ଆମେରିକା କଂଗ୍ରେସର ମହିଳା ସଦସ୍ୟଙ୍କ ପିଓକେ ଗସ୍ତକୁ ନେଇ ଭାରତ ଖପ୍ପା

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)କୁ ଆମେରିକା କଂଗ୍ରେସର ମହିଳା ସଦସ୍ୟ ଇଲହାନ ଓମାରଙ୍କ ଗସ୍ତକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ଭାରତ। ଓମାରଙ୍କ ଏପରି ପିଓକେ ଗସ୍ତକୁ ଭାରତ ପକ୍ଷରୁ ସଂକୀର୍ଣ୍ଣ ରାଜନୀତିକ ମାନସିକତା ଭାବେ ଅବିହିତ କରାଯାଇଛି।

ଓମାର ୪ ଦିନିଆ ପାକିସ୍ତାନ ଗସ୍ତରେ ଯାଇଛନ୍ତି। ଏପରି କି ସେ ଗତକାଲି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମଧ୍ୟ ଭେଟିଥିଲେ। ଆଜି ସେ ପିଓକେ ଗସ୍ତ କରିଥିବାରୁ ଏହାକୁ ଭାରତ କଡ଼ା ଭାଷାରେ ନିନ୍ଦା କରିଛି।

ବୈଦେଶିକ ବ୍ୟାପର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, “ଇଲହାନ ଓମାର ଆମ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଗୋଟିଏ ଅଂଶକୁ ଯାଇଥିବା ଖବର ଆମ ପାଖରେ ରହିଛି। ଏହି ଅଞ୍ଚଳଟିକୁ ବେଆଇନ ଭାବେ ପାକିସ୍ତାନ ଦଖଲ କରିଛି। ମୁଁ ଖାଲି ଏତିକି କହିବେ ଯେ ଯଦି କୌଣସି ରାଜନେତା ଏଭଳି ନିଜର ସଂକୀର୍ଣ୍ଣ ମାନସିକତା ପ୍ରଦର୍ଶନ କରିବେ, ତା’ହେଲେ ଏହା ସେମାନଙ୍କ କାମ। କିନ୍ତୁ ଯଦି ଏପରି ମାନସିକତା ପାଇଁ ଆମ କ୍ଷେତ୍ରୀୟ ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ଉଲ୍ଲଙ୍ଘନ ହୁଏ, ତେବେ ଏହି ଗସ୍ତକୁ ଆମେ ନିଶ୍ଚିତ ଭାବେ ନିନ୍ଦନୀୟ କହିବୁ।”

ଆଫଗାନିସ୍ତାନରେ ହେଉଥିବା ଆତଙ୍କୀ ହମଲା ସମ୍ପର୍କରେ ଶ୍ରୀ ବାଗଚି କହିଛନ୍ତି, “ଆମେ କିଛି ଆତଙ୍କବାଦୀ ହମଲାର ଖବର ଦେଖିଛୁ। ଆମେ ସବୁବେଳେ ଆତଙ୍କୀ ହମଲାକୁ ନିନ୍ଦା କରି ଆସିଛୁ। ଆମେ ସେଠାରେ କ’ଣ ସବୁ ଘଟଣା ଘଟୁଛି, ତା’ ଉପରେ ନଜର ରଖିଛି। ଆମେ ନିଶ୍ଚିତ ଭାବେ ସମସ୍ତ ପ୍ରକାରର ଆତଙ୍କବାଦୀ ହମଲାକୁ ନିନ୍ଦା କରିବୁ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।