ସୀମା ବିବାଦ: କାଲି ଭାରତ-ଚାଇନା ବୈଠକ

ନୂଆଦିଲ୍ଲୀ: ସୀମା ବିବାଦ ପ୍ରସଙ୍ଗରେ ଆସନ୍ତାକାଲି ଭାରତ ଓ ଚାଇନା ମଧ୍ୟରେ ୧୨ତମ କର୍ପସ କମାଣ୍ତର ସ୍ତରୀୟ ବୈଠକ ବସିବ। କାଲି ଦିନ ୧୦.୩୦ରେ ପ୍ରକୃତ ନିୟନ୍ତ୍ରଣ ରେଖାର ଚାଇନା ପଟେ ଥିବା ମୋଲଡୋ ଠାରେ ଦୁଇ ଦେଶ ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ପୂର୍ବ ଲଦାଖର ହଟ ସ୍ପ୍ରିଙ୍ଗସ ଓ ଗ୍ରୋଗ୍ରା ହାଇଟ୍‌ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିବା ସମ୍ପର୍କରେ ଉଭୟ ଦେଶ ବିସ୍ତୃତ ଭାବେ ଆଲୋଚନା କରିବେ। ପୂର୍ବରୁ ଚାଇନାକୁ ଭାରତ କହି ସାରିଛି ଯେ ନୂଆଦିଲ୍ଲୀ ସୀମାରୁ ସେନା ପ୍ରତ୍ୟାହାର କରି ଶାନ୍ତି ସ୍ଥାପନ ପାଇଁ ରାଜି। କିନ୍ତୁ ଚାଇନା ମଧ୍ୟ ସମାନ ନୀତି ପୋଷଣା କରିବା ଦରକାର। ଚାଇନା ଯଦି ନିଜ ସେନାକୁ ପଛକୁ ହଟାବ, ତା’ହେଲେ ଭାରତ ମଧ୍ୟ ପଛକୁ ହଟିବ। ଉଭୟ ଦେଶର ସୁରକ୍ଷା ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ବୁଝାମଣା କରିବା ଭଲ ବୋଲି ଭାରତ ପକ୍ଷରୁ ଚାଇନାକୁ ପୂର୍ବରୁ ଅବଗତ କରାଯାଇଥିଲା।

ପ୍ରାୟ ବର୍ଷେ ହେଲାଣି ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଲାଗି ରହିଛି। ତେବେ କିଛି ଦିନ ତଳେ ପେଙ୍ଗାଙ୍ଗ ହ୍ରଦ ନିକଟରୁ ଉଭୟ ଦେଶ ସେନା ପ୍ରତ୍ୟାହାର କରିଛନ୍ତି। ତଥାପି ଚାଇନା ବିଭିନ୍ନ ସମୟରେ ଅନୁପ୍ରବେଶ କରିବା ସହ ବିବାଦୀୟ ଅଞ୍ଚଳରେ ପ୍ୟାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି। ଏଥିପାଇଁ ଭାରତ ମଧ୍ୟ ସୀମାରେ ଯବାନଙ୍କୁ ମୁତୟନ କରିଛି। ଏହାକୁ ନେଇ ସୀମାରେ ଛକାପଞ୍ଝା ଲାଗି ରହିଛି।

ଜୁଲାଇ ୨୨ରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଥିଲେ ଯେ ନିକଟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ତାଙ୍କ ଚାଇନିଜ ପ୍ରତିପକ୍ଷଙ୍କୁ ଭେଟିଥିଲେ। ଏହି ସମୟରେ ସୀମା ବିବାଦ କଥା ଉଠିଥିଲା। ଉଭୟ ଦେଶ ଖୁବଶୀଘ୍ର ପ୍ରତିରକ୍ଷାସ୍ତରୀୟ ବୈଠକ କରିବେ ବୋଲି ରାଜି ହୋଇଛନ୍ତି।

ଏହି ବୈଠକରେ ସୀମାକୁ ନେଇ ଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବ ବୋଲି ସେ ସୂଚନା ଦେଇଥିଲେ। ତେଣୁ ଉକ୍ତ ନିଷ୍ପତ୍ତି ଅନୁଯାୟୀ, ଆସନ୍ତାକାଲି ବୈଠକ ବସିବାକୁ ଯାଉଥିବା କୁହାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।