ବୟାନ ରେକର୍ଡ ପାଇଁ କ୍ରାଇମବ୍ରାଞ୍ଚ ଅଫିସରେ ହ୍ରିତିକ ରୋଶନ

ମୁମ୍ବାଇ: ବଲିଉଡ ଷ୍ଟାର ହ୍ରିତିକ ରୋଶନ ୨୦୧୬ ଫେକ୍‌ ଇ-ମେଲ୍‌ ମାମଲାରେ ନିଜର ବୟାନ ରେକର୍ଡ କରାଇବାକୁ ଆଜି ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚିଛନ୍ତି। ୨୦୧୬ରେ ତାଙ୍କ ନାଁରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଇ-ମେଲ୍ ପଠାଯାଇଥିବା ନେଇ ସେ ଅଭିଯୋଗ କରିଥିଲେ।

ଏହି କାରଣରୁ ତାଙ୍କୁ କ୍ରାଇମବ୍ରାଞ୍ଚ ଦିନ ୧୧ଟାରେ ଅଫିସରରେ ହାଜର ହେବାକୁ କହିଥିଲା। ସମନ୍ ଅନୁସାରେ ହ୍ରିତିକ କଳା ଟି-ଶର୍ଟ, ଜିନ୍ସ ଓ କ୍ୟାପ୍ ପିନ୍ଧି ନିଜ ଘରୁ ବାହାରିଥିଲେ। ଏହାପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ କ୍ରାଇମବ୍ରାଞ୍ଚ ଅଫିସକୁ ଯାଇଥିଲେ।

୨୦୧୬ରେ କଙ୍ଗନାଙ୍କ ସହ ସୋଶାଲ ମିଡିଆରେ ହ୍ରିତିକଙ୍କ ଜୋରଦାର ଯୁଦ୍ଧ ହୋଇଥିଲା। କଙ୍ଗନା ତାଙ୍କୁ ଏକ୍ସ ସିଲି ବା ପୂର୍ବତନ ନିର୍ବୋଧ ବୋଲି କହିଥିଲେ। ଏହାପରେ ହ୍ରିତିକ ତାଙ୍କୁ ଲିଗାଲ ନୋଟିସ ପଠାଇଥିଲେ। ତାଙ୍କ ଇ-ମେଲ୍‌ରୁ କଙ୍ଗନାଙ୍କ ପାଖକୁ ପ୍ରେମ ଭରା ମେସେଜ ଯାଇଥଇଲେ ହେଁ ହ୍ରିତିକ ଏ ବିଷୟରେ କିଛି ଜାଣି ନଥିବା କହିଥିଲେ।

ଏପରି କି କଙ୍ଗନାଙ୍କ ସହ ତାଙ୍କର କୌଣସି ପ୍ରେମ ସମ୍ପର୍କ ନାହିଁ ବୋଲି ସେ ସମସ୍ତଙ୍କୁ ଜଣାଇଥିଲେ। ଏଥିସହ କଙ୍ଗନା ତାଙ୍କ ପାଖକୁ ଅନେକ ଖରାପ ଇ-ମେଲ ପଠାଇଥିବା ସେ ଅଭିଯୋଗ କରିଥିଲେ।

ଶେଷରେ ହ୍ରିତିକ ତାଙ୍କ ନାଁରେ କେହି ଫେକ୍‌ ଆଇଡି ଖୋଲି ୨୦୧୩ରୁ ୨୦୧୪ ମଧ୍ୟରେ କଙ୍ଗନାଙ୍କୁ ପ୍ରେମ ସମ୍ପର୍କିତ ଇ-ମେଲ କରିଥିବା ଦାବି କରି ପୁଲିସ୍‌ ନିକଟରେ ଫେରାଦ ହୋଇଥିଲେ। ୨୦୧୬ରେ ଘଟଣାର ତଦନ୍ତ ପାଇଁ ସାଇବର ସେଲ ହ୍ରିତିକଙ୍କ ଲ୍ୟାପଟପ ଓ ଫୋନ୍‌ ନେଇଥିଲା।

ଗତବର୍ଷ ଡିସେମ୍ବର ମାସରେ ତାଙ୍କ ଓକିଲ ମୁମ୍ବାଇ ପୁଲିସ୍‌ କମିଶନରଙ୍କ ଦ୍ୱାରସ୍ଥ ହୋଇ କେସ୍‌ର ସ୍ଥିତାବସ୍ଥା କଥା ବୁଝିଥିଲେ। ଏହାପରେ ମାମଲାର ତଦନ୍ତ ଦାୟିତ୍ୱ ମୁମ୍ବାଇ କ୍ରାଇମବ୍ରାଞ୍ଚର ଅପରାଧ ଗୁଇନ୍ଦା ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା। କ୍ରାଇମବ୍ରାଞ୍ଚ ଶୁକ୍ରବାର ହ୍ରିତିକଙ୍କୁ ବୟାନ ରେକର୍ଡ ପାଇଁ ସମନ କରିବାରୁ କଙ୍ଗାନା ଏହାକୁ ତାଚ୍ଛଲ୍ୟ କରିଥିଲେ।

ସେ କହିଥିଲେ, “ବିଶ୍ୱ ଆଗକୁ ବଢ଼ିଲାଣି ହେଲେ ‘ନିର୍ବୋଧ ଏକ୍ସ’ ସେହି ସ୍ଥାନରେ ରହିଛନ୍ତି। ସେହି ସ୍ଥାନକୁ କେବେ ହେଲେ ସମୟ ଫେରିବ ନାହିଁ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।