ଚାଇନାର ନୂଆ ଭୂମି ସୀମା ଆଇନକୁ ନେଇ ଚିନ୍ତା ପ୍ରକଟ କଲା ଭାରତ

ନୂଆଦିଲ୍ଲୀ: ସୀମାନ୍ତ ଅଞ୍ଚଳର ସୁରକ୍ଷା ତଥା ବ୍ୟବହାର ସହ ଜଡ଼ିତ ଚାଇନାର ନୂଆ ଭୂମି ସୀମା ଆଇନକୁ ନେଇ ଭାରତ ଗଭୀର ଚିନ୍ତା ପ୍ରକାଶ କରିଛି। ଦୁଇ ଦେଶ ମଧ୍ୟରେ ଏବେ ସୀମାନ୍ତ ଅଞ୍ଚଳରେ ସାମରିକ ବିବାଦ ଲାଗି ରହିଛି। ଏସବୁ ଭିତରେ ଚାଇନା ନୂଆ ଭୂମି ସୀମା ଆଇନକୁ କାର୍ଯ୍ୟକାରୀ କରିଛି।

ଭାରତ ସରକାର ଚାଇନାର ଏପରି ଆଇନକୁ ଏକ ତରଫା ବୋଲି ଅବିହିତ କରିଛନ୍ତି। ଭାରତ ପକ୍ଷରୁ କୁହାଯାଇଛି ଯେ ଚାଇନା ଏହି ଆଇନ ଅନୁଯାୟୀ ପିପୁଲ ଲିବେରେସନ ଆର୍ମି(ପିଏଲ)କୁ ଅଧିକ କ୍ଷମତା ଯୋଗାଇଛି। ଏହା ଭାରତ-ଚାଇନା ସୀମାବର୍ତ୍ତୀ ଅଞ୍ଚଳର ସ୍ଥିତାବସ୍ଥାକୁ ଏକତରଫାର ଭାବେ ବଦଳାଇପାରେ। ଏହାଦ୍ୱାରା ସୀମାରେ ତିକ୍ତତା ସୃଷ୍ଟି ହେବାର ଆଶଙ୍କା ରହିଛି।

ଚାଇନା ସରକାର ଦୁଇ ଦେଶ ମଧ୍ୟରେ ଥିବା ବିବାଦୀୟ ଅଞ୍ଚଳରେ ଏହି ଆଇନକୁ କେବେ ହେଲେ ଲାଗୁ କରିପାରିବେ ନାହିଁ। ବିବାଦୀୟ ଅଞ୍ଚଳକୁ ଦୃଷ୍ଟିରେ ରଖି ହିଁ ଚାଇନା ଏପରି ଏକ ଆଇନ ପ୍ରଣୟନ କରିଛି, ଯାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଭାରତ ସରକାର କହିଛନ୍ତି।

ଚାଇନା ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶନିବାର ଦିନ ପାରିତ ହୋଇଥିବା ନୂଆ ଆଇନରେ ବେଜିଂକୁ ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ସବୁ ପ୍ରକାରର ଅଧିକାର ଦିଆଯାଇଛି। ଏହାବାଦ ସୀମାବର୍ତ୍ତୀ ଅଞ୍ଚଳରେ ଆର୍ଥିକ ଓ ସାମାଜିକ ବିକାଶ ସହିତ ସାର୍ବଜନୀନ ସେବା ଓ ଜରୁରୀ ହେଉଥିବା ଢାଞ୍ଚାକୁ ସୁଧାରିପାରିବ। ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କ ଜୀବନ ଶୈଳକୁ ପରବର୍ତ୍ତନ କରିବା ସହ ସେମାନଙ୍କ ପାଇଁ କାମ କରିବାର ଯୋଜନା ପ୍ରସ୍ତୁତ କରିପାରିବ।

ଗୋଟିଏ ପଟେ ସୀମାବର୍ତ୍ତୀ ଅଞ୍ଚଳକୁ ନେଇ ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ବେଜିଂ ନୂଆ ଭୂମି ସୀମା ଆଇନ ଆଣିଛି। ତେଣୁ ଆଗକୁ ଚାଇନା ଓ ଭାରତ ମଧ୍ୟରେ ଏହାକୁ ନେଇ ବିବାଦ ଆହୁରି ଘନେଇ ବୋଲି ଆଶଙ୍କା କରାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।