ କଥା କହିଛନ୍ତି।

ଜଷ୍ଟିସ ଧୁଲିଆ ତାଙ୍କ ରାୟରେ ଧର୍ମନିରପେକ୍ଷ, ସାମ୍ବିଧାନିକ ସ୍ୱାଧୀନତା ଓ ଝିଅଙ୍କ ଶିକ୍ଷାକୁ ଅଗ୍ରାଧିକାର ଦେଇଛନ୍ତି। ସେ କହିଛନ୍ତି, “ଝିଅମାନଙ୍କ ଶିକ୍ଷାଧିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଶିକ୍ଷା ଗ୍ରହଣ କରିବାରେ ଝିଅମାନଙ୍କୁ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଅନେକ ସମସ୍ୟା ସେମାନଙ୍କ ସାମ୍ନାରେ ରହୁଛି। କିନ୍ତୁ ଆମେ ଏମିତି କିଛି ପ୍ରତିବନ୍ଧକ ଲଗାଇ ସେମାନଙ୍କ ଜୀବନକୁ ଅଧିକ ସୁନ୍ଦର କରିପାରୁଛେ?

ଆମ ସମ୍ବିଧାନର ଅନେକ ଦିଗ ମଧ୍ୟରୁ ଗୋଟିଏ ହେଉଛି ବିଶ୍ୱାସ। ଆମର ସମ୍ବିଧାନ ମଧ୍ୟ ବିଶ୍ୱାସର ଏକ ଦସ୍ତାବିଜ। ବିଦ୍ୟାଳୟରେ ଅନୁଶାସନ ରହିବା ଆବଶ୍ୟକ। କିନ୍ତୁ ଏହି ଅନୁଶାସନ ସ୍ୱାଧୀନତା ଓ ସମ୍ମାନର ମୂଲ୍ୟ ଦେଇ ନ ହେବା ଉଚିତ। ସ୍କୁଲ ଗେଟରେ ଜଣେ ସ୍କୁଲ ଛାତ୍ରୀଙ୍କୁ ହିଜାବ ବାହାର କରିବାକୁ କହିବା ତାଙ୍କ ଗୋପନୀୟତା ଓ ସମ୍ମାନ ଉପରେ ଆକ୍ରମଣ।

ହିଜାବ ପିନ୍ଧିବା ଓ ନ ପନ୍ଧିବା କେବଳ ଗୋଟିଏ ପସନ୍ଦର କଥା। ଏହାଛଡ଼ା ଆଉ କିଛି ନୁହେଁ। ସମସ୍ତ ଆବେଦନକାରୀ ହିଜାବ ପିନ୍ଧିବାକୁ ଚାହୁଁଛନ୍ତି। କ’ଣ ଗଣତନ୍ତ୍ରରେ ଏହା ପଚାରିବାକୁ ଆମେ ଅତ୍ୟଧିକ କହିବା? ଏହା କିପରି ନୈତିକତାର ବିରୋଧୀ? ଏହି ମାମଲାରେ ଫୈସଲା ନେବାବେଳେ ଝିଅମାନଙ୍କର ଶିକ୍ଷାକୁ ମୁଁ ଅଧିକ ଗୁରୁତ୍ୱ ଦେଇଥିଲି।

ଏହା ସତ କଥା ଯେ ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳରେ ଝିଅମାନଙ୍କୁ ଶିକ୍ଷା ପାଇଁ ପୂର୍ବରୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। କ’ଣ ପ୍ରତିବନ୍ଧକ ଦ୍ୱାରା ଆମେ ସେମାନଙ୍କ ଜୀବନକୁ ଅଧିକ ଉନ୍ନତ କରୁଛୁ? ଏହି ପ୍ରଶ୍ନ ମଧ୍ୟ ମୋ ମୁଣ୍ଡରେ ଚାଲିଥିଲା। ଏବେକାର ସବୁଠାରୁ ଭଲ କଥା ହେଉଛି ଯେ ସକାଳୁ ଝିଅମାନେ କାନ୍ଧରେ ନିଜ ସ୍କୁଲ ବ୍ୟାଗ ଧରି ଶିକ୍ଷାନୁଷ୍ଠାନକୁ ବାହାରୁଛନ୍ତି। ସେମାନେ ଆମର ଆଶା। ସେମାନେ ଆମର ଭବିଷ୍ୟତ। କିନ୍ତୁ ଏହା ବି ସତ ଯେ ଭାଇମାନଙ୍କ ତୁଳନାରେ ଭଉଣୀମାନେ ଶିକ୍ଷାଲାଭ କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଭାରତ ବିଭିନ୍ନ ପ୍ରାନ୍ତରେ ଝିଅମାନେ ସ୍କୁଲ ଯିବା ପୂର୍ବରୁ ଘରର କାମ କରୁଛନ୍ତି। କ’ଣ ଆମେ ସେମାନଙ୍କ ଜୀବକୁ ଏହି ପ୍ରସଙ୍ଗରେ ଯୋଡ଼ି ଅଧିକ ଉନ୍ନତ କରୁଛୁ?”

ଅନ୍ୟପକ୍ଷରେ ଜଷ୍ଟିସ ହେମନ୍ତ ଗୁପ୍ତା ହିଜାବ ବ୍ୟାନ ବିରୋଧରେ ହୋଇଥିବା ଆବେଦନକୁ ଅଗ୍ରାହ୍ୟ କରିଛନ୍ତି। ସେ କହିଛନ୍ତି, ଧର୍ମନିରପେକ୍ଷତା ସବୁ ନାଗରିକଙ୍କ ପାଇଁ ଲାଗୁ। ତେଣୁ ଗୋଟିଏ ଧର୍ମର ଲୋକଙ୍କୁ ଧାର୍ମିକ ପୋଷାକ ପରିଧାନ କରିବାକୁ ଅନୁମତି ଦେବା ଧର୍ମନିପେକ୍ଷାତା ପ୍ରତି ଧକ୍କା। ଶ୍ରେଣୀ ଗୃହରେ ଧାର୍ମିକ ପୋଷାକ ପରିଧାନ କରିବାକୁ ଅନୁମତି ଦେଲେ ସାମ୍ବିଧାନିକ ମୂଲ୍ୟବୋଧର ପରାଜୟ ହେବ।

ସରକାରଙ୍କ ଦ୍ୱାରା ପରିଚାଳିତ ସ୍କୁଲରେ ସବୁ ଧର୍ମ, ଜାତି, ବର୍ଣ୍ଣ ଓ ଭାଷା ନିର୍ବିଶେଷରେ ପିଲାମାନଙ୍କ ନାମଲେଖାଇବାକୁ ଅନୁମତି ରହିଛି। ବାଧ୍ୟତାମୂଳକ ଭାବେ କୌଣସି ବି ସ୍ଥିତିରେ ପିଲାଙ୍କୁ କେହି ନାମା ଲେଖାଇବାକୁ ବାରଣ କରିପାରିବେ ନାହିଁ। ତେଣୁ ପିଲାମାନଙ୍କୁ ମଧ୍ୟ ସ୍କୁଲର ଶୃଙ୍ଖଳା ମାନିବାକୁ ପଡ଼ିବ। ବିଶେଷ କରି ୟୁନଫର୍ମ ନିୟମକୁ ସେମାନେ ମାନିବେ।

ସରକାରୀ ପାଣ୍ଠିରେ ପରିଚାଳିତ ଧର୍ମନିରପେକ୍ଷ ସ୍କୁଲରେ ଧର୍ମର ସଙ୍କେତକୁ ଅନୁମତି ଦିଆଯାଇ ପାରିବ ନାହିଁ। ଧାର୍ମିକ ପୋଷାକ ପରିଧାନ କରିବାର ଅଧିକାର ସମସ୍ତଙ୍କର ରହିଛି। କିନ୍ତୁ ସରକାରୀ ଅନୁଷ୍ଠାନରେ ମଧ୍ୟ କିଛି ନିର୍ଦ୍ଦିଷ୍ଟ ସୀମା ରହିଛି। ତେଣୁ ଏହାକୁ ଅଣଦେଖା କରାଯାଇ ପାରିବ ନାହିଁ।”

ଜଷ୍ଟିସ ଗୁପ୍ତା ତାଙ୍କ ରାୟରେ କିଛି ପ୍ରଶ୍ନ ପଚାରିଛନ୍ତି

୧- କ’ଣ ଏହି ଆବେଦନକୁ ଗୋଟିଏ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଯିବ?

୨-ଶିକ୍ଷାନୁଷ୍ଠାନ ଶିକ୍ଷାର୍ଥୀଙ୍କ ୟୁନିଫର୍ମ ଉପରେ ନିଷ୍ପତ୍ତି ନେଇପାରିବ?

୩-ହିଜାବ ପରିଧାନ ଓ ଏହା ଉପରେ କଟକଣା ଲଗାଇବା ଧାରା ୨୫( ଧାର୍ମିକ ସ୍ୱାଧୀନତା)କୁ ଉଲ୍ଲଙ୍ଘନ କରୁଛି?

୪- ଧାରା ୨୫ ଓ ଧାରା ୧୯( ବାକ ସ୍ୱାଧୀନତା ଓ ସ୍ୱାଧୀନ ମତବ୍ୟକ୍ତ) ପରସ୍ପର ଅନ୍ୟନ୍ୟ?

୫- କର୍ଣ୍ଣାଟକା ସରକାର ବ୍ୟାନ ମୌଳିକ ଅଧିକାରୀକୁ ଉଲ୍ଲଙ୍ଘନ କରୁଛି?

୬- ଇସଲାମରେ ହିଜାବ ପରିଧାନ ବାଧ୍ୟତାମୂଳକ?

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।