ନିଜକୁ କଂଗ୍ରେସର ପୂର୍ଣ୍ଣକାଳୀନ ସଭାପତି କହିଲେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ: ନେତୃତ୍ୱ ବିହୀନ କଂଗ୍ରେସକୁ ନେଇ ଦଳୀୟ କନ୍ଦଳ ତୀବ୍ର ରୂପ ନେଇଥିବା ବେଳେ ଆଜି ଗୁରୁତ୍ୱପୂର୍ଣ୍ଣ ସିଡବ୍ଲ୍ୟୁସି ବୈଠକ ଆରମ୍ଭ ହୋଇଛି। ଏଥିରେ ଦଳର ସ୍ଥାୟୀ ଅଧ୍ୟକ୍ଷ ନିର୍ବାଚନ ଠାରୁ ଆରମ୍ଭ କରି ବର୍ତ୍ତମାନର ରାଜନୀତିକ ସ୍ଥିତି ଓ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ରଣନୀତି ସମ୍ପର୍କରେ ଆଲୋଚନା ହେଉଛି। ତେବେ ଏହି ବୈଠକରେ ସୋନିଆ ଗାନ୍ଧି ବଡ଼ ବୟାନ ଦେଇଛନ୍ତି। ସେ ନିଜକୁ କଂଗ୍ରେସର ପୂର୍ଣ୍ଣକାଳୀନ ସଭାପତି ଭାବେ ଘୋଷଣା କରିବା ସହ […]

Sonia

Sonia

Hemant Lenka
  • Published: Saturday, 16 October 2021
  • Updated: 16 October 2021, 12:35 PM IST

Sports

Latest News

ନୂଆଦିଲ୍ଲୀ: ନେତୃତ୍ୱ ବିହୀନ କଂଗ୍ରେସକୁ ନେଇ ଦଳୀୟ କନ୍ଦଳ ତୀବ୍ର ରୂପ ନେଇଥିବା ବେଳେ ଆଜି ଗୁରୁତ୍ୱପୂର୍ଣ୍ଣ ସିଡବ୍ଲ୍ୟୁସି ବୈଠକ ଆରମ୍ଭ ହୋଇଛି। ଏଥିରେ ଦଳର ସ୍ଥାୟୀ ଅଧ୍ୟକ୍ଷ ନିର୍ବାଚନ ଠାରୁ ଆରମ୍ଭ କରି ବର୍ତ୍ତମାନର ରାଜନୀତିକ ସ୍ଥିତି ଓ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ରଣନୀତି ସମ୍ପର୍କରେ ଆଲୋଚନା ହେଉଛି।

ତେବେ ଏହି ବୈଠକରେ ସୋନିଆ ଗାନ୍ଧି ବଡ଼ ବୟାନ ଦେଇଛନ୍ତି। ସେ ନିଜକୁ କଂଗ୍ରେସର ପୂର୍ଣ୍ଣକାଳୀନ ସଭାପତି ଭାବେ ଘୋଷଣା କରିବା ସହ ନେତୃତ୍ୱ ସଙ୍କଟକୁ ନେଇ ସ୍ୱର ଉଠାଇଥିବା ତଥାକଥିତ ଜି-୨୩ ନେତାଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି। ଏହି ଜି-୨୩ ଗ୍ରୁପ୍‌ର ନେତାମାନେ ସାଂଗଠନିକ ନିର୍ବାଚନ ଓ କଂଗ୍ରେସର ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ପାଇଁ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ। ଆଜିର ସିଡବ୍ଲ୍ୟୁସି ବୈଠକରେ ମଧ୍ୟ ଚିଠି ଲେଖିଥିବା ନେତାମାନେ ଉପସ୍ଥିତ ରହିଥିବା ଜଣାପଡ଼ିଛି। ମୋଟ ୫୨ ଜଣ ନେତାଙ୍କୁ ନେଇ ବୈଠକ ବସିଛି।

ସୋନିଆ ଗାନ୍ଧି ନେତୃତ୍ୱ ସଙ୍କଟକୁ ନେଇ ଉଠିଥିବା ଅଭିଯୋଗ ଉପରେ କହିଛନ୍ତି “ମୁଁ ପୂର୍ଣ୍ଣକାଳୀନ ସଭାପତି। ମୁଁ ସବୁବେଳେ ସ୍ପଷ୍ଟବାଦୀଙ୍କୁ ସମ୍ମାନ କରେ। ଅଭିଯୋଗ ଶୁଣିବାକୁ ପସନ୍ଦ କରେ। ମିଡିଆ ସହାୟତାରେ ମୋ ସହ କଥା ହେବାର ଆବଶ୍ୟକ ନାହିଁ। ପୂରା ସଂଗଠନ କଂଗ୍ରେସକୁ ପୁଣି ଶକ୍ତ କରିବାକୁ ଚେଷ୍ଟା କରୁଛି। କିନ୍ତୁ ଏଥିପାଇଁ ସମସ୍ତଙ୍କ ମଧ୍ୟରେ ଏକତା ଓ ସର୍ବୋପରି ଦଳ ସୁବଠାରୁ ଉପରେ ରହିବା ଜରୁରୀ। ଆତ୍ମ ନିୟନ୍ତ୍ରଣ ଓ ଅନୁଶାସନର ଆବଶ୍ୟକତା ରହିଛି। ଆପଣମାନଙ୍କ ଅନୁମତିକ୍ରମେ ମୁଁ ମୁଁ ପୂର୍ଣ୍ଣକାଳୀନ ଓ ସକ୍ରିୟ କଂଗ୍ରେସ ଅଧ୍ୟକ୍ଷ ଭାବେ ରହିଛି।”

ଚାଷୀ ଆନ୍ଦୋଳନ ଓ ମହାମାରୀ କରୋନା ସମୟରେ ସୋନିଆ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଲୋକଙ୍କ ସହଯୋଗ ପାଇଁ କରିଥିବା ଉଦ୍ୟମକୁ ମଧ୍ୟ ବୈଠକରେ ସମସ୍ତଙ୍କୁ ଜଣାଇଛନ୍ତି। ସେ କହିଛନ୍ତି, ଆପଣମାନେ ଭଲ ଭାବେ ଜାଣିଛନ୍ତି ଯେ ସବୁ ପ୍ରସଙ୍ଗ ମୁଁ ପ୍ରଧାନମନ୍ତ୍ରୀଙ୍କ ଆଗରେ ଉଠାଇଛି। ରାହୁଲ ଗାନ୍ଧି ଓ ଡ ମନମୋହନ ସିଂହ ଯେମିତି କରିଥିଲେ ମୁଁ ମଧ୍ୟ ସେମିତି କରିଥିଲି। ମୁଁ ସମାନ ବିଚାରଧାରା ରଖିଥିବା ଦଳମାନଙ୍କ ସହ ଆଲୋଚନା କରୁଛି। ଆମେ ସବୁବେଳେ ଜାତୀୟ ପ୍ରସଙ୍ଗରେ ମିଳିତ ବିବୃତି ଜାରି କରିଛୁ ଓ ସଂସଦରେ ଆମ ରଣନୀତିରେ ସମନ୍ୱୟ ରକ୍ଷା କରିଛୁ ବୋଲି ସେ କହିଛନ୍ତି।

ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ ଓ ଛତିଶଗଡ଼ରେ ଦେଖାଯାଇଥିବା ଦଳୀୟ କନ୍ଦଳ ସମ୍ପର୍କରେ ମଧ୍ୟ ସୋନିଆ ବୈଠକରେ ମତ ରଖିଛନ୍ତି। ସେ କହିଛନ୍ତି, “କିଛି ଦିନ ପୂର୍ବରୁ ବିଧାନସଭା ନିର୍ବାଚନ ପାଇଁ ଆମ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଆମେ ଅନେକ ଚ୍ୟାଲେଞ୍ଜରେ ସମ୍ମୁଖୀନ ହେଉଛେ। ଏଥିରେ ସନ୍ଦେହ ନାହିଁ। କିନ୍ତୁ ଯଦି ଆମେ ଏକାଠି ରହିବା ଓ ଦଳର ସ୍ୱାର୍ଥ କଥା ଚିନ୍ତା କରିବେ, ତା’ହେଲେ ଆମେ ନିଶ୍ଚିତ ଭଲ କରିପାରିବା।”

ଖୁବଶୀଘ୍ର ସାଂଗଠନିକ ନିର୍ବାଚନ ଦ୍ୱାରା କଂଗ୍ରେସର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନିଯୁକ୍ତ କରାଯିବ ବୋଲି ସୋନିଆ କହିଛନ୍ତି। ଏହି ଅବସରେ ସେ ମୋଦି ସରକାରଙ୍କ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନ ପରେ ରାହୁଲ ଗାନ୍ଧି କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସୋନିଆ ଦଳର ଅନ୍ତରୀଣ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ମେ’ ମାସରେ ସ୍ଥାୟୀ ଅଧ୍ୟକ୍ଷ ନିର୍ବାଚନ ହେବାକୁ ଥିବା ବେଳେ ମହାମାରୀ କରୋନା ଯୋଗୁ ଏହା ସମ୍ଭବ ହୋଇପାରି ନାହିଁ। ଏସବୁ ଭିତରେ ଦଳରେ କନ୍ଦଳ ସୃଷ୍ଟି ହେବାରୁ କପିଲ ଶିବଲଙ୍କ ଠାରୁ ଆରମ୍ଭ କରି ଗୁଲାମ ନବୀ ଆଜାଦ, ଶଶି ଥରୁରଙ୍କ ଭଳି ନେତାମାନେ ସ୍ଥାୟୀ ଅଧ୍ୟକ୍ଷ ତୁରନ୍ତ ନିଯୁକ୍ତ ହେବା ସପକ୍ଷରେ ମତ ଦେଇଥିଲେ। ଏଥିସହ ସେମାନେ ସାଂଗଠନିକ ପରିବର୍ତ୍ତନ କଥା ମଧ୍ୟ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos