ସ୍ୱାମୀ ଚା’ ପିଇଲେନି ବୋଲି ଆତ୍ମହତ୍ୟା କଲେ ଧର୍ମ ପତ୍ନୀ !

କୋଟା: ଏକ ଛୋଟ କଥାକୁ ନେଇ ଜୀବନ ହାରିଛନ୍ତି ଜଣେ ମହିଳା। ରାଜସ୍ଥାନ କୋଟାରେ ଏହି ଅଭାବାନୀୟ ଘଟଣା ଘଟିଛି। ପୁଲିସ କହିଛି ସ୍ୱାମୀ ଚା’ ନପିଇ ଘରୁ ବାହାରକୁ ଯିବାରୁ ରାଗିଯାଇ ମହିଳା ଜଣଙ୍କ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ତେବେ ପତ୍ନୀର ମୃତ୍ୟୁ ଖବର ଶୁଣିବା ପରେ ସ୍ୱାମୀ ଜଣଙ୍କ ସଙ୍ଗେସଙ୍ଗେ ଘରକୁ ଫେରିଥିଲେ ବୋଲି ପୁଲିସ କହିଛି। ମୃତ ମହିଳାଙ୍କ ସ୍ୱାମୀ ଜଣେ ଔଷଧ ଦୋକାନୀ। ତାଙ୍କର ତିନି ଜଣ ସନ୍ତାନ ରହିଛନ୍ତି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତକଙ୍କ ଶବ ହସ୍ତାନ୍ତର କରାଯାଇଛି।

ମୃତକ ଜଣଙ୍କ ହେଉଛନ୍ତି କମଲେଶ। ତାଙ୍କ ସ୍ୱାମୀଙ୍କ ନାମ ସୁରଜମଲ। ଆରକେପୁର ଥାନାର ଏସଆଇ ଜବାହର ଲାଲ କହିଛନ୍ତି, ଉଭୟ ଦମ୍ପତି ଶ୍ରାନାଥପୁରମ-ସି’ରେ ପିଲା ଛୁଆଙ୍କ ସହିତ ରହୁଥିଲେ। ମହିଳାଙ୍କ ସ୍ୱାମୀ ଇଟାଓ୍ୱାରେ ଏକ ଔଷଧ ଦୋକାନ କରିଛନ୍ତି। ସପ୍ତାହକରେ ସେ ଥରେ କୋଟା ବୁଲିବାକୁ ଆସୁଥିଲେ। ମୃତକଙ୍କ ଝିଅ ଯୁକ୍ତ ୨ରେ ପାଠ ପଢ଼ୁଥିଲେ। ଆଉ ପୁଅ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିଲେ। ଝିଅର ପାଠ ପଢ଼ିବା ପାଇଁ ସେ କୋଟାରେ ରହୁଥିଲେ।

ମହାଶିବରାତ୍ରୀ ପାଇଁ କମଲେଶ ସ୍ୱାମୀଙ୍କୁ ଡକାଇଥିଲେ। ଶିବରାତ୍ରୀ ପାଇଁ ଜରୁରୀ ଜିନିଷ ଆଣିବାର ଥିଲା। ଆଉ ସୁରଜମଲ ମଧ୍ୟ ବୁଧବାର ଘରକୁ ଆସିଥିଲେ। ହେଲେ ସୁରଜମଲ ଗୁରୁବାର ସକାଳେ ଘରୁ ବାହାରିଥିଲେ ଦୋକାନକୁ ଯିବା ପାଇଁ। ଆଉ ଚା’ ପିଇ ଯିବା ପାଇଁ ତାଙ୍କୁ କହିଥିଲେ କମଲେଶ। ହେଲେ ସୁରଜମଲ ଚା’ ନପିଇ ଘରୁ ବାହାରିଯାଇଥିଲେ। ଆଉ ଏହାକୁ ନେଇ କମଲେଶ ଦୁଃଖ ପ୍ରକାଶ କରିଥିଲେ। ଆଉ କିଛି ସମୟପରେ କମଲେଶ ଘରର କବାଟ ବନ୍ଦ କରି ଦେଇଥିଲେ। ଏହି ସମୟରେ ବଡ଼ ଝିଅ ବି ଘର ଭିତରେ ଥିଲା। ବଡ଼ ଝିଅ କବାଟ ଖଟ ଖଟ କରିଥିଲା। ହେଲେ କୌଣସି ଜବାବ ମିଳିନଥିଲା।

ପରେ ଖିଡକୀ ଭାଙ୍ଗି ଝିଅଟି ଘର ଭିତରକୁ ପ୍ରବେଶ କରିଥିଲା। ଏହାପରେ ନିଜ ମା’ର ଝୁଲନ୍ତା ଶରୀର ଦେଖିଥିଲା। ଏହାପରେ ସେ ତା’ ବାପାକୁ ଖବର ଦେଇଥିଲା। ଆଉ ସୁରଜମାଲ ଘରକୁ ଫେରିବା ପରେ ରଶିରୁ ଉଦ୍ଧାର କରିଥିଲେ କମଳେଶଙ୍କୁ। ହସ୍ପିଟାଲକୁ ସଙ୍ଗେସଙ୍ଗେ ସୁରଜମାଲ ପତ୍ନୀଙ୍କୁ ନେଇଥିଲେ। ଆଉ ଡାକ୍ତର ମୃତ ଘୋଷଣା କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।