କୁଖ୍ୟାତ ଚେନ ଲୁଟେରାକୁ ଫିଲ୍ମ ଷ୍ଟାଇଲରେ ଧରିଲେ ଲେଡି ପୁଲିସ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଆତଙ୍କ ରଚୁଥିବା କୁଖ୍ୟାତ ଚେନ ଲୁଟେରା ଅରମାନ ଶେଷରେ ଧରା ପଡ଼ିଛି। ଜଣେ ଲେଡି ଅଫିସର ପୂରା ଫିଲ୍ମ ଷ୍ଟାଇଲରେ ଅପରେସନ କରି ତାକୁ କାବୁ କରିଛନ୍ତି। ଅରମାନକୁ କାବୁ କରିବା ବେଳେ ଏକାଧିକ ରାଉଣ୍ଡ ଗୁଳି ମଧ୍ୟ ଚାଲିଛି।

୬୦ରୁ ଅଧିକ ଚେନ ଓ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ଲୁଟ ମାମଲାରେ ସାମିଲ ଥିବା ଅରମାନକୁ ଗିରଫ କରାଯିବା ପରେ ଲେଡି ଅଫିସର ସରୋଜ ସିଂହଙ୍କୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଛି।

ମିଳିଥିବା ସୂଚନା ଅନୁଯାୟୀ, ବିଗତ କିଛି ଦିନ ହେଲା ଦିଲ୍ଲୀର ଦ୍ୱାରକା ଓ ଏହାର ଆଖାପାଖ ଅଞ୍ଚଳରେ ଛିନ୍ତାଇ ମାମଲା ବଢ଼ି ଚାଲିଥିଲା। ଜଣେ ବାଇକର ମହିଳାମାନଙ୍କୁ ଟାର୍ଗେଟ କରି ବାରମ୍ବାର ଏପରି ଘଟାଇବା ପୁଲିସ୍‌ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ପୁଲିସ୍‌ ଯାଞ୍ଚ କରିବା ବେଳେ ଅରମାନ ସମ୍ପର୍କରେ ଜାଣିବାକୁ ପାଇଥିଲେ।

ତେବେ ତା’କୁ ଧରିବା ସହଜ ନଥିଲା। ଶେଷରେ ପୁଲିସ ଅଫିସର ସରୋଜ ସିଂହଙ୍କ ନେତୃତ୍ୱରେ ଗୋଟିଏ ଟିମ ଗଠନ କରାଯିବା ସହ ଅପରେସନ ‘ହମ ଭି ହୈ’ ଆରମ୍ଭ କରାଯାଇଥିଲା।

ଅପରେସନ ବେଳେ ଶନିବାର ଦ୍ୱାରକାର ସେକ୍ଟର ୧୩ରେ ଅରମାନ ରହିଥିବା ଖବର ମିଳିଥିଲା। ତା’କୁ ରଙ୍ଗେହାତ ଧରିବା ପାଇଁ ସରୋଜ ସିଂହ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ସେ ଜଣେ ସାଧାରଣ ମହିଳା ଭାବେ ସୁନା ଚେନ ପିନ୍ଧି ରାସ୍ତାରେ ଚାଲିବା ଆରମ୍ଭ କରିଥିଲେ। ତାଙ୍କ ଟିମ୍‌ର ଅନ୍ୟ ଅଧିକାରୀମାନେ ଗୁପ୍ତ ଭାବେ ଆଖପାଖ ଅଞ୍ଚଳରେ ଛପି ରହିଥିଲେ। ଏହି ସମୟରେ ଅରମାନ ଗାଡ଼ି ଯୋଗେ ସରୋଜ ପିନ୍ଧିଥିବା ସୁନା ଚେନ୍‌କୁ ଲୁଟ କରିବାକୁ ଉଦ୍ୟମ କରିଥିଲା।

ହେଲେ ଗୁପ୍ତ ଭାବେ ରହିଥିବା ଅନ୍ୟ ପୁଲିସ ଅଧିକାରୀମାନେ ତା’ ରାସ୍ତା ଓଗାଳିଥିଲେ। ଏହା ଦେଖି ଅରମାନ ଗୁଳି ଚଳାଇଥିଲା। ସରୋଜ ସିଂହ ମଧ୍ୟ ନିଜ ବନ୍ଧୁକ କାଢ଼ି ତାକୁ ଗୁଳି କରିଥିଲେ। ଗୁଳିଟି ଅରମାନର ଗୋଡ଼ରେ ବାଜିବାରୁ ସେ ଟଳି ପଡ଼ିଥିଲା। ଶେଷରେ ତାକୁ ହସ୍ପିଟାଲ ନିଆଯିବା ସହ ସବୁ ପ୍ରକାରର ଚିକିତ୍ସା ଯୋଗାଇ ଦିଆଯାଇଥିଲା।

ଏବେ ସେ ସୁସ୍ଥ ଥିବା ଡାକ୍ତର କହିଛନ୍ତି। ସରୋଜ ସିଂହ ଓ ତାଙ୍କ ଟିମ ପାଇଁ ଦିଲ୍ଲୀ ପୁଲିସ୍‌ ଏତେ ବଡ଼ ସଫଳତା ପାଇଥିବା ପୁଲିସ୍‌ ଅଧିକାରୀ ଶଙ୍କର ଚୌଧୁରୀ ସୂଚନା ଦେଇଛନ୍ତି।

୨୨ ବର୍ଷୀୟ ଅରମାନ ଦିଲ୍ଲୀର ଜାହାଙ୍ଗିରପୁରୀରେ ରୁହେ। ଏହାକୁ ଲାଗିଥିବା ଗୁରୁଗ୍ରାମରେ ତା’ ନାଁରେ ୨୫ଟି ଚୋରି ମାମଲା ରହିଛି। ସେହିପରି ଦ୍ୱାରକା ଜିଲ୍ଲାରେ ତା’ ନାଁରେ ୩୬ଟି ମାମଲା ରହିଥିଲା। ଏବେ ସେ ଧରା ପଡ଼ିବା ପରେ ଏହି ସବୁ ମାମଲା ସମାଧାନ ହୋଇଥିବା ଶ୍ରୀ ଚୌଧୁରୀ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।