‘‘ଆପଣଙ୍କ ନୀରବତା ଘୃଣା ସୃଷ୍ଟିକାରୀ ବୟାନକୁ ପ୍ରୋତ୍ସାହିତ କରୁଛି’’

ନୂଆଦିଲ୍ଲୀ: ଦେଶରେ ଘୃଣା ଓ ବିଦ୍ୱେଷ ସୃଷ୍ଟିକାରୀ ବୟାନ ଦିନକୁ ଦିନ ବଢ଼ିବାରେ ଲାଗିଛି। ଜାତି ଓ ଧର୍ମଗତ ହିଂସା ମଧ୍ୟ ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ଆଇଆଇଏମର ଶତାଧିକ ଛାତ୍ରଛାତ୍ରୀ ଓ ପ୍ରଫେସରମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲା ଚିଠି ଲେଖିଛନ୍ତି।

ସେମାନେ ଚିଠିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜାତିଗତ ହିଂସା ଓ ହେଟ ସ୍ପିଚ ବିରୋଧରେ ନୀରବତା ଭାଙ୍ଗିବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନୀରବତା ଘୃଣା ସୃଷ୍ଟିକାରୀ ବୟାନକୁ ଅଧିକ ପ୍ରୋତ୍ସାହିତ କରୁଛି ବୋଲି ସେମାନେ ଚିଠିରେ ଉଲ୍ଲେଖ କରିଛନ୍ତି।

ସେମାନେ କହିଛନ୍ତି, “ସମ୍ମାନୀୟ ପ୍ରଧାନମନ୍ତ୍ରୀ, ଆପଣଙ୍କ ନୀରବତା ଘୃଣା ଦ୍ୱାରା ଭର୍ତ୍ତି ଲୋକଙ୍କ ସ୍ୱରକୁ ଅଧିକ ଶାଣିତ କରୁଛି। ଏହା ଆମ ଦେଶର ଏକତା ଓ ଅଖଣ୍ଡତା ପ୍ରତି ବିପଦ। ପ୍ରଧାନମନ୍ତ୍ରୀ ମହୋଦୟ ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଯେ ଆମକୁ ଭାଗଭାଗ କରିବାକୁ ଚେଷ୍ଟା କରୁଥିବା ଗୋଷ୍ଠୀ ବିରୋଧରେ ଆପଣ ଛିଡ଼ା ହୁଅନ୍ତୁ।”

ନିକଟରେ ହରିଦ୍ୱାରାରେ ଆୟୋଜିତ ତଥାକଥିତ ଧର୍ମ ସଂସଦରେ ହିନ୍ଦୁ ଧର୍ମଗୁରୁମାନେ ମୁସଲିମ ସଂପ୍ରଦାୟ ବିରୋଧରେ ସ୍ୱର ଉଠାଇଥିଲେ। ଏଥିସହ ସେମାନଙ୍କ ନରସଂହାର ପାଇଁ ଆହ୍ୱାନ କରିଥିଲେ। ଏହାକୁ ନେଇ ଦେଶରେ ବିବାଦ ଚାଲିଥିବା ବେଳେ ଆଇଆଇଏମ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏପରି ଚିଠି ଲେଖାଯାଇଛି।

ଚିଠିରେ ଆହୁରି କୁହାଯାଇଛି ଯେ ଘୃଣା ସୃଷ୍ଟିକାରୀ ବୟାନ ଓ ହିଂସା ପାଇଁ ଆହ୍ୱାନ ଦେବା କେବେ ହେଲେ ଗ୍ରହଣୀୟ ନୁହେଁ। ବିଶେଷ କରି ଜାତି ଓ ଧର୍ମଭିତ୍ତିକ ହିଂସା ସୃଷ୍ଟି କରିବା ବୟାନକୁ ଦୃଢ଼ ଭାବେ ଦମନ କରାଯିବା ଦରକାର। ବିର୍ତ୍ତମାନ ଦେଶରେ ଭୟର ବାତାବରଣ ସୃଷ୍ଟି ହେବା ଭଳି ଲାଗୁଛି।

ଧର୍ମପୀଠ ଓ ଚର୍ଚ୍ଚରେ ବ୍ୟାପକ ଭଙ୍ଗାରୁଜା ହେଉଛି। ମୁସଲମି ଭାଇ ଓ ଭଉଣୀଙ୍କ ବିରୋଧରେ ଅସ୍ତ୍ର ଉଠାଇବାକୁ କୁହାଯାଉଛି। ଏଭଳି ବୟାନ ଦେବା ପୂର୍ବରୁ ସେମାନେ କୌଣସି ସଙ୍କୋଚ କିମ୍ବା ଭୟ କରୁନାହାନ୍ତି। ତେଣୁ ପ୍ରଧାନମନ୍ତ୍ରୀ ମହୋଦୟ ଆପଣ ଏହା ବିରୋଧରେ ତୁରନ୍ତ ନିଜର ନୀରବତା ଭାଙ୍ଗନ୍ତୁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ଏହି ଚିଠିରେ ୧୮୩ ଜଣ ଛାତ୍ରଛାତ୍ରୀ ଓ ପ୍ରଫେସରମାନଙ୍କ ଦସ୍ତଖତ ରହିଛି। ଆଇଆଇଏମ ଅହମଦାବାଦ ଓ ଆଇଆଇଏମ ବେଙ୍ଗାଲୁରୁ ପକ୍ଷରୁ ହିଁ ଏହି ଚିଠି ଲେଖାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।