କରୋନା କଟକଣାକୁ ଭୁଲି ଗଲେ, ଏକାଠି ହେଲେ ଶହଶହ ସପା କର୍ମୀ

ଲକ୍ଷ୍ନୌ: କରୋନା ସଂକ୍ରମଣକୁ ରୋକିବା ପାଇଁ ନିର୍ବାଚନ କମିଶନ ସମସ୍ତ ପ୍ରକାରର ବିଶାଳ ସମାବେଶ ଉପରେ ରୋକ ଲଗାଇଛନ୍ତି। ହେଲେ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି(ସପା) ଏହାର ଖୋଲାଖୋଲି ଉଲ୍ଲଙ୍ଘନ କରିଛି। ଆଜି ଲକ୍ଷ୍ନୌ ସ୍ଥିତ ଦଳର ମୁଖ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଶହଶହ ସପା କର୍ମୀ ଯୋଗ ଦେଇଥିବା ଭିଡିଓ ସାମ୍ନାକୁ ଆସିଛି।

ସପା ପକ୍ଷରୁ ଏହାକୁ ଭର୍ଚ୍ୟୁଆଲ ରାଲିର ନାଁ ଦିଆଯାଇଥିଲେ ମଧ୍ୟ କାର୍ଯ୍ୟାଳୟ ବାହାରେ ଅସଂଖ୍ୟ କର୍ମୀଙ୍କ ସମାବେଶ ହୋଇଥିଲା। ଏହି ସମାବେଶକୁ ସପା ମୁଖ୍ୟ ଅଖିଲେଶ ଯାଦବ ଓ ବିଜେପି ଛାଡ଼ି ଥିବା ପୂର୍ବତନ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସମ୍ବୋଧନ କରିଥିଲେ।

କଟକଣାକୁ ଉଲ୍ଲଙ୍ଘନ କରାଯାଇଥିବାରୁ ପୁଲିସ୍‌ ସପା ମୁଖ୍ୟାଳୟ ବାହାରେ ଲୋକଙ୍କୁ ଘଉଡ଼ାଉଥିବା ଦେଖିବାକୁ ମିଳିଛି। ସେହିପରି ସପା ବିରୋଧରେ ଏଫଆଇଆର ମଧ୍ୟ ରୁଜୁ କରାଯାଇଛି। ଲକ୍ଷ୍ନୌ ପୁଲିସ୍‌ କମିଶନର ଡିକେ ଠାକୁର କହିଛନ୍ତି, “ସହରର ପୁଲିସ୍‌ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛି। ନିର୍ବାଚନ କମିଶନ ଗହଳୀ ଉପରେ ରୋକ ଲଗାଇଛନ୍ତି। ଏହାକୁ ପାଳନ କରିବା ପାଇଁ ସମସ୍ତଙ୍କୁ କୁହାଯାଉଛି। ଆମେ ସୋଶାଲ ମିଡିଆରେ ସପା ଅଫିସ ବାହାରେ ଭିଡ଼ ହୋଇଥିବା ସୂଚନା ପାଇଥିଲୁ। ଏହାପରେ ପୁଲିସ ତୁରନ୍ତ ସେଠାରେ ପହଞ୍ଚି ଭିଡ଼କୁ ଘଉଡ଼ାଇଥିଲା।”


ଲକ୍ଷ୍ନୌ ଜିଲ୍ଲା ମାଜିଷ୍ଟ୍ରେଟ ଅଭିଷେକ ପ୍ରକାଶ କହିଛନ୍ତି ଯେ ସମାଜବାଦୀ ପାର୍ଟିର ଭର୍ଚ୍ୟୁଆଲ ରାଲି ବିନା ଅନୁମତିରେ ଆୟୋଜନ କରାଯାଇଛି। ଭିଡ଼ ସମ୍ପର୍କରେ ଖବର ପାଇ ପୁଲିସ୍‌ ଟିମ ଓ ମାଜିଷ୍ଟ୍ରେଟ ସପା ଅଫିସକୁ ଯାଇଥିଲେ। ସେମାନଙ୍କ ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅନ୍ୟପକ୍ଷରେ ସପାର ଉତ୍ତର ପ୍ରଦେଶ ମୁଖ୍ୟ ନରେଶ ଉତ୍ତମ ପଟେଲ କହିଛନ୍ତି, “ଆମେ ଅଫିସ ଭିତରେ ଭର୍ଚ୍ୟୁଆଲ ମୋଡରେ ସମାବେଶ ହେଉଥିଲା। ଆମେ କାହାକୁ ଡାକି ନଥିଲୁ। କିନ୍ତୁ ଲୋକମାନେ ସ୍ୱତ୍ତଃସ୍ଫୁତ ଭାବେ ଆସିଥିଲେ। ସମସ୍ତେ କରୋନା କଟକଣାକୁ ମାନିଛନ୍ତି।

ବିଜେପି ମନ୍ତ୍ରୀମାନଙ୍କ ଘର ପାଖରେ ପ୍ରବଳ ଭିଡ଼ ହେଉଛି। ମାର୍କେଟରେ ମଧ୍ୟ ଲୋକ ଏକାଠି ହେଉଛନ୍ତି। କିନ୍ତୁ ସରକାରୀ କଳର ସମସ୍ୟା ଆମ ପାଖରେ ରହିଛି।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।